fbpx

BJP ନେତାଙ୍କ ମୃତ୍ୟୁ: ପୋଲିସ ଲାଠିଚାର୍ଜ ବେଳେ ଘଟିଲା ଅଘଟଣ

ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ଜଣେ ବିଜେପି ନେତାଙ୍କ ମୃତ୍ୟୁ ଘଟିଛି । ବିହାରରୁ ଆସିଛି ଏଭଳି ଏକ ଖବର । ପାଟନା ପୋଲିସର ଲାଠିଚାର୍ଜରେ ଜଣେ ବିଜେପି ନେତା ପ୍ରାଣ ହରାଇଥିବା ଜଣାପଡ଼ିଛି । ଶିକ୍ଷକଙ୍କ ପୋଷ୍ଟିଂକୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ବିଜେପି ନେତାମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । ଏହି ସମୟରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ପୋଲିସ ଲାଠିଚାର୍ଜ କରିଥିଲା ।

ସୂଚନା ମୁତାବକ, ପୋଲିସର ଲାଠିଚାର୍ଜରେ ବିଜେପି ନେତା ତଥା ଜହାନାବାଦ ଜିଲ୍ଲାର ଜେନେରାଲ ସମ୍ପାଦକ ବିଜୟ କୁମାର ସିଂହଙ୍କ ମୃତ୍ୟୁ ଘଟିଛି । ରାଜ୍ୟର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି । ପୋଲିସ ବିକ୍ଷୋଭକାରୀଙ୍କ ଉପରେ ଅମାନୁଷିକ ଭାବେ ଲାଠିଚାର୍ଜ କରିଥିବା ଅଭିଯୋଗ ହୋଇଛି । ଏନେଇ ଦଳ ପକ୍ଷରୁ ପୋଲିସ ବିରୋଧରେ ମାମଲା ଦାୟର କରାଯିବ ବୋଲି କୁହାଯାଇଛି ।

ଏନେଇ ସୁଶୀଲ କହିଛନ୍ତି, ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଇସାରାରେ ପୋଲିସ ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ୫୦ ହଜାର ଲୋକ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ । ସେମାନେ କୌଣସି ଭଙ୍ଗାରୁଜା କରୁନଥିଲେ କି ହିଂସା ଆଚରଣ କରୁନଥିଲେ । ଏହା ପରେ ବି ସେମାନଙ୍କ ଉପରକୁ ଲୁହବୁହା ଗ୍ୟାସ ଛଡ଼ାଯିବା ସହିତ ଲାଠିଚାର୍ଜ କରାଯାଇଥିଲା । ଫଳରେ ଘଟଣାସ୍ଥଳରେ ଦୁଇ ଡଜନରୁ ଅଧିକ କାର୍ଯ୍ୟକର୍ତ୍ତା ଆହତ ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

Get real time updates directly on you device, subscribe now.