fbpx
BJD SKY
BJD SKY

କର୍ଣ୍ଣାଟକରେ BJPକୁ ବଡ଼ ଝଟକା: ୧୯ ଜଣ ମ୍ୟୁନିସିପାଲ ସଦସ୍ୟ, ଜିଲ୍ଲା ଅଧ୍ୟକ୍ଷ, ମେୟର, ଡେପୁଟି ମେୟରଙ୍କ ଇସ୍ତଫା

BJD

ନୂଆଦିଲ୍ଲୀ: ଆସନ୍ତା ମାସ ୧୦ ତାରିଖରେ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ତେବେ ୨୦୨୪ ଫାଇନାଲ ମ୍ୟାଚ ପୂର୍ବରୁ କର୍ଣ୍ଣାଟକ ନିର୍ବାଚନ କେନ୍ଦ୍ରରେ ନେତୃତ୍ୱାଧୀନ ବିଜେପି ପାଇଁ କୌଣସି ଅଗ୍ନି ପରୀକ୍ଷାଠାରୁ କମ୍ ନୁହେଁ । ନିକଟରେ ତିନୋଟି ରାଜ୍ୟରେ ବିଧାନସଭା ନିର୍ବାଚନ ସମାପ୍ତ ହୋଇଥିବା ବେଳେ ଚଳିତ ବର୍ଷ କର୍ଣ୍ଣାଟକ ବ୍ୟତୀତ ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ତେବେ କର୍ଣ୍ଣାଟକରେ ଗେରୁଆ ବାନା ଉଡ଼ାଇବା ପାଇଁ ବିଜେପି ତା’ର ସବୁ ଅସ୍ତ୍ରକୁ ମୈଦାନରେ ଉତାରି ଦେଇଛି ।

୨୨୪ଟି ଆସନ ବିଶିଷ୍ଟ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ବିଜେପି ଗତକାଲି ୧୮୯ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ତେବେ ପ୍ରଥମ ପର୍ଯ୍ୟାୟରେ ଜାରି ହୋଇଥିବା ତାଲିକାରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାରଙ୍କ ନାମ ନାହିଁ । ତେଣୁ ଜଗଦୀଶ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବା ନେଇ ଘୋଷଣା କରିବା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ତାଙ୍କୁ ଦିଲ୍ଲୀ ଡକାଇଛନ୍ତି । ୧୮୯ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଦଳ ୫୨ ଜଣ ନୂଆ ଚେହେରାଙ୍କୁ ସୁଯୋଗ ଦେଇଛି । ଏପରିକି ସିଟିଂ କ୍ୟାବିନେଟ ମନ୍ତ୍ରୀ ସହିତ ଅତିକମରେ ୮ ଜଣ ବିଧାୟକଙ୍କ ଟିକେଟ କଟିଛି ।

ଗତକାଲି ପ୍ରାର୍ଥୀ ଘୋଷଣା ପୂର୍ବରୁ ବରିଷ୍ଠ ନେତା କେ.ଏସ. ଈଶ୍ୱରପ୍ପା ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିଲେ । ଶିବମୋଗା ବିଧାନସଭା ଆସନର ବିଧାୟକ ଈଶ୍ୱରପ୍ପାଙ୍କ ପରେ ଏବେ ବିଜେପିକୁ ଝଟକା ପରେ ଝଟକା ଲାଗିଛି । ଖବର ମୁତାବକ, ଉକ୍ତ ଆସନରୁ ୧୯ ଜଣ ମହାନଗର ନିଗମ ସଦସ୍ୟ ନିଜର ପଦରୁ ଇସ୍ତଫା ଦେଇଛନ୍ତି । ଏଥିସହିତ ଜିଲ୍ଲା ଅଧ୍ୟକ୍ଷ, ମେୟର ଓ ଡେପୁଟି ମେୟର ମଧ୍ୟ ପଦ ତ୍ୟାଗ କରିଛନ୍ତି । ତେବେ ଜଣେ ନେତାଙ୍କ ପାଇଁ ଦଳକୁ ବହୁତ କ୍ଷତି ସହିବାକୁ ପଡ଼ିପାରେ । ଆଗକୁ ଆଉ କିଛି ନେତା ମଧ୍ୟ ଦଳରୁ ଇସ୍ତଫା ଦେବା ନେଇ ବିଚାର କରୁଥିବା ଜଣାପଡ଼ିଛି । ଏହା ପୂର୍ବରୁ ଚଳିତ ମାସରେ ବିଜେପି ବିଧାୟକ ଏନ.ୱାଇ ଗୋପାଳକୃଷ୍ଣ ଦଳରୁ ଇସ୍ତଫା ଦେଇ କଂଗ୍ରେସରେ ଯୋଗ ଦେଇଥିଲେ ।

