ଭାଙ୍ଗିଲା ବାଉଁଶ ପୋଲ, ୭ଦିନ ହେଲା ଯୋଗାଯୋଗ ବିଚ୍ଛିନ୍ନ, ଲୋକେ ହନ୍ତସନ୍ତ

ରଘୁନାଥପୁର (ଭାସ୍କର ନ୍ୟୁଜ୍‌): ହଂସୁଆ ନଦୀରେ ବରଡାଗେଞ୍ଜ ବାଉଁଶ ପୋଲଟି ଆଜକୁ ୭ଦିନ ହେଲା ଭାଙ୍ଗି ପଡିବା ଫଳରେ ଯୋଗାଯୋଗ ବିଭିନ୍ନ ହୋଇପଡିଛି । ବରଡାଗେଞ୍ଜ ଗ୍ରାମର ଲୋକମାନେ ଘରୁ ବାହାରି ପାରୁନାହଁନ୍ତି । ପ୍ରକାଶଥାଉକି, ରଘୁନାଥପୁର ବ୍ଲକ ଅନ୍ତର୍ଗତ ଗୁଆଳି ପୁର ପଂଚାୟତର ହଂସୁଆ ନଦୀ ଉପରେ ବରଡାଗେଞ୍ଜ ଗ୍ରାମବାସୀମାନେ ନିଜସ୍ୱ ଉଦ୍ୟମରେ ଏକ ବାଉଁଶ ପୋଲ ନିର୍ମାଣ କରି ଏହି ପୋଲ ଉପରେ ପ୍ରତିଦିନ ଛାତ୍ରଛାତ୍ରୀ, ଅଙ୍ଗନୱାଡି ଛୋଟ ଛୋଟ ପିଲା ବିଦ୍ୟାଳୟକୁ ଯିବା ସହିତ ଲୋକମାନେ ବଜାର, ହାଟ, ମେଡିକାଲ ଓ ଚାଷ ନିମନ୍ତେ ହଂସୁଆ ଆରପଟକୁ ଯାତାୟତ କରିଥାଆନ୍ତି । ମାତ୍ର ଏହି ପୋଲଟି ଭାଙ୍ଗି ପଡିବାରୁ ଲୋକମାନେ ଘରୁ ବାହାରକୁ ବାହାରି ପାରୁନାହାଁନ୍ତି ।

ଏଠାରେ ସୂଚନାଯୋଗ୍ୟ ହଂସୁଆ ନଦୀର ବରଡାଗଞ୍ଜ ଠାରେ ଏକ ପୋଲ ନିର୍ମାଣ ନିମନ୍ତେ ୨୦୦୯ ମସିହା ଫେବୃୟାରୀ ମାସ ୨୪ତାରିଖରେ ତତ୍‌କାଳୀନ ବିଧାୟକ ତଥା ବର୍ତ୍ତମାନର ମନ୍ତ୍ରୀ ପ୍ରତାପ ଜେନା ଭିତ୍ରିସ୍ତର ସ୍ଥାପନ କରିଥିଲେ । ୪ଜଣ ବିଧାୟକ ଓ ୪ଜଣ ସାଂସଦଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲେ ମଧ୍ୟ ଏଠାରେ ଏକ ଢଳେଇ ପୋଲ ନିର୍ମାଣ କରାଯାଇପାରିନାହିଁ । ୨୦୨୧ମସିହା ଅକ୍ଟୋବର ମାସ ୧ତାରିଖରେ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଓ ପଂଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା, ଡ୍ରେନେଜ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କୁ ଏଠାରେ ଢଳେଇ ପୋଲ ନିର୍ମାଣ ନିମନ୍ତେ ଚିଠି କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ କରାଯାଇନାହିଁ । ବରଡାଗଞ୍ଜ ଗ୍ରାମର ଲୋକାମାନେ ବାଧ୍ୟହୋଇ ନିଜନିଜ ମଧ୍ୟରେ ଅର୍ଥ ଆଦାୟ କରି ହଂସୁଆ ନଦୀ ଉପରେ ଏକ ବାଉଁଶ ପୋଲ ନିର୍ମାଣ କରି ଯାତାୟତ କରୁଥିଲେ । ଏହି ପୋଲଟି ୭ଦିନ ହେଲା ଭାଙ୍ଗି ପଡିଛି । ଏଠାରେ ଏକ ପୋଲ ନିର୍ମାଣ ନିମନ୍ତେ ଆଜକୁ ୨୨ବର୍ଷ ହେଲା ଗୁଆଳି ପୁର ପଂଚାୟତର ପୂର୍ବତନ ସମିତିସଭ୍ୟ ତଥା ଜିଲ୍ଲା କୃଷକ ସଂଗଠନ ସହ ସମ୍ପାଦକ ଅଭୟ କୁମାର ସାମନ୍ତରାୟ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସମସ୍ତ କର୍ତୃକ୍ଷଙ୍କ ଠାରେ ମନ୍ତ୍ରୀ, ବିଧାୟକ, ସାଂସଦଙ୍କୁ ଭେଟି ବାରମ୍ବାର ଏଠାରେ ପୋଲ ନିର୍ମାଣ ନିମନ୍ତେ ଦାବି କରି ଆସୁଥିଲେ ମଧ୍ୟ ସରକାର ଏଥ୍ରିତି ଦୃଷ୍ଟି ଦେଉନାହାଁନ୍ତି । ହଂସୁଆ ନଦୀର ବରଡାଗଞ୍ଜ ଠାରେ ତୁରନ୍ତ ପୋଲ ନିର୍ମାଣ କରାନଗଲେ ଆଗାମୀ ପଂଚାୟତ ନିର୍ବାଚନ ଭୋଟ ବର୍ଜନ କରିବେ ବୋଲି ଏହି ଗ୍ରାମର ଶଙ୍କର ଭୋଇ, ବଳରାମ ରଥ, ରାମଚନ୍ଦ୍ର ବେହେରା, ପମା ଭୋଇ, ସୁଶାନ୍ତ ଭୋଇ, ଚନ୍ଦ୍ରମଣି ଭୋଇ, ସୁନାକର ଭୋଇ, ଜଗୁ ଭୋଇ, ରାଜୁ ଦାସ, ବର୍ଜୁ ଦାସ, ଫୁଲ ବେୱା, ରମାକାନ୍ତ ବେହେରା, ଦାଶୀରଥି ଭୋଇ, ଭାଗ୍ୟଧର ରଥ, ଜଗବନ୍ଧୁ ରଥ ପ୍ରମୁଖ ଶତାଧିକ ଗ୍ରାମବାସୀ ଘୋଷଣା କରିଛନ୍ତି ।