Blue Whale ଲୋପ ପାଇବ! ବିଶ୍ୱର ସବୁଠାରୁ ବଡ଼ ମାଛକୁ ନେଇ ବୈଜ୍ଞାନିକଙ୍କ ଭୟଙ୍କର ଚେତାବନୀ

ନୂଆଦିଲ୍ଲୀ: ବ୍ଲୁ ହ୍ୱେଲ ବିଶ୍ୱର ସବୁଠାରୁ ବଡ଼ ମାଛ । ତେବେ ବ୍ଲୁ ହ୍ୱେଲକୁ ନେଇ ଆସିଛି ଏକ ଭୟଙ୍କର ସୂଚନା । ଏହି ମାଛକୁ ନେଇ ରିସର୍ଚ୍ଚରୁ ଏକ ଭୟଙ୍କର ତଥ୍ୟ ସାମ୍ନାକୁ ଆସିଛି । ଏନେଇ ବୈଜ୍ଞାନିକମାନେ ଚିନ୍ତାପ୍ରକଟ କରିଛନ୍ତି । ନିଜର ଆକାର ଓ ଖାଦ୍ୟକୁ ନେଇ ଅନ୍ୟ ଜୀବଜନ୍ତୁଙ୍କ ତୁଳନାରେ ବହୁତ ଆଗରେ ରହିଥାଏ ବ୍ଲୁ ହ୍ୱେଲ । ତେବେ ମଣିଷ ପାଇଁ ଆଜି ଏହି ବୃହତ ଜୀବର ଜୀବନ ସଙ୍କଟ ଆଡ଼କୁ ଗତି କରୁଛି ବୋଲି ରିସର୍ଚ୍ଚରେ କୁହାଯାଇଛି ।

ରିସର୍ଚ୍ଚରେ କୁହାଯାଇଛି, ବ୍ଲୁ ହ୍ୱେଲ ଦୈନିକ ୧ କୋଟି ମାଇକ୍ରୋପ୍ଲାଷ୍ଟିକ ଖଣ୍ଡ ଖାଇଥାଏ । ଏହାର ଓଜନ ପାଖାପାଖି ୪୩.୫ କେଜି । ଏହି ଜୀବର ମୁହଁରେ ଏକ ଖାସ ଧରଣର ଫିଲ୍ଟର ଲାଗି ରହିଥାଏ, ଯାହାକୁ କି ବିଜ୍ଞାନ ଭାଷାରେ ବଲୀନ କୁହାଯାଇଥାଏ । ରିସର୍ଚ୍ଚର ଓ ଷ୍ଟେନଫୋର୍ଡ ୟୁନିଭରସିଟିର ଜଣେ ସାମୁଦ୍ରିକ ଜୀବବିଜ୍ଞାନୀଙ୍କ ମତରେ, ଏହି ଜୀବ ଅତ୍ୟଧିକ ପ୍ଲାଷ୍ଟିକ ଥିବା ସ୍ଥାନରେ ରୁହେ । ଯଦି ଭବିଷ୍ୟତରେ ପ୍ଲାଷ୍ଟିକ ପ୍ରଦୂଷଣ ବଢ଼େ, ତେବେ ତା’ର ଶରୀରକୁ ଦୈନିକ ୧୫ କୋଟି ମାଇକ୍ରୋପ୍ଲାଷ୍ଟିକର ଖଣ୍ଡ ପ୍ରବେଶ କରିବ ।

ଏହି ଜୀବର ଶରୀରରେ ଦୁଇ ପ୍ରକାରର ପ୍ଲାଷ୍ଟିକ ଖଣ୍ଡ ପହଞ୍ଚିଥାଏ । ପ୍ରଥମତଃ ସିଧାସଳଖ ଭାବେ ଓ ଦ୍ୱିତୀୟତଃ ଶିକାର ମାଧ୍ୟମରେ । ମାଛକୁ ଶିକାର କରିବା ସମୟରେ ତା’ର ଶରୀରକୁ ୯୯ ପ୍ରତିଶତ ମାଇକ୍ରୋପ୍ଲାଷ୍ଟିକ ପହଞ୍ଚିଥାଏ । କାଲିଫର୍ଣ୍ଣିଆର ଉପକୂଳବର୍ତ୍ତୀ ଅଞ୍ଚଳରେ ଏହି ରିସର୍ଚ୍ଚ କରାଯାଇଥିଲା । ବ୍ଲୁ ହ୍ୱେଲ ନିଜର ଖାଦ୍ୟ ଅନ୍ୱେଷଣରେ ସମୁଦ୍ରର ୧୬୫-୮୨୦ ଫୁଟ ଗଭୀରକୁ ଯାଇଥାଏ । ଯେଉଁ ସ୍ଥାନରେ ଅଧିକ ମାଇକ୍ରୋପ୍ଲାଷ୍ଟିକ ମିଳିଥାଏ ସେହି ସ୍ଥାନକୁ ସେ ଯାଇଥାଏ । ପ୍ଲାଷ୍ଟିକ କାରଣରୁ ତା’ର ଶରୀରର ବହୁତ କ୍ଷତି ଘଟିପାରେ ଓ ଭବିଷ୍ୟତରେ ଏହା ଭୟଙ୍କର ହୋଇପାରେ ।