fbpx

ଇଂରେଜ ସେନା ଉପରେ ‘ବୁମରାହ ଆଟାକ୍’: ୨୫୩ ରନରେ ଅଟକିଲା ଇଂଲଣ୍ଡ ଟିମ୍

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଦମଦାର କମବ୍ୟାକ କରିଛି ଟିମ ଇଣ୍ଡିଆ । ପ୍ରଥମ ଟେଷ୍ଟ ପରାଜୟର ପ୍ରତିଶୋଧ ନେବା ପାଇଁ ମଞ୍ଚ ପ୍ରସ୍ତୁତ କରିସାରିଛି ରୋହିତ ସେନା । ୟର୍କର କିଙ୍ଗ ଜଶପ୍ରୀତ ବୁମରାହଙ୍କ ଭୟଙ୍କର ବୋଲିଂରେ ମ୍ୟାଚର ଦ୍ୱିତୀୟ ଦିନରେ ବ୍ୟାକଫୁଟକୁ ଠେଲି ହୋଇ ଯାଇଛି ଇଂଲଣ୍ଡ । ଦ୍ୱିତୀୟ ଟେଷ୍ଟରେ ବୁମରାହଙ୍କ ୬ଟି ୱିକେଟ ସ୍ପେଲ ଇଂଲଣ୍ଡକୁ ମାତ୍ର ୨୫୩ ରନରେ ଅଟକାଇ ଦେଇଛି । ତେବେ ଏହାସହିତ ଇଂଲଣ୍ଡ ଉପରେ ୧୭୧ ରନରେ ଅଗ୍ରଣୀ ରହିଛି ଭାରତୀୟ ଦଳ ।

ଭାରତର ପ୍ରଥମ ଇନିଂସରେ ଯଶସ୍ୱୀ ଜଏସ୍ୱାଲଙ୍କ ଦମଦାର ଦ୍ୱିଶତକ ସହ ଭାରତ ୩୯୬ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ଇଂଲଣ୍ଡ ଆଗକୁ ପାଦ ବଢାଉଥିବା ବେଳେ ବୁମରାହ ଦଳ ପାଇଁ କାଳ ପାଲଟିଛନ୍ତି । ଇଂଲଣ୍ଡ ବିପକ୍ଷରେ ୬ଟି ୱିକେଟ ଅକ୍ତିଆର କରି ଇଂଲଣ୍ଡକୁ ମାତ୍ର ୨୫୩ ରନରେ ଅଲଆଉଟ କରିଛି ଭାରତର ବୋଲିଂ ବିଭାଗ । ୧୬ ଓଭରରୁ କମ୍ ବୋଲିଂ କରି ମାତ୍ର ୪୫ ରନ୍ ଦେଇଥିବା ବେଳେ ୬ଟି ମୂଲ୍ୟବାନ୍ ୱିକେଟ ହାସଲ କରିଛନ୍ତି ବୁମରାହ । ଏହା ଭିତରେ ଅଧିନାୟକ ବେନ୍ ଷ୍ଟୋକ୍ସ ଏବଂ ପ୍ରଥମ ମ୍ୟାଚର ଶତକବୀର ଓଲି ପୋପ୍ ମଧ୍ୟ ବୁମରାହଙ୍କ ଶିକାର ହୋଇଛନ୍ତି । ଦ୍ୱିତୀୟ ଦିନର ଟି ବ୍ରେକ ସୁଦ୍ଧା ଇଂଲଣ୍ଡର ସ୍କୋର ୪ ୱିକେଟ ହରାଇ ୧୫୫ ରନ୍ ସଂଗ୍ରହ କରିଥିଲା । କିନ୍ତୁ ଶେଷ ସେଶନରେ ଭାରତ ୬ ୱିକେଟ ହାସଲ କରିବାରେ ସଫଳ ହୋଇଛି । ଫଳରେ ଇଂଲଣ୍ଡ ମୋଟ ୧୫୩ ରନ୍ କରି ଅଲଆଉଟ ହୋଇଛି ।

ବୁମରାହଙ୍କ ବ୍ୟତୀତ ଷ୍ଟାର ବୋଲର କୁଳଦୀପ ଯାଦବ ୩ଟି ୱିକେଟ ହାସଲ କରିଥିବା ବେଳେ ଅଲରାଉଣ୍ଡର ଅକ୍ଷର ପେଟଲ ଗୋଟିଏ ସଫଳତା ପାଇଛନ୍ତି । ତେବେ ମୁକେଶ କୁମାର ଏବଂ ଏବଂ ରବିଚନ୍ଦ୍ରନ ଅଶ୍ୱୀନ ଏହି ଇନିଂସରେ ଖାଲି ହାତରେ ଫେରିଛନ୍ତି । ଇଂଲଣ୍ଡ ପକ୍ଷରୁ ଓପନର ଜ୍ୟାକ କ୍ରଲୀ ୭୬ ଏବଂ ଅଧିନାୟକ ବେନ୍ ଷ୍ଟୋକ୍ସ ୪୭ ରନ୍ ସଂଗ୍ରହ କରିଛନ୍ତି । ଏହାପରେ ଭାରତ ଦ୍ୱିତୀୟ ଇନିଂସ ଆରମ୍ଭ କରି ୨୮ ରନ୍ ସଂଗ୍ରହ କରିଛି । ଇଂଲଣ୍ଡକୁ ଅଲଆଉଟ କରିବା ପରେ ଭାରତ ଦ୍ୱିତୀୟ ଇନିଂସର ରନ୍ ସହ ମୋଟ ୧୪୩ ରନର ଅଗ୍ରଣୀ ହାସଲ କରିଛି ।

Get real time updates directly on you device, subscribe now.