fbpx

ସତରେ କ’ଣ ଆମେ ଅତୀତକୁ ଫେରି ପାରିବା? ଜାଣନ୍ତୁ ଟାଇମ ଟ୍ରାଭେଲକୁ ନେଇ କ’ଣ କହୁଛି ବିଜ୍ଞାନ

Advertisement

ଓଡ଼ିଶା ଭାସ୍କର: ଟାଇମ ଟ୍ରାଭେଲ ବିଷୟରେ ସାଇନ୍ସ ଫିକ୍ସନାଲ(ବିଜ୍ଞାନ କଳ୍ପନା) ଫିଲ୍ମ ଦେଖିବାବେଳେ ଆମ ମନରେ ଏକ ବଡ଼ ପ୍ରଶ୍ନ ଉଠିଥାଏ ଯେ କ’ଣ ଏହା ପ୍ରକୃତରେ ହୋଇପାରେ କି? କ’ଣ ସତରେ ଏପରି କେହି ଭବିଷ୍ୟତ କିମ୍ବା ଅତୀତକୁ ଯାଇପାରନ୍ତି? ତେବେ ଏହି ବିଷୟ ଉପରେ ଅନ୍ୟମାନଙ୍କ ସହିତ ଆଲୋଚନା କଲେ ଅଧିକାଂଶ ଲୋକ ଏହାକୁ କପୋଳକଳ୍ପିତ କହି ଖଣ୍ଡନ କରିଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି ଟାଇମ ଟ୍ରାଭେଲର ସିଦ୍ଧାନ୍ତକୁ ବିଜ୍ଞାନ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିନାହିଁ ।

ଏହା ବିଷୟରେ ପ୍ରାରମ୍ଭିକ ସୂଚନା ୧୮୯୫ ମସିହାରେ ପ୍ରକାଶିତ ଉପନ୍ୟାସ ‘ଟାଇମ୍ ମେସିନ୍’ ରେ ମିଳିଥାଏ । ଏହାକୁ ସାଇନ୍ସ ଫିକ୍ସନର ପିତା ଭାବରେ ବିବେଚନା କରୁଥିବା ପ୍ରସିଦ୍ଧ ବିଜ୍ଞାନ ଲେଖକ ଏଚ୍. ୱେଲ୍ସ ଲେଖିଥିଲେ । ତେବେ ସାହିତ୍ୟ ଏବଂ ସିନେମା କ୍ଷେତ୍ରରେ ସମୟ ଭ୍ରମଣର ଧାରଣା କିଛି ବୈଜ୍ଞାନିକ ନୀତି ଉପରେ ଆଧାରିତ । ପ୍ରସିଦ୍ଧ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ ଏହି ସିଦ୍ଧାନ୍ତକୁ ବ୍ୟାଖ୍ୟା କରିଥିଲେ, ତାଙ୍କର ‘ଆପେକ୍ଷିକ ତତ୍ତ୍ୱ'(ଥିଓରି ଅଫ ରିଲେଟିଭିଟି) ସହିତ ବିଶ୍ୱକୁ ପରିଚିତ କରାଇଲେ । ସେ କହିଥିଲେ ଯେ ସମୟ ସମସ୍ତଙ୍କ ପାଇଁ ସମାନ ନୁହେଁ, ଅର୍ଥାତ୍ ଦୁଇଟି ଭିନ୍ନ ସ୍ଥାନରେ ଉପସ୍ଥିତ ଲୋକଙ୍କ ପାଇଁ ସମୟ ଅଲଗା ଅଟେ ।

କ’ଣ କହିଥାଏ ବିଜ୍ଞାନ?

ଟାଇମ ଟ୍