fbpx

(Video) ଶ୍ରୀମୟୀଙ୍କ ପାଇଁ ଆସନ ଖାଲି ରଖିଛି ବିଜେପି! ମୋଦୀଙ୍କ ନେତୃତ୍ୱରେ ପ୍ରାର୍ଥୀ ହେବେ କି ବିଜେଡି ନେତ୍ରୀ?

ଓଡ଼ିଶା ଭାସ୍କର: ଆଗକୁ ଆସୁଛି ନିର୍ବାଚନ । ପୁରରୁ ପଲ୍ଲୀ ସବୁଠି କମ୍ପୁଛି ନିର୍ବାଚନ ପ୍ରଚାର । କିନ୍ତୁ ଏବେ ବି ସ୍ପଷ୍ଟ ହୋଇନି ସବୁ ଆସନର ପ୍ରାର୍ଥୀଙ୍କ ତାଲିକା । ସେପଟେ ରାଜ୍ୟ ରାଜନୀତିକୁ ନେଇ ସବୁଆଡ଼େ ଚର୍ଚ୍ଚା ଖୁବ ଜୋର ଧରିଛି । ଚଳିତବର୍ଷ ବିଜୁ ଜନତା ଦଳର ଅନେକ ଚିହ୍ନା ଚେହେରା ଦଳ ଛାଡ଼ି ଅନ୍ୟ ଦଳରେ ମିଶି ସାରିଛନ୍ତି । ଆଉ ଏବେ ଏହି ଅଭିଯାନରେ ବିଜେଡିର ଆଗ ଧାଡ଼ିର ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ପାଳି ପଡ଼ିଛି ବୋଲି ଚର୍ଚ୍ଚା ଲାଗି ରହିଛି । ବିଜେପି ତାଙ୍କ ପାଇଁ ଟିକେଟ ଖାଲି ରଖିଥିବା ବେଳେ ଶ୍ରୀମୟୀ ବିଜେଡି ଛାଡ଼ି ପ୍ଦମ ଧରିବେ ବୋଲି ରାଜନୀତି ମହଲରେ ଚର୍ଚ୍ଚା ଥମିବାର ନାଁ ନେଉନି ।

ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ଖୁବ୍ ଶୀଘ୍ର ଦଳ ଛାଡିବା ନେଇ କିଛି ଦିନରୁ ଚର୍ଚ୍ଚା କରୁଛନ୍ତି ଜନତା ଜନାର୍ଦ୍ଦନ । ଶ୍ରୀମୟୀଙ୍କ ଅସନ୍ତୋଷ ସମ୍ପର୍କରେ ସମସ୍ତେ ଜାଣିଛନ୍ତି । ତାଙ୍କୁ ବିଜେଡି ଏଥର ନିର୍ବାଚନ ପାଇଁ ଟିକେଟ ନ ଦେଇ ଷ୍ଟାର ପ୍ରଚାରକ ତାଲିକାରେ ରଖିଛି । ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଭାବେ ଉପସ୍ଥାପିତ କରି ପ୍ରଥମେ ଶ୍ରୀମୟୀ ମିଶ୍ରଙ୍କୁ ନିର୍ବାଚନ ମଣ୍ଡଳୀ ବୁଲାଇଥିଲା ବିଜେଡି । ପ୍ରାୟ ଦୁଇ ତିନି ମାସ ଧରି ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ବୁଲି ଲୋକଙ୍କୁ ଭେଟିଥିଲେ ଶ୍ରୀମୟୀ । ଦଳୀୟ ବିଧାୟକମାନେ ମଧ୍ୟ ତାଙ୍କୁ ଲୋକଙ୍କ ପାଖରେ ସାଂସଦ ପ୍ରାର୍ଥୀ ଭାବେ ଉପସ୍ଥାପିତ କରୁଥିଲେ । କିନ୍ତୁ ଅଚାନକ ମନ୍ମଥ ରାଉତରାୟଙ୍କ ଏଣ୍ଟ୍ରି ଶ୍ରୀମୟୀଙ୍କୁ ମହଙ୍ଗା ପଡ଼ିଛି । ବିଜେଡି ଶ୍ରୀମୟୀଙ୍କୁ ଭୁଲି ମନ୍ମଥଙ୍କୁ ଭୁବନେଶ୍ୱର ଲୋକସଭା ଆସନରେ ପ୍ରାର୍ଥୀ କରିଛି । ଯାହା ପରେ ଶ୍ରୀମୟୀ ଅଚାନକ ରାଜନୈତିକ ଦୃଶ୍ୟପଟରୁ ଏକପ୍ରକାର ଗାୟବ ରହିଛନ୍ତି ।

