fbpx
BJD SKY
BJD SKY

ରଥଯାତ୍ରା ପରେ ବଦଳିବ ନବୀନଙ୍କ ଟିମ୍, ମନ୍ତ୍ରିମଣ୍ଡଳରୁ ହଟିବେ କିଛି ବରିଷ୍ଠ ନେତା

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ୍ ପରିବର୍ତ୍ତନ ପରେ ଏବେ ସମସ୍ତଙ୍କ ଫୋକସ ରହିଛି ରାଜ୍ୟ ଉପରେ । ପୂର୍ବରୁ ରାଜ୍ୟ ମନ୍ତ୍ରିମଣ୍ଡଳର ପରିବର୍ତ୍ତନ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଙ୍କେତ ଦେଇଥିଲେ ବୋଲି ଚର୍ଚ୍ଚା ହେଉଛି । ତେବେ ରଥଯାତ୍ରା ପରେ ନବୀନଙ୍କ ନୂଆ ଟିମ୍ ଗଠନ ହେବ । ତେଣୁ ଏହି ଖବରକୁ ନେଇ ଦଳର ନେତାଙ୍କ ମଧ୍ୟରେ ଛନକା ପଶିଯାଇଛି । କାରଣ ମୋଦୀଙ୍କ ଟିମରୁ ଯେପରି ବହୁ ବରିଷ୍ଠଙ୍କୁ ବିଦା କରାଗଲା, ସେହିପରି ନବୀନଙ୍କ ଟିମରୁ ମଧ୍ୟ କିଛି ହେଭିୱେଟ୍ ବିଦା ହୋଇପାରନ୍ତି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ଯଦି ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ହେବ ତେବେ କେଉଁମାନଙ୍କୁ ସ୍ଥାନ ଦିଆଯିବ । ସବୁ ନେତାଙ୍କ ନଜର ଏବେ ନବୀନ ନିବାସର ସିଗନାଲ ଉପରେ । କାହାକୁ ଦାୟିତ୍ୱ ଦିଆଯିବ, କେଉଁ ଆଧାରରେ ମନ୍ତ୍ରିପଦ ମିଳିବ, ଏଭଳି ଅନେକ ପ୍ରଶ୍ନ ଦଳୀୟ ମହଲରେ ଆଲୋଚନା ହେଉଛି । ହାତୀ ନବାଗତଙ୍କ ମୁଣ୍ଡରେ ସୁନା କଳସ ଢାଳିବ କି ପୁରୁଖାଙ୍କୁ ଅଣଦେଖା କରିବ, ତାହା କେବଳ ସୁପ୍ରିମୋ ନବୀନ ହିଁ ଜାଣନ୍ତି । ତେବେ ଗତ ୨୦୧୯ ବିଧାନସଭା ନିର୍ବାଚନରେ ବୃହତ ବିଜୟ ସହ ସରକାର ଗଠନ କରିଥିବା ବିଜେଡିରେ ୧୧ ଜଣ କ୍ୟାବିନେଟ ମନ୍ତ୍ରୀ ଓ ୯ ଜଣ ରାଷ୍ଟ୍ରମନ୍ତ୍ରୀ ସ୍ଥାନ ପାଇଥିଲେ । ସେତେବେଳେ ପ୍ରଥମ ଥର ପାଇଁ ୧୦ ଜଣ ନୂଆ ଚେହେରାଙ୍କୁ ନବୀନ ସ୍ଥାନ ଦେଇ ସମସ୍ତଙ୍କୁ ଚକିତ କରିଦେଇଥିଲେ । ସେତେବେଳେ ବହୁ ବରିଷ୍ଠ ଆଶାୟୀ ନିଜକୁ ଅଣଦେଖା ମନେକରିଥିଲେ ।

ନବୀନଙ୍କ ପଞ୍ଚମ ପାଳିକୁ ଇତିମଧ୍ୟରେ ଦୁଇବର୍ଷ ଅତିକ୍ରାନ୍ତ ହୋଇଯାଇଥିବାରୁ ବର୍ତ୍ତମାନ ସୁଦ୍ଧା କୌଣସି ମନ୍ତ୍ରୀଙ୍କୁ ନେଇ ସେଭଳି ଗୁରୁତର ଅଭିଯୋଗ ଆସିନାହିଁ । ଏପରିକି କରୋନା କାଳରେ ଦଳର ସମସ୍ତ ମନ୍ତ୍ରୀ ନିଜର କାର୍ଯ୍ୟ ସୁଚାରୁରୂପେ ତୁଲାଇଥିବା ଦେଖିବାକୁ ମିଳିଛି । ତେବେ ଆଗକୁ ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ହେବାକୁ ଥିବାରୁ ତାହାକୁ ଦୃଷ୍ଟିରେ ରଖି ମନ୍ତ୍ରିମଣ୍ଡଳର ନବେକଳେବର କରାଯିବ ବୋଲି କୁହାଯାଉଛି । ତେବେ ଦଳ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରିଆସୁଥିବା କିଛି ନେତାଙ୍କୁ ଦାୟିତ୍ୱ ମିଳିପାରେ । ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନାଁ ଏନେଇ ଚର୍ଚ୍ଚା ହେଉଛି । ସେହିପରି ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଦେବ, ଦେବୀ ମିଶ୍ର, ପ୍ରମିଳା ମଲ୍ଲିକ, ବଦ୍ରିନାରାୟଣ ପାତ୍ର, ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରଦୀପ ଅମାତ, ଚନ୍ଦ୍ରସାରଥୀ ବେହେରା ଆଦିଙ୍କ ନାମ ମଧ୍ୟ ଶୁଣିବାକୁ ମିଳୁଛି । ବିଜେପିକୁ ଘେରିବା ଲକ୍ଷ୍ୟ ନେଇ ତଥା ସଂଗଠନକୁ ଦୃଢ଼ କରିବା ପାଇଁ ପଶ୍ଚିମ ଓଡ଼ିଶାର କିଛି ନେତାଙ୍କୁ ମଧ୍ୟ ସ୍ଥାନ ମିଳିପାରେ । ତେବେ ସର୍ବଦା ନିଜସ୍ୱ ଷ୍ଟାଇଲରେ ପରିଚାଳିତ ହୋଇ ସଭିଙ୍କୁ ଚକମା ଦେଇଆସିଥିବା ନବୀନ ଏଥର କ’ଣ ନିଷ୍ପତ୍ତି ନେବେ, ତାହା ଆଉ କିଛିଦିନ ପରେ ଜଣାପଡ଼ିବ ।

Get real time updates directly on you device, subscribe now.