fbpx

କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି ଘୋଷଣା: ସେପ୍ଟେମ୍ବର ପହିଲାରୁ ଲାଗୁ ହେବ ନୂଆ ଦର

ନୂଆଦିଲ୍ଲୀ: ବିଭିନ୍ନ ସାମଗ୍ରୀର ଦରବୃଦ୍ଧିକୁ ନେଇ ଗ୍ରାହକମାନେ ହନ୍ତସନ୍ତ ହେଉଥିବା ବେଳେ ଏହା ମଧ୍ୟରେ ଆସିଛି ପୁଣି ଏକ ବଡ଼ ଖବର । କ୍ଷୀର ମହଙ୍ଗା ହୋଇଛି । କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି ହୋଇଛି । କ୍ଷୀରର ଏହି ବର୍ଦ୍ଧିତ ଦର ସେପ୍ଟେମ୍ବର ପହିଲାରୁ ଲାଗୁ ହେବ । ମୁମ୍ବାଇ କ୍ଷୀର ଉତ୍ପାଦନକାରୀ ସଂଘ (ଏମଏମପିଏ) ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ମଇଁଷି କ୍ଷୀରକୁ ନେଇ ଏହି ନୂଆ ଦର ଲାଗୁ କରାଯାଇଛି । ଏହି ଦର ବୃଦ୍ଧି ଆସନ୍ତା ୬ ମାସ ପର୍ଯ୍ୟନ୍ତ କାଏମ୍ ରହିବ ବୋଲି କୁହାଯାଇଛି । ଅନ୍ୟପକ୍ଷରେ ରିଟେଲରମାନଙ୍କ ପାଇଁ ଦର ଲିଟର ପିଛା ପାଖାପାଖି ୯୩ରୁ ୯୮ ଟଙ୍କା ପର୍ଯ୍ୟନ୍ତ ଯାଇପାରେ ବୋଲି କୁହାଯାଇଛି ।

ତେବେ ମଇଁଷି କ୍ଷୀରର ଏହି ବର୍ଦ୍ଧିତ ଦର ସେପ୍ଟେମ୍ବର ମାସ ୧ ତାରିଖରୁ ମୁମ୍ବାଇରେ ଲାଗି ହେବ । ପୂର୍ବରୁ ମଇଁଷି କ୍ଷୀର ଲିଟର ୮୭ ଟଙ୍କା ରହିଥିବା ବେଳେ ଏବେ ତାହା ୮୯ ଟଙ୍କା ହୋଇଯାଇଛି । ଆସନ୍ତାମାସ ପହିଲାରୁ ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼ ହେବ । ଗ୍ରାହକମାନେ ମଇଁଷି କ୍ଷୀର ଅଧିକ ଦୁଇ ଟଙ୍କା ଦେଇ କିଣିବେ । ତେବେ କ୍ଷୀର ଦର ବୃଦ୍ଧି ଘୋଷଣା ହେବା ଫଳରେ ଆସନ୍ତା କିଛି ମାସରେ ପାଳିତ ହେବାକୁ ଥିବା ଗଣେଶ ଉତ୍ସବ, ନବରାତ୍ରି ଓ ଦିପାବଳୀରେ ବିଭିନ୍ନ ପ୍ରକାରର କ୍ଷୀର ଓ କ୍ଷୀରଜାତ ସାମଗ୍ରୀ ମହଙ୍ଗା ହେବାର ସମ୍ଭାବନା ସୃଷ୍ଟି ହୋଇଛି ।

Get real time updates directly on you device, subscribe now.