ଏହା ପରେ ଭୁବନେଶ୍ୱର ମଧ୍ୟ ଆସନରୁ ବିଜେଡି ଶ୍ରୀମୟୀଙ୍କୁ ବିଧାୟିକା ପ୍ରାର୍ଥୀ କରିବ ବୋଲି ଜୋରଦାର ଚର୍ଚ୍ଚା ହୋଇଥିଲା । ହେଲେ ତାହା ମଧ୍ୟ ହେଲାନାହିଁ । ଶେଷରେ ବିଜେଡି ନିର୍ବାଚନ ଇସ୍ତାହାର କମିଟିର ସଦସ୍ୟରେ ଶ୍ରୀମୟୀଙ୍କୁ ସ୍ଥାନ ଦେଇ ସନ୍ତୁଷ୍ଟ କରିବାକୁ ପ୍ରୟାସ କରିଥିଲା । ଏହାପରେ ତାଙ୍କୁ ବିଜେଡି ମହିଳା କାର୍ଯ୍ୟକାରିଣୀ ସଭାନେତ୍ରୀ ଭାବେ ମଧ୍ୟ ଦଳ ଦାୟିତ୍ୱ ଦେଇଛି । କିନ୍ତୁ ଏବେ ପର୍ଯ୍ୟନ୍ତ ଶ୍ରୀମୟୀ ମିଶ୍ର ସାମନାକୁ ଆସିବା ଦେଖିବାକୁ ମିଳୁନାହିଁ । କାରଣ କୁହାଯାଉଛି କି ଦଳ ତାଙ୍କୁ ଆଉ ଯାହା ପଦ ପଦବୀ ଦେଇ ସନ୍ତୁଷ୍ଟ କରିବାକୁ ପ୍ରୟାସ କଲେ ମଧ୍ୟ ଶ୍ରୀମୟୀ କୁଆଡେ ସନ୍ତୁଷ୍ଟ ନାହାଁନ୍ତି । ଏପରିକି ବିଜେଡି ଭୋଗରାଇ ସମେତ ଖୋର୍ଦ୍ଧା ଓ ବେଗୁନିଆ ପାଇଁ ବିଧାୟକ ପ୍ରାର୍ଥୀ ଘୋଷଣା କରିବା ପରେ ଶ୍ରୀମୟୀଙ୍କୁ ଚଳିତ ନିର୍ବାଚନରେ ଦଳ କେଉଁଠି ବି ପ୍ରାର୍ଥୀ କରୁନଥିବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି । ଦଳର ମହିଳା ଚେହେରା ଭାବେ ପରିଚିତ ଶ୍ରୀମୟୀ ମିଶ୍ରଙ୍କୁ ବିଜେଡି କୌଣସି ଆସନରୁ ପ୍ରାର୍ଥୀ କରିନଥିବାରୁ ସେ କୁଆଡେ କ୍ଷୁବ୍ଧ ଥିବା କୁହାଯାଉଛି । ଯେଉଁଥିପାଇଁ ସେ ଖୁବ୍ ଶୀଘ୍ର ବିଜେଡି ଛାଡିବାକୁ ଯାଉଛନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଲାଣି ।

ଖାଲି ସେତିକି ନୁହେଁ, ବିଜେପି ଶିବିର ଶ୍ରୀମୟୀଙ୍କ ସହ ଯୋଗାଯୋଗରେ ଥିବା କୁହାଯାଉଛି । ଏପରିକି ଶ୍ରୀମୟୀ ଶଙ୍ଖ ଛାଡି ପଦ୍ମ ଧରିଲେ ତାଙ୍କ ପାଇଁ ଏକ ଆସନ ଖାଲି ହୋଇ ରହିଛି ବୋଲି ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ଶ୍ରୀମୟୀ ମିଶ୍ର ବିଜେପି ଟିକେଟରେ ବେଗୁନିଆରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । କାରଣ ବିଜେପି ବର୍ତ୍ତମାନ ସୁଦ୍ଧା ବେଗୁନିଆ ଆସନରେ କାହାରିକୁ ପ୍ରାର୍ଥୀ କରିନାହିଁ । ଫଳରେ ଶ୍ରୀମୟୀଙ୍କ ପାଇଁ ଏହି ଆସନକୁ ଖାଲି ରଖିଥିବା ନେଇ ରାଜନୈତିକ ମହଲରେ ଯେଉଁ ଚର୍ଚ୍ଚା ହେଉଥିଲା ତାକୁ ଅଧିକ ବଳ ମିଳିଛି ।

Get real time updates directly on you device, subscribe now.