fbpx
BJD SKY
BJD SKY

୨୦୨୪ ପୂର୍ବରୁ BJPର ଅଗ୍ନି ପରୀକ୍ଷା: ୯ଟି ରାଜ୍ୟ ଦଖଲ କରିବା ମୋଦୀଙ୍କ ଲକ୍ଷ୍ୟ, କେଉଁ ରାଜ୍ୟର ସ୍ଥିତି କିପରି ରହିଛି

BJD

ନୂଆଦିଲ୍ଲୀ: ଆଗକୁ ଆସୁଛି ୨୦୨୪ ଲୋକସଭା ନିର୍ବାଚନ । ଏହା ପୂର୍ବରୁ ସେମିଫାଇନାଲ ସ୍ୱରୂପ ଚଳିତ ବର୍ଷ ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଆଜି ଭାରତୀୟ ନିର୍ବାଚନ କମିସନ ମେଘାଳୟ, ନାଗାଲ୍ୟାଣ୍ଡ ଓ ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ଏହାପରେ ପରବର୍ତ୍ତୀ ସମୟରେ ଅବଶିଷ୍ଟ ୬ଟି ରାଜ୍ୟ ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ତେଲେଙ୍ଗାନା ଓ ମିଜୋରାମ ପାଇଁ ନିର୍ବାଚନ ତାରିଖ ଘୋଷଣା କରାଯିବ ।

ତେବେ ଗତ ୨୦୧୪ ଓ ୨୦୧୯ ପରି ୨୦୨୪ରେ ବିଜୟ ହାସଲ କରି ହ୍ୟାଟ୍ରିକ ଲକ୍ଷ୍ୟରେ ରହିଛି ବିଜେପି । ଏହାମଧ୍ୟରେ ଗତ ୧୬-୧୭ ତାରିଖରେ ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଥିବା ବେଳେ ଏହି ଅବସରରେ ଦଳ ଭବିଷ୍ୟତ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିଛି । କେଉଁ ପ୍ରୋସେସରେ ଦଳ ଆଗକୁ ବଢ଼ିବ, ଅତୀତର ଭୁଲକୁ କିପରି ସୁଧାରିବ ଏନେଇ ପ୍ରଧାନମନ୍ତ୍ରୀ ମୋଦୀ ଦଳର ସାଂସଦ, ମନ୍ତ୍ରୀ ଓ ସମସ୍ତ ନେତାଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି ।

ତେବେ ଏହି ୯ଟି ରାଜ୍ୟରେ ବିଜୟ ହାସଲ କରିବା ବିଜେପି ପାଇଁ ସେମିଫାଇନାଲ ସଦୃଶ । କାରଣ ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ ଓ କର୍ଣ୍ଣାଟକ ପରି ୪ଟି ଗୁରୁତ୍ୱପୂର୍ଣ୍ଣ ରାଜ୍ୟରେ କଂଗ୍ରେସ ବିଜେପିକୁ କଡ଼ା ଟକ୍କର ଦେବ । ଏଥିସହିତ ତେଲେଙ୍ଗାନାରେ କେ.ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତି ସହ ମଧ୍ୟ ବିଜେପିକୁ ମୁକାବିଲା କରିବା ପଡ଼ିବ । ନିକଟରେ ସମାପ୍ତ ହୋଇଥିବା ହିମାଚଳ ପ୍ରଦେଶରେ କଂଗ୍ରେସ ଯେଉଁ ଭଳି ଭାବେ କ୍ଷମତାକୁ ଅଚାନକ ପ୍ରତ୍ୟାବର୍ତ୍ତନ କଲା ତାହା ବିଜେପି ପାଇଁ ମଧ୍ୟ ଚିନ୍ତାର କାରଣ ପାଲଟିଛି ।

ତେବେ ଲୋକସଭ ନିର୍ବାଚନ ଆସନ୍ତାବର୍ଷ ଏପ୍ରିଲ-ମେରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି । ତା’ ପୂର୍ବରୁ ଚଳିତ ବର୍ଷ ମେ’ରେ କର୍ଣ୍ଣାଟକ, ନଭେମ୍ବରରେ ଛତିଶଗଡ଼, ମଧ୍ୟପ୍ରଦେଶ ଓ ମିଜୋରାମ, ଡିସେମ୍ବରରେ ରାଜସ୍ଥାନ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ହୋଇପାରେ । ତେବେ ଏଠାରେ ପ୍ରଶ୍ନ ଉଠୁଛି, ଏହି ୯ଟି ରାଜ୍ୟ ଉପରେ ବିଜେପି କାହିଁକି ଏତେ ଗୁରୁତ୍ୱ ଦେଉଛି । ଏହା ଭିତରେ କ’ଣ ରାଜନୈତିକ ସମୀକରଣ ଲୁଚି ରହିଛି ।

