fbpx

ଓଡ଼ିଶାରେ ଏକାକୀ ଲଢ଼ିବ ବିଜେପି: ସୋସିଆଲ ମିଡ଼ିଆରେ ମନମୋହନ ସାମଲଙ୍କ ସ୍ପଷ୍ଟ ସୂଚନା

ଓଡ଼ିଶା ଭାସ୍କର: ପୁଣି ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଆରମ୍ଭ ହେବା ଭିତରେ ଏକ ବଡ଼ ବୟାନ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ମେଣ୍ଟ ପ୍ରସଙ୍ଗକୁ ନେଇ ସେ ସୋସିଆଲ ମିଡ଼ିଆ ଏକ୍ସ’ରେ ସ୍ପଷ୍ଟତା ରଖିଛନ୍ତି । ତେବେ ଓଡ଼ିଶାରେ ବିଜେପି ଏକାକୀ ଲଢ଼ିବ ବୋଲି ଏଥିରେ ସେ ପୁଣି ଦୋହରାଇଛନ୍ତି। ଏଥର ରାଜ୍ୟର ସମସ୍ତ ୨୧ଟି ଲୋକସଭା ଓ ୧୪୭ଟି ବିଧାନସଭା ଆସନରେ ଏକାକୀ ଲଢ଼ିବ ବୋଲି ସେ ତାଙ୍କ ପୋଷ୍ଟରେ ଲେଖି ସୂଚନା ଦେଇଛନ୍ତି।

ତେବେ ମନମୋହନ ଲେଖିଛନ୍ତି, ‘ଗତ ୧୦ ବର୍ଷ ଧରି ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ବିଜୁ ଜନତା ଦଳ (ବିଜେଡି) ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କୁ ରାଷ୍ଟ୍ରୀୟ ମହତ୍ତ୍ୱ ଥିବା ଅନେକ ପ୍ରସଙ୍ଗରେ ସମର୍ଥନ କରିଆସୁଛି। ଏଥିପାଇଁ ଆମେ ତାଙ୍କୁ ଧନ୍ୟବାଦ ଜଣାଉଛୁ । ତେବେ ସମଗ୍ର ଦେଶରେ ଯେଉଁସବୁ ରାଜ୍ୟରେ ଡବଲ ଇଞ୍ଜିନ ସରକାର ରହିଛି, ସେଠାରେ ବିକାଶ ଓ ଗରିବ କଲ୍ୟାଣର କାର୍ଯ୍ୟସବୁ ତ୍ୱରାନ୍ୱିତ ହୋଇଛି ଏବଂ ସବୁ କ୍ଷେତ୍ରରେ ସଂପୃକ୍ତ ରାଜ୍ୟମାନେ ମଧ୍ୟ ଅଗ୍ରଗତି ହାସଲ କରୁଛନ୍ତି ବୋଲି ଆମେ ଅନୁଭବ କରୁଅଛୁ । କିନ୍ତୁ ଆଜି ଓଡ଼ିଶାରେ ମୋଦୀ ସରକାରଙ୍କ ଅନେକ କଲ୍ୟାଣକାରୀ ଯୋଜନା ତୃଣମୂଳ ସ୍ତରକୁ ପହଞ୍ଚି ପାରୁନାହିଁ, ଯେଉଁ କାରଣରୁ ଓଡିଶାର ଗରିବ ଭଉଣୀ ଓ ଭାଇମାନେ ଏସବୁର ସୁଫଳ ପାଇପାରୁନାହାଁନ୍ତି ।

ଓଡ଼ିଆ-ଅସ୍ମିତା, ଓଡ଼ିଶାର ଗୌରବ ଏବଂ ଓଡ଼ିଶାବାସୀଙ୍କ ସ୍ୱାର୍ଥ ସହ ଜଡ଼ିତ ଅନେକ ପ୍ରସଙ୍ଗରେ ଆମେ ରାଜ୍ୟ ସରକାରଙ୍କ ସହ ସହ‌ମତ ହୋଇପାରୁନାହୁଁ । ସାଢ଼େ ଚାରି କୋଟି ଓଡ଼ିଆଙ୍କ ଆଶା, ଅଭିଳାଷ ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱ ରେ ଏକ ବିକଶିତ ଭାରତ ତଥା ବିକଶିତ ଓଡ଼ିଶା ଗଠନ ନିମନ୍ତେ ଭାରତୀୟ ଜନତା ପାର୍ଟି (ବିଜେପି) ଏଥର ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନରେ ଏକାକୀ ଲଢ଼ିବ ।’ ତେବେ ମନମୋହନଙ୍କ ଏହି ସୋସିଆଲ ମିଡ଼ିଆ ପୋଷ୍ଟକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସୋସିଆଲ ମିଡ଼ିଆରେ ରିପୋଷ୍ଟ କରିଥିବା ଦେଖିବାକୁ ମିଳିଛି।

ସୂଚନା ଥାଉକି, ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ଭୋଟ୍ ପାଇଁ ଗତ ଶନିବାର ଦିନ ତାରିଖ ଘୋଷଣା ହୋଇଛି। ରାଜ୍ୟରେ ୪ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ସମଗ୍ର ଦେଶରେ ୭ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ଓଡ଼ିଶାରେ ଚତୁର୍ଥ, ପଞ୍ଚମ, ଷଷ୍ଠ ଓ ସପ୍ତମ ପର୍ଯ୍ୟାୟରେ ଉଭୟ ବିଧାନସଭା ଓ ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ । ତେବେ ମେ’ ୧୩ରୁ ଜୁନ୍ ୧ ତାରିଖ ମଧ୍ୟରେ ୪ଟି ପର୍ଯ୍ୟାୟରେ ରାଜ୍ୟରେ ଭୋଟ୍ ଗ୍ରହଣ ହେବ ଓ ଜୁନ୍ ୪ତାରିଖରେ ଭୋଟ ଗଣତି ହେବ। କିନ୍ତୁ ଏସବୁ ମଧ୍ୟରେ ଓଡ଼ିଶାରେ ବିଜେଡି-ବିଜେପି ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା ଲାଗିରହିଥିଲା। ଆଉ ଏହି ଚର୍ଚ୍ଚା କେବଳ ରାଜ୍ୟ ରାଜନୀତି ନୁହେଁ ବରଂ ଜାତୀୟ ରାଜନୀତି ଯାଏଁ ଚାଲିଥିଲା। କିନ୍ତୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଆଜିର ଏହି ସୋସିଆଲ ମିଡ଼ିଆ ପୋଷ୍ଟ ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଥିବା କୁହାଯାଉଛି।

Get real time updates directly on you device, subscribe now.