fbpx

ନାଗରିକତା ସଂଶୋଧନ ଆଇନ ନିଶ୍ଚିତ ଲାଗୁ ହେବ: ଅମିତ ଶାହା

ନୂଆଦିଲ୍ଲୀ, ୧୭ା୧୨: ନାଗରିକତା ସଂଶୋଧନ ଆଇନକୁ ନେଇ କେତେକ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଇଥିବା ଦେଖାଦେଇଛି । ଏହି ପ୍ରସଙ୍ଗରେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଆଇନକୁ ବିରୋଧ ରାଜନୈତିକ । ନାଗରିକତା ସଂଶୋଧନ ଆଇନକୁ ନେଇ ସରକାର ବଦ୍ଧପରିକର ବୋଲି ଶାହା କହିଛନ୍ତି । ଏହାସହ ଶରଣାର୍ଥୀଙ୍କୁ ନାଗରିକତା ନିଶ୍ଚିତ ଦିଆଯିବ ବୋଲି ମଧ୍ୟ ସେ କହିଛନ୍ତି । ବିରୋଧୀ ଦଳ ଏନେଇ ଯେତେ ବିରୋଧ କଲେ ବି ସରକାର ନିଷ୍ପତ୍ତିରେ ଅଟଳ । ଯେଉଁମାନେ ଏହି ଆଇନକୁ ବିରୋଧ କରୁଛନ୍ତି , ୱେବସାଇଟରେ ଏହି ଆଇନକୁ ପଢ଼ନ୍ତୁ । ସେପଟେ ବିରୋଧୀ ଦଳ ନେତା ମିଶି ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି । ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ ୧୬ଦଳର ପ୍ରତିନିଧି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି । ନାଗରିକତା ସଂଶୋଧନ ଆଇନରେ ହସ୍ତକ୍ଷେପ କରିବା ପାଇଁ ରାଷ୍ଟ୍ରପତିଙ୍କୁ ସେମାନେ ଭେଟିଛନ୍ତି ।

ନାଗରିକତା ସଂଶୋଧନ ଆଇନକୁ ନେଇ ଦିଲ୍ଲୀ ଜାଫରାବାଦ, ସିଲମପୁରରେ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଆସାମ ଓ ତ୍ରିପୁରାରେ ମଧ୍ୟ ବିକ୍ଷୋଭ ଓ ହିଂସା କାଣ୍ଡ ଦେଖା ଦେଇଛି । ଚାରିଆଡ଼େ ଭଙ୍ଗାରୁଜା ସାଙ୍ଗକୁ ପୋଡ଼ାଜଳା ମଧ୍ୟ ହୋଇଛି ।

ଏହି ବିଲ୍ ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଙ୍ଗଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ୍, ଖ୍ରୀଷ୍ଟିଆନ, ପାର୍ସୀ ଓ ଜୈନ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବ । କିନ୍ତୁ ସେଥିରେ ମୁସଲିମ ମାନଙ୍କୁ ନାଗରିକତା ଦିଆଯିବ ନାହିଁ ।

ଉଲ୍ଲେଖଯୋଗ୍ୟ ଯେ ନାଗରିକତା ସଂଶୋଧନ ବିଲ ଲୋକସଭାରେ ବହୁ ମତରେ ପାରିତ ହେବା ପରେ ରାଜ୍ୟସଭାରେ ମଧ୍ୟ ବହୁ ତର୍କ ବିତର୍କରେ ପରେ ମଧ୍ୟ ବିଲଟି ପାସ ହୋଇଥିଲା । ନାଗରିକତା ସଂଶୋଧନ ବିଲ ଉପରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ମୋହର ମାରିବା ପରେ ତାହା ଆଇନରେ ପରିଣତ ହୋଇଯାଇଛି । ଏନେଇ କେତେକ ଜାଗାରେ ଅସନ୍ତୋଷ ସହ ଅଶାନ୍ତି ମଧ୍ୟ ଦେଖା ଦେଇଛି ।

Get real time updates directly on you device, subscribe now.