ଏହି ୯ଟି ରାଜ୍ୟରେ ଜିତିବା ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ସମ୍ପୂର୍ଣ୍ଣ ଆଶାବାଦୀ ରହିଛନ୍ତି । ମାତ୍ର ଯଦି ଦଳର ପ୍ରଦର୍ଶନ ଗତ ୨୦୧୮ ପରି ହୋଇଯାଏ, ତେବେ ସବୁ ଆଶା ପାଣିରେ ମିଳେଇଯିବ । କ୍ଷମତାକୁ କାଏମ ରଖିବାକୁ ହେଲେ ଦଳକୁ ତ୍ରିପୁରା, କର୍ଣ୍ଣାଟକ ଓ ମଧ୍ୟପ୍ରଦେଶରେ କଡ଼ା ସଂଘର୍ଷ କରିବାକୁ ପଡ଼ିବ । ଗତ ୫ ବର୍ଷ ମଧ୍ୟରେ ତେଲେଙ୍ଗାନାରେ ଦଳର ଭୋଟ ପ୍ରତିଶତ ବୃଦ୍ଧି ପାଇଛି । ରାଜସ୍ଥାନ କଂଗ୍ରେସରେ ଚାଲିଥିବା ଗୋଷ୍ଠୀ କନ୍ଦଳ ବିଜେପିକୁ ଫାଇଦା ଦେଇପାରେ ।

ତେବେ ବିଜେପି ପୂର୍ବୋତ୍ତର ରାଜ୍ୟକୁ ଅଧିକ ଗୁରୁତ୍ୱ ଦେବା ପଛରେ କିଛି ବଡ଼ କାରଣ ରହିଛି । ଏହି ଅଞ୍ଚଳରେ ଦଳର ଲୋକପ୍ରିୟତା ବୃଦ୍ଧି ପାଇଛି । ମାତ୍ର ମେଘାଳୟ, ନାଗାଲ୍ୟାଣ୍ଡ ଓ ମିଜୋରାମରେ ଦଳ ନିଜ ଦମରେ ସରକାର ଗଠନ କରିବା ସ୍ଥିତିରେ ନାହିଁ । ତେଣୁ ଏପରି ସ୍ଥିତିରେ ଦଳ ଏହିସବୁ ରାଜ୍ୟଗୁଡ଼ିକରେ ଉଚ୍ଚକୋଟୀର ପ୍ରଦର୍ଶନ କରିବା ସହ ଭଲ ସହଯୋଗୀକୁ ଖୋଜିବ । ଦଳ ବହୁମତ ହାସଲ କରି ନପାରିଲେ ମଧ୍ୟ ଗଠବନ୍ଧନ ସରକାରରେ ସାମିଲ ହେବାକୁ ପ୍ରୟାସ କରିବ ।

ତେବେ ଗଠବନ୍ଧନ ନିଷ୍ପତ୍ତି ବିଜେପି ପାଇଁ ପୂର୍ବୋତ୍ତର ରାଜମାନଙ୍କରେ ସମସ୍ୟା ସୃଷ୍ଟି କରିପାରେ । ଦଳ ଯଦି ସଫଳତା ହାସଲ କଲା ତେବେ ତାହା ଫାଇଦାଯୁକ୍ତ ହେବ । ମାତ୍ର ଯଦି ବିଫଳତା ହାସଲ କଲା ତେବେ ବିଭିନ୍ନ ରାଜ୍ୟରେ ଏହା ଦଳର ସ୍ଥିତିକୁ ଆହୁରି ନିମ୍ନଗାମୀ କରାଇବ । ଦଳର ନକାରାତ୍ମକ ଦିଗ ଭୋଟରଙ୍କ ନିକଟରେ ପହଞ୍ଚିଲେ ତାହା ଭୋଟ ବ୍ୟାଙ୍କକୁ ପ୍ରଭାବିତ କରିପାରେ । ଏପରି ହେଲେ ବିରୋଧୀ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି (ଆପ) ଏହାର ଫାଇଦା ନିଶ୍ଚିତ ନେଇଯିବେ । ରାହୁଲ ଗାନ୍ଧି ଭାରତ ଯୋଡ଼ୋ ଯାତ୍ରା ମାଧ୍ୟମରେ ଜନତାଙ୍କ ନିକଟତର ହେବାକୁ ପ୍ରୟାସ କରୁଥିବା ବେଳେ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ, ପଞ୍ଜାବ ପରେ ବିଭିନ୍ନ ରାଜ୍ୟରେ ବ୍ରାଞ୍ଚ ଖୋଲିବା ଆରମ୍ଭ କରି ଦେଲେଣି । ତେଣୁ ବିଜେପି ପାଇଁ ଚଳିତ ବର୍ଷ ଅଗ୍ନି ପରୀକ୍ଷା ସଦୃଶ ହେବ ।

Get real time updates directly on you device, subscribe now.