fbpx

ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ କଳାଧନ ଟପିଲାଣି ୨୦ ହଜାର କୋଟି! ମୋଦି ସରକାର କହୁଛନ୍ତି ନା

ନୂଆଦିଲ୍ଲୀ: ପୁଣି ଉଠିଛି କଳାଧନ ପ୍ରସଙ୍ଗ । ବିଗତ ଦିନମାନଙ୍କରେ ଅନେକ ବାର ଏ ବିଷୟରେ ଚର୍ଚ୍ଚା ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ପୁଣି ତାହା ଥମିଯାଇଥିଲା । ତେବେ ଏକ ରିପୋର୍ଟ ମୁତାବକ, ବର୍ତ୍ତମାନ ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କର ୨୦ ହଜାର କୋଟିରୁ ଅଧିକ ଜମାରାଶି ରହିଛି । ମାତ୍ର କେନ୍ଦ୍ର ସରକାର ଏହି ରିପୋର୍ଟକୁ ଖଣ୍ଡନ କରିଛନ୍ତି । କଳାଧନ ପ୍ରସଙ୍ଗରେ ସ୍ୱିସ୍ ଅଧିକାରୀଙ୍କ ସହ ଆଲୋଚନା କରାଯିବା ସହ ଅଧିକ ତଥ୍ୟ ମଗାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି ।

ସ୍ୱିଜରଲାଣ୍ଡ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଦୁଇଦିନ ପୂର୍ବରୁ ବାର୍ଷିକ ବିବରଣୀ ପ୍ରକାଶ କରାଯାଇଥିଲା । ସେଥିରେ କୁହାଯାଇଥିଲା ଯେ, ୨୦୨୦ରେ ସ୍ୱିସ୍ ବ୍ୟାଙ୍କରେ ଭାରତୀୟ ନାଗରିକ ଓ ସଂସ୍ଥାଙ୍କର ଗଚ୍ଛିତ କଳାଧନ ବୃଦ୍ଧି ପାଇ ପ୍ରାୟ ୨୦ ହଜାର ୭୦୦ କୋଟିରେ ପହଞ୍ଚିଛି । ୨୦୧୯ରେ ଏହି ଜମାରାଶି ୬୬୨୮ କୋଟି ଥିଲା । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଏହି ଜମାରାଶିର ପରିମାଣ ୨୮୬ ପ୍ରତିଶତ ବୃଦ୍ଧି ପାଇଛି । ଏହି ଜମାରାଶି ଗତ ୧୩ ବର୍ଷରେ ସବୁଠାରୁ ଅଧିକ ଅଟେ, ଯାହାକି ୨୦୦୭ ମସିହା ପରଠାରୁ ଅଧିକ ଉଚ୍ଚ ସ୍ତରରେ ରହିଛି ।

ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ କଳାଧନ ବୃଦ୍ଧି ପାଇବା ପ୍ରସଙ୍ଗକୁ ନେଇ କଂଗ୍ରେସ ପକ୍ଷରୁ ସମାଲୋଚନା କରାଯାଇଛି । କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ସରକାର କଳାଧନ ପ୍ରସଙ୍ଗରେ ଶ୍ୱେତପତ୍ର ପ୍ରକାଶ କରନ୍ତୁ । ଏଥିସହ ବିଦେଶରେ ଜମା କଳାଧନ ଦେଶକୁ ଫେରାଇ ଆଣିବା ପାଇଁ ସରକାର କି କି ପଦକ୍ଷେପ ନେଇଛନ୍ତି, ତାହା ଜଣାନ୍ତୁ । ଦଳର ମୁଖପାତ୍ର ଗୌରବ ବଲ୍ଲଭ ଅଭିଯୋଗ କରିଛନ୍ତି ଯେ, ୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ପ୍ରତ୍ୟେକ ଭାରତୀୟଙ୍କ ଖାତାରେ ୧୫ ଲକ୍ଷ ଲେଖାଏଁ ଜମା କରିବାକୁ ପ୍ରତିଜ୍ଞା କରିଥିଲା । ଏହି ଘଟଣାକୁ ୭ ବର୍ଷ ବିତି ଯାଇଥିଲେ ମଧ୍ୟ ମୋଦି ଏ ବାବଦରେ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । ଏହି ପ୍ରସଙ୍ଗରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଭାରତ ଓ ସ୍ୱିଜରଲାଣ୍ଡ ଏନେଇ ଆଲୋଚନା କରି ସ୍ୱାକ୍ଷର କରିଛନ୍ତି । ଏହି ଅବସରରେ ୨୦୧୮, ୨୦୧୯ ଓ ୨୦୨୦ ଆର୍ଥିକ ବର୍ଷର ସମସ୍ତ ବିବରଣୀ ଆଦାନ ପ୍ରଦାନ କରାଯାଇଥିବା କୁହାଯାଇଛି ।

Get real time updates directly on you device, subscribe now.