ତେବେ ମୋଟାମୋଟି ଭାବେ ଦେଖିବାକୁ ଗଲେ ଏଥର ରାଜ୍ୟରେ ବିଜେପି, କଂଗ୍ରେସ ଓ ଜେଡିଏସ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ । ବର୍ତ୍ତମାନ ବିଜେପି ନିକଟରେ ୧୨୦, କଂଗ୍ରେସ ନିକଟରେ ୭୨ ଓ ଜେଡିଏସ ନିକଟରେ ୩୦ ଜଣ ବିଧାୟକ ରହିଛନ୍ତି । ଗତ ଥର ମଧ୍ୟ ବିଧାନସଭା ନିର୍ବାଚନରେ ବିଜେପି ବହୁମତ ହାଲ କରିପାରିନଥିଲା । ପ୍ରଥମେ କଂଗ୍ରେସ-ଜେଡିଏସ ସରକାର ଗଠନ କରିଥିବା ବେଳେ ପରେ କଂଗ୍ରେସର କିଛି ବିଧାୟକ ବିଜେପିରେ ସାମିଲ ହେବା ପରେ ସେଠାରେ ଗେରୁଆ ପତାକା ଉଡ଼ିଥିଲା ।

ନିକଟରେ କିଛି ଜାତୀୟ ସ୍ତରର ଗଣମାଧ୍ୟମ ସଂସ୍ଥା ତରଫରୁ କରାଯାଇଥିବା ସର୍ଭେ ଫଳାଫଳ କଂଗ୍ରେସ ସପକ୍ଷରେ ଯାଇଛି । ଅବଶ୍ୟ ଏହି ଆକଳନ ଓଲଟିପାରେ, ମାତ୍ର ଏହା ଭାଜପାର ନିଦ ଉଡ଼ାଇ ଦେଇଛି । ଅନ୍ୟପକ୍ଷରେ ନିକଟରେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସାଂସଦ ପଦ ରଦ୍ଦ ହେବା ପରେ ସେ ପରୋକ୍ଷରେ ଲୋକଙ୍କ ନିକଟରେ ହିରୋ ପାଲଟି ଯାଇଛନ୍ତି । ରାହୁଲଙ୍କ ପାଇଁ ସାରା ଦେଶରେ ଏବେ ସୁପ୍ତ କଂଗ୍ରେସ ଜାଗ୍ରତ ଅବସ୍ଥାକୁ ଚାଲିଆସିଲାଣି । ଯେଉଁ ବିରୋଧୀମାନେ ଦିନେ ଏକଜୁଟ୍ ହେବା ଅସମ୍ଭବ ମନେହେଉଥିଲା, ରାହୁଲଙ୍କ ଏଭଳି ସ୍ଥିତିରେ ସମସ୍ତ ବିରୋଧୀ ଏକଜୁଟ୍ ହୋଇ ନରେନ୍ଦ୍ର ମୋଦୀଙ୍କ ମୁକାବିଲା କରିବାକୁ ଆଗଭର ହେଲେଣି । ବିଜେପି ସରକାର ବିରୋଧୀ ଦଳର ନେତାଙ୍କ ଉପରେ ଇଡି, ସିବିଆଇ ଭଳି କେନ୍ଦ୍ରୀୟ ସଂସ୍ଥାର ଦୁରୂପଯୋଗ କରୁଥିବା ନେଇ ବିରୋଧୀ ପକ୍ଷର ସ୍ୱର ଶାଣିତ ହେଲାଣି । ତେଣୁ ଏଭଳି ସ୍ଥିତିରେ ଦୁର୍ବଳ ରଣନୀତି ବିଜେପି ପାଇଁ ମହଙ୍ଗା ନପଡ଼ୁ ।

Get real time updates directly on you device, subscribe now.