fbpx

ସଂକ୍ରମିତ ବ୍ୟକ୍ତିର ଆଖିକୁ ଚାହିଁଦେଲେ କ’ଣ ବ୍ୟାପିଥାଏ ଆଖିଧରା ରୋଗ? ଡାକ୍ତର କ’ଣ କହୁଛନ୍ତି ଆସନ୍ତୁ ଜାଣିବା

Advertisement

ନୂଆଦିଲ୍ଲୀ: ଦେଶରେ ଏବେ ଆଖିଧରା ରୋଗ ଭୀଷଣ ମାତ୍ରାରେ ବ୍ୟାପିବାରେ ଲାଗିଛି । ପରିସ୍ଥିତି ଏପରି ହୋଇଛି ଯେ, ବହୁ ରାଜ୍ୟରେ ଏହି ରୋଗର ସଂକ୍ରମଣକୁ ଲକ୍ଷ୍ୟ କରି ସ୍କୁଲ ବନ୍ଦ କରି ଦିଆଯାଇଛି । କାରଣ ଆଖିଧରା ରୋଗ ବିଶେଷ ଭାବରେ ପିଲାଙ୍କ କ୍ଷେତ୍ରରେ ଦେଖାଯାଉଛି । ଏହି ରୋଗରେ ଲୋକଙ୍କ ଆଖି ଲାଲ ପଡିଯାଏ ଓ କୁଣ୍ଡାଇ ହୁଏ । ଏହା ସହିତ ଆଖିରୁ ପାଣି ବାହାରିଥାଏ । ଏହି ସମୟରେ ଆଲୁଅକୁ କିମ୍ବା ଖରାକୁ ଚାହିଁବାରେ ସମସ୍ୟା ହୋଇଥାଏ । ତେବେ ଏହି ରୋଗ ବଢୁଥିବା ବେଳେ ବହୁ ଲୋକଙ୍କ ମନରେ ଧାରଣା ରହିଛି ଯେ, ସଂକ୍ରମିତ ଲୋକଙ୍କ ଆଖିକୁ ଚାହିଁବା ଦ୍ୱାରା ଏହି ରୋଗ ବ୍ୟାପିଥାଏ ବୋଲି । ତେବେ ଏହାର ସତ୍ୟତା କେତେ ରହିଛି ଆସନ୍ତୁ ଜାଣିବା ।

ଡାକ୍ତରଙ୍କ କହିବା ଅନୁଯାୟୀ ଆଖି ଧରା ଏକ ଭାଇରାଲ୍ ସଂକ୍ରମଣ ଯାହା ଦ୍ରୁତ ଗତିରେ ବ୍ୟାପିଥାଏ । ଏହା ଭାଇରସ୍ ସଂକ୍ରମଣ କାରଣରୁୁ ହୋଇଥାଏ । ଏହି ସଂକ୍ରମଣ ଆଖି ପାଇଁ କୌଣସି ପ୍ରକାର କ୍ଷତିକାରକ ହୋଇ ନ ଥାଏ ଓ ୧ରୁ ୨ ସପ୍ତାହ ମଧ୍ୟରେ ଏହା ଠିକ୍ ହୋଇଯାଏ । ଏହାଦ୍ୱାରା ଦୃଷ୍ଟିଶକ୍ତି ଉପରେ ପ୍ରଭାବ ପଡି ନ ଥାଏ । ଆଖିଧରା କାରଣରୁ ସାମୟିକ ଭାବରେ ଦେଖିବାରେ ସମସ୍ୟା ହୋଇପାରେ କିନ୍ତୁ ଏହା ସମୟ ସହିତ ଠିକ୍ ହୋଇଯାଏ ।
ଡାକ୍ତରଙ୍କ ମତ ଆଖି ଧରିଥିବା ବ୍ୟକ୍ତିଙ୍କ ଆଖିକୁ ଚାହିଁବା ଦ୍ୱାରା ଏହି ସଂକ୍ରମଣ ବ୍ୟାପି ନ ଥାଏ । ଲୋକମାନେ କିନ୍ତୁ ଭାବନ୍ତି ଯେଉଁ ଲୋକର ଆଖି ଧରିଛି ତାଙ୍କୁ ଚାହିଁବା ଦ୍ୱାରା ଏହା ଡେଇଁଥାଏ ବୋଲି । ଏହା ସଂପୂର୍ଣ୍ଣ ଭୁଲ୍ ଧାରଣା ବୋଲି ଡାକ୍ତର କହିଛନ୍ତି ।

ତେବେ ଏହି ରୋଗ ପରିବେଶ ପରିସ୍ଥିତିରୁ ବ୍ୟାପିଥାଏ । ଯେପରିକି ସଂକ୍ରମିତ ବ୍ୟକ୍ତି ଯେଉଁଠାରେ ହାତ ଲଗାଇଛନ୍ତି ଓ ସେହି ସ୍ଥାନର ସଂପର୍କରେ ଆସିଥିବା ବ୍ୟକ୍ତି ନିଜ ଆଖିରେ ହାତ ମାରିବା ଦ୍ୱାରା ଭାଇରସ୍ ବ୍ୟାପିଥାଏ । ଏହା ସହିତ ସଂକ୍ରମିତ ବ୍ୟକ୍ତିର ତଉଲିଆ, ବେଡସିଟ୍, ତକିଆ ଓ ଅନ୍ୟ ପିନ୍ଧା ବସ୍ତ୍ର ଜରିଆରେ ମଧ୍ୟ ଆଖି ସଂକ୍ରମଣ ବ୍ୟାପିଥାଏ । ତେବେ ଏଥିରୁ ରକ୍ଷା ପାଇବା ଲାଗି ଲୋକମାନେ ନିଜ ହାତ ସଫା ରଖିବା ଓ ଆଖିକୁ ନ ଛୁଇଁବା ଉଚିତ ।

Get real time updates directly on you device, subscribe now.