(Video) ସାମ୍ବାଦିକଙ୍କ ସାହସକୁ ବିଶ୍ୱରେ ପ୍ରଶଂସା: ଭୂକମ୍ପରେ ଷ୍ଟୁଡିଓ କମ୍ପୁଥିଲା, ତଥାପି ଲାଇଭ୍ ଶୋ’ ଚାଲିଥିଲା

ନୂଆଦିଲ୍ଲୀ: ଗତକାଲି ଭାରତ ଓ ପାକିସ୍ତାନରେ ଭୟଙ୍କର ଭୂକମ୍ପ ଦେଖିବାକୁ ମିଳିଥିଲା । ଭାରତର ରାଜଧାନୀ ଦିଲ୍ଲୀରେ ଗତକାଲି ରାତି ପାଖାପାଖି ୧୦ଟା ସମୟରେ ୬.୬ ତୀବ୍ରତା ବିଶିଷ୍ଟ ଭୂକମ୍ପ ଅନୁଭୂତ ହୋଇଥିଲା । ସେହିପରି ପାକିସ୍ତାନର ଇସଲାମାବାଦରେ ଭୂକମ୍ପରେ ୯ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିବା ସହିତ ଶତାଧିକ ଆହତ ହୋଇଥିଲେ । ଆଫଗାନିସ୍ତାନର ହିନ୍ଦୁ କୁଶ ଅଞ୍ଚଳ ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିବା ବେଳେ ପାକିସ୍ତାନରେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୮ ରହିଥିଲା ।

ଏହି ଭୂକମ୍ପ ଲାହୋର, ଇସଲାମାବାଦ ରାୱଲପିଣ୍ଡି, କ୍ୱେଟା, ପେଶାୱାର, କୋହାଟ, ଲକ୍କୀ ମରବାତ ସହିତ ଦେଶର ଅନ୍ୟ କିଛି ଅଞ୍ଚଳରେ ଅନୁଭୂତ ହୋଇଥିଲା । ଦେଶର ବିଭିନ୍ନ ସ୍ଥାନରେ ଭୂକମ୍ପ ଝଟକା ଦେଖିବାକୁ ମିଳିଥିଲା । ଫଳରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟମନ୍ତ୍ରୀ ଅବଦୁଲ କାଦର ପଟେଲ ହସ୍ପିଟାଲରେ ଜରୁରୀକାଳୀନ ଆଲର୍ଟ ଘୋଷଣା କରିଥିଲେ । ୟୁଏସ ଜିୟୋଲୋଜିକାଲ ସର୍ଭେ ମୁତାବକ, ରାଜଧାନୀ ଦିଲ୍ଲୀ ସହିତ ଭାରତ ଓ ଆଫଗାନିସ୍ତାନର କିଛି ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା ।

ତେବେ ଏହା ମଧ୍ୟରେ ପାକିସ୍ତାନରୁ ଏକ ବଡ଼ ଦୃଶ୍ୟ ସାମ୍ନାକୁ ଆସୁଛି । ଭୂକମ୍ପ ସମୟରେ ନିଜର ଜୀବନକୁ ବାଜିରେ ଲଗାଇ କର୍ତ୍ତବ୍ୟକୁ ପ୍ରାଧାନ୍ୟ ଦେଇ ମାନବିକତାର ପ୍ରମାଣ ଦେଇଛନ୍ତି ଜଣେ ନୁଜ୍ ଆଙ୍କର । ଭୂକମ୍ପ ଝଟକାରେ ନ୍ୟୁଜ ଷ୍ଟୁଡିଓ ଥରୁଥିବା ବେଳେ ଅନ୍ୟମାନେ ଭୟରେ ଦୌଡ଼ିବାରେ ଲାଗିଥିଲେ । ମାତ୍ର ଏହି ସାମ୍ବାଦିକ ଜଣଙ୍କର ଏପରି ଅବସ୍ଥାରେ ମଧ୍ୟ ନ୍ୟୁଜ୍ ପରିବେଷଣ ଜାରି ରଖିଥିଲେ । ୩୧ ସେକେଣ୍ଡର ଏହି କ୍ଲିପ୍ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ପାକିସ୍ତାନର ପେଶାୱାର ସ୍ଥିତ ଏକ ଆଞ୍ଚଳିକ ନ୍ୟୁଜ୍ ଷ୍ଟୁଡିଓରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା । ସାମ୍ବାଦିକମାନେ ଅନେକ ସମୟରେ ଦୁର୍ଗମ ତଥା ବିପଜ୍ଜନକ ସ୍ଥାନରେ ନିଜ ଜୀବନକୁ ବାଜିରେ ଲଗାଇ ବିଶ୍ୱବାସୀଙ୍କ ନିକଟରେ ଖବର ପହଞ୍ଚାଇଥାନ୍ତି ।