fbpx

ବୋଲ୍‌ବମ୍‌ ଯାତ୍ରା: ଉତ୍ତରପ୍ରଦେଶରେ ’ହଁ’, ଉତ୍ତରାଖଣ୍ଡରେ ’ନା’

ଓଡ଼ିଶା ଭାସ୍କର ବ୍ୟୁରୋ: ମାସ ମଧ୍ୟରେ ଅନ୍ୟତମ ଶ୍ରେଷ୍ଠ ମାସ ହେଉଛି ଶ୍ରାବଣ। ଦେବ ଦେବ ମହାଦେବଙ୍କୁ ଏହି ମାସରେ ଅନେକ ସ୍ଥାନରେ ବଡ଼ ଆଗ୍ରହର ସହ ବିଶେଷ ଜଳଲାଗି କରାଯାଏ। ଆଉ ଏହି ମାସରେ ହିଁ ହୋଇଥାଏ ବୋଲବମ୍‌ ଯାତ୍ରା। କିନ୍ତୁ ମହାମାରୀ କୋଭିଡ୍‌ ସବୁ ବିଗାଡ଼ି ଦେଲା। ଏହାରି ଭିତରେ ଉତ୍ତର ପ୍ରଦେଶ ସରକାର ଯାତ୍ରାକୁ ହଁ ବୋଲି କହୁଥିବାବେଳେ ପଡ଼ୋଶୀ ଉତ୍ତରାଖଣ୍ଡ ସରକାର କହୁଛନ୍ତି ନା। ଏନେଇ ଦ୍ଵନ୍ଦ୍ଵ ଦେଖାଦେବା ପରେ ନିଜଆଡ଼ୁ ମାମଲା କରିଛନ୍ତି ସୁପ୍ରିମ୍‌ କୋର୍ଟ। ଆଉ ଶୁକ୍ରବାର ହେବ ଶୁଣାଣି।

ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ ଆର ଏଫ ନରିମନ୍ ଓ ଜଷ୍ଟିସ ବି ଆର ଗଭାଇଙ୍କ ଖଣ୍ଡପୀଠ ଏହି ପ୍ରସଙ୍ଗରେ ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡ ସରକାରଙ୍କୁ ନୋଟିସ କରିଛନ୍ତି । ସେହିପରି କେନ୍ଦ୍ର ସରକାରଙ୍କୁ ମଧ୍ୟ ନିଜ ପକ୍ଷ ରଖିବା ପାଇଁ ନୋଟିସ କରିଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ,  ଦେଶରେ କମିନି ମହାମାରୀ କରୋନା ସଂକ୍ରମଣ। ଏପରିକି ବିଶେଷଜ୍ଞ କହୁଛନ୍ତି ଆସିବ ତୃତୀୟ ଲହର। ଏହାକୁ ଏଡ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅଲ୍‌ ଇଣ୍ଡିଆ ମେଡିକାଲ୍‌ ଆସୋସିଏସନ୍‌ ପକ୍ଷରୁ ସତର୍କ କରାଯାଇଛି ଏବଂ ଗହଳି ନକରି କୋଭିଡ୍‌ କଟକଣା ମାନିବାକୁ ପରାମର୍ଶ ଦିଆଯାଇଛି। ଏଭଳି ସଂକଟଜନକ ସ୍ଥିତିରେ ବୋଲ ବମ୍‌ ଯାତ୍ରା ତଥା କାଉଡ଼ିଆଙ୍କୁ ଅନୁମତି ଦେବା ନେଇ ସରକାରଙ୍କ ମତ କଣ ବୋଲି ଜାଣିବାକୁ ଚାହିଛନ୍ତି କୋର୍ଟ।

ଏଠାରେ ସୂଚନାଯୋଗ୍ୟ ଯେ ଓଡ଼ିଶାରେ ଏହି ବୋଲ୍‌ ବମ୍‌ ଯାତ୍ରା ଉପରେ କଟକଣା ଲଗାଇଛନ୍ତି ସରକାର। ଚଳିତବର୍ଷ କାଉଡ଼ିଆମାନେ ବୋଲ ବମ୍‌ ଯାତ୍ରା କରିବାକୁ ସରକାର ବାରଣ କରିଛନ୍ତି। ଅନ୍ୟ କେତେକ ସ୍ଥାନରେ ମଧ୍ୟ ଲାଗିଛି ପ୍ରତିବନ୍ଧକ।

Get real time updates directly on you device, subscribe now.