fbpx
BJD SKY
BJD SKY

ପୁରୁଷଙ୍କୁ ସ୍ତନ କର୍କଟ ରୋଗ: ଲକ୍ଷଣ ଓ ଚିକିତ୍ସା ସମ୍ପର୍କରେ ଜାଣନ୍ତୁ…

BJD

ଓଡ଼ିଶା ଭାସ୍କର ବ୍ୟୁରୋ: ସାଧାରଣତଃ ମହିଳାଙ୍କ କ୍ଷେତ୍ରରେ ସ୍ତନ କର୍କଟ (ବ୍ରେଷ୍ଟ୍ କ୍ୟାନ୍ସର) ରୋଗ ହେବାର ଦେଖାଦେଇଥାଏ । ମହିଳାମାନେ ଏହି ରୋଗରେ ଶୀକାର ହୋଇଥିବାର ଅନେକ ଉଦାହରଣ ରହିଛି । କିନ୍ତୁ ପୁରୁଷଙ୍କୁ ମଧ୍ୟ କଣ ସ୍ତନ କର୍କଟ ରୋଗ ହୁଏ? ଏହା କେତେଦୂର ସତ? କର୍କଟରୋଗ ବିଶେଷଜ୍ଞଙ୍କ କହିବା ଅନୁସାରେ ପୁରୁଷ ମଧ୍ୟ ଏହି ରୋଗର ଶୀକାର ହୋଇପାରନ୍ତି ଏବଂ ଏହି କ୍ଷେତ୍ରରେ ସଚେତନତା ନହେବା ଖୁବ୍ ଅଧିକ ପରିଲକ୍ଷିତ ହୋଇଥାଏ । ଏଦିଗରେ ଖ୍ୟାତାନାମା କର୍କଟ ବିଶେଷଜ୍ଞ ତଥା ବରିଷ୍ଠ ମେଡିକାଲ୍ ଅଙ୍କୋଲୋଜିଷ୍ଟ୍ ଡା. ରାଧେଶ୍ୟାମ ନାଇକ ଗୁରୁତ୍ୱପୂର୍ଣ୍ଣ ମତ ପ୍ରକାଶ କରିଛନ୍ତି । ଆସନ୍ତୁ ଜାଣିବା ସେ କଣ କହୁଛନ୍ତି ଏ ସମ୍ପର୍କରେ:

ପୁରୁଷଙ୍କୁ ମଧ୍ୟ ସ୍ତନ କର୍କଟ ହୁଏ କି?

ହଁ, ମହିଳାଙ୍କ ଭଳି ପୁରୁଷ ମଧ୍ୟ ସ୍ତନ କର୍କଟର ଶୀକାର ହୁଅନ୍ତି । ତେବେ ମହିଳାଙ୍କ ଅପେକ୍ଷା ପୁରୁଷଙ୍କ କ୍ଷେତ୍ରରେ ଏହା ସ୍ତନର ଖୁବ୍ କମ୍ କୋଷକୁ ଆକ୍ରାନ୍ତ କରିଥାଏ । କିନ୍ତୁ ଶରୀର ଅନ୍ୟ ଅଙ୍ଗପ୍ରତ୍ୟେଙ୍ଗ ଭଳି ଏହା ଧୀରେ ଧୀରେ ସେଠାରେ ବୃଦ୍ଧି ପାଇଥାଏ । ଏହା ସାଧାରଣତଃ ଆକ୍ରାନ୍ତଙ୍କୁ ଧରାପଡ଼ିନଥାଏ ।

ପୁରୁଷଙ୍କୁ ସ୍ତନ କର୍କଟ ଆଶଙ୍କା କେତେ?

ସମସ୍ତ ସ୍ତନ କର୍କଟ ମଧ୍ୟରେ ପୁରୁଷଙ୍କ କ୍ଷେତ୍ରରେ ଏହା ୧ ପ୍ରତିଶତ । କିନ୍ତୁ ସେହି ୧%ଙ୍କୁ ମଧ୍ୟ ଉପଯୁକ୍ତ ଚିକିତ୍ସା କରିବା ଆବଶ୍ୟକ ରହିଛି । ନଚେତ୍ ଏହା ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ ।

ଲକ୍ଷଣ ସବୁ କଣ?

ସ୍ତନାଞ୍ଚଳରେ କ୍ଷୁଦ୍ର ମାଂସ ପିଣ୍ଡୁଳା ଦେଖାଦେବା ଓ ଧୀରେଧୀରେ ତାହା ବଢ଼ିବା ସହ ଅଲସର୍ ଆଡ଼କୁ ଗତି କରି ଦୁର୍ଗନ୍ଧ ହୋଇଥାଏ । ଏହା ହିଁ ସାଧାରଣତଃ ପୁରୁଷଙ୍କୁ ବ୍ରେଷ୍ଟ୍ କ୍ୟାନ୍ସର୍ ହେବାର ପ୍ରାଥମିକ ଲକ୍ଷଣ । ଯେକୌଣସି ଲକ୍ଷଣ ଜାଣିବା କ୍ଷଣି ତୁରନ୍ତ ଚିକିତ୍ସା କରିବା ସର୍ବୋତ୍ତମ ଉପାୟ ।

ଏହି ରୋଗ କଣ ବଂଶାନୁକ୍ରମିକ?

ଯଦିଓ ଏହା ବଂଶାନୁକ୍ରମିକ ରୋଗ ନୁହେଁ, ତେବେ ପୂର୍ବରୁ ବଂଶରେ କେହି ସ୍ତନ କର୍କଟରେ ଆକ୍ରାନ୍ତ ଥିଲେ ଜଣଙ୍କ କ୍ଷେତ୍ରରେ ଏହି ରୋଗ ଉତ୍ପନ୍ନ ହେବାର ଆଶଂକା ରହିଥାଏ । କିନ୍ତୁ ଜଣଙ୍କ ମା’ ଯଦି ସ୍ତନ କର୍କଟରେ ଶୀକାର ହୋଇଥିବେ ତେବେ ସମ୍ପୃକ୍ତ ପୁରୁଷଙ୍କୁ ଏହି ରୋଗ ଆକ୍ରାନ୍ତ ହେବାର ଅଧିକ ଆଶଂକା ରହିଥାଏ । ମୋଟାମୋଟି ଭାବେ ଏଥିପ୍ରତି ଜଣେ ଭୟଭୀତ ନହୋଇ ସତର୍କ ରହିବା ବିଧେୟ ।

ଆଉ କେଉଁ କାରଣ ଦାୟୀ?

ପାରିବାରିକ ଇତିହାସକୁ ବାଦ ଦେଲେ ବ୍ରେଷ୍ଟ୍ କ୍ୟାନ୍ସର ଜିନ୍ (ବିଆରସିଏ) ମ୍ୟୁଟେସନ୍ ପଜିଟିଭ୍ ଥିବା ବ୍ୟକ୍ତିବିଶେଷ ଏଥିପ୍ରତି ଅଧିକ ସତର୍କ ରହିବା ଦରକାର । କାରଣ ଏଭଳି କ୍ଷେତ୍ରରେ କ୍ୟାନ୍ସର୍ ବୃଦ୍ଧି କରିବାର ଆଶଂକା ଅଧିକ ରହିଥାଏ । କିନ୍ତୁ ଏଭଳି ମ୍ୟୁଟେସନ୍ ବ୍ଲଡ୍ ଟେଷ୍ଟ୍ ଦ୍ୱାରା ହିଁ ଜଣାପଡ଼ିଥାଏ ଏବଂ ଖୁୁବ୍ ବିରଳ ଦେଖାଦେଇଥାଏ ।

କେଉଁମାନଙ୍କ ପାଇଁ ଏହା ଅଧିକ ବିପଦ?

ମଧ୍ୟମ ବୟସ ବର୍ଗର ବ୍ୟକ୍ତି ବିଶେଷ ଯଥା ୪୦ରୁ ୬୦ ବର୍ଷ ବୟସ୍କଙ୍କ କ୍ଷେତ୍ରରେ ସ୍ତନ କର୍କଟ ହେବାର ଅଧିକ ଆଶଂକା ରହିଛି । ଜାଇନେକୋମାଷ୍ଟିଆ ନାମକ ଏକ କୋଷିକା ସ୍ତନଗ୍ରନ୍ଥୀରେ ବୃଦ୍ଧି ପାଇଥାଏ । ଏଥିସହ ପାରିବାରିକ ଇତିହାସ ଓ ଖରାପ ଜୀବନ ଶୈଳୀ ମଧ୍ୟ ସ୍ତନ କର୍କଟ ଭଳି ରୋଗ ବୃଦ୍ଧିର ଏକ କାରଣ ହୋଇପାରେ।

ଏଥିପାଇଁ କଣ ଚିକିତ୍ସା ରହିଛି?

କେମୋଥେରାପି ସହିତ ଅସ୍ତ୍ରୋପଚାର ଜରିଆରେ କର୍କଟ କୋଷଗୁଡ଼ିକୁ ବାହାର କରାଯାଇପାରିବ । ଏଥିସହ ରେଡିଅସନ୍ ଥେରାପି ଓ ହର୍ମୋନ୍ ଥେରାପି ହେଉଛି ପୁରୁଷଙ୍କ ସ୍ତନ କର୍କଟ ରୋଗର ଚିକିତ୍ସା ପଦ୍ଧତି । ସମ୍ପୂର୍ଣ୍ଣ ଉପଷମ ହେବା ପର୍ଯ୍ୟନ୍ତ ଏଭଳି ଚିକିତ୍ସା ପ୍ରଣାଳୀ ଆପଣାଇବାକୁ ପଡ଼ିବ ।

ସ୍ତନରୁ ଏହା ଅନ୍ୟ ଅଙ୍ଗକୁ ବ୍ୟାପେ କି?

ନିଶ୍ଚିତ ଭାବେ । ସାଧାରଣତଃ ଅନେକ ରୋଗୀ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ କର୍କଟସ୍ତର ବେଳକୁ ମେଡିକାଲ ପହଞ୍ôଚ ଥାଆନ୍ତି । ସେତେବେଳକୁ ଏହି ରୋଗ ବେକ, ଛାତି, ଲିଭର୍, ଲଙ୍ଗ୍ସ ଆଦି ପଡ଼ୋଶୀ ଅଙ୍ଗପ୍ରତ୍ୟେଙ୍ଗକୁ ବ୍ୟାପି ସାରିଥାଏ । ଏପରିକି କେତେକ କ୍ଷେତ୍ରରେ କ୍ୟାନ୍ସର୍ ମସ୍ତିଷ୍କକୁ ମଧ୍ୟ ବ୍ୟାପି ଯାଇଥାଏ ।

ଏଥିରୁ ପୁରୁଷ କିଭଳି ସୁରକ୍ଷିତ ରହିବେ?

ଉତ୍ତମ ତଥା ସ୍ୱାସ୍ଥ୍ୟକର ଜୀବନଶୈଳୀ ଆପଣାଇବାକୁ ହେବ । ଯେପରିକି କୌଣସି ରୋଗର ଶୀକାର ନହେବା, ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦେବାକୁ ହେବ । ତେବେ ଲକ୍ଷଣ ଜଣାପଡ଼ିବା କ୍ଷଣି ତୁରନ୍ତ ଚିକିତ୍ସା କରାଇନେଲେ ଜୀବନ ସୁରକ୍ଷିତ ରହିପାରିବ । ସ୍ତନରେ କୌଣସି ପରିବର୍ତ୍ତନ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ । ହେୟ ଜ୍ଞାନ ମନେ କରିବା ଓ ଚୁଟକା ଔଷଧ ଖାଇ ରହିଯିବା ଜଣଙ୍କ ପାଇଁ ସାଂଘାତିକ ସାବ୍ୟସ୍ତ ହୋଇପାରେ ।

Breast Cancer in Male

Get real time updates directly on you device, subscribe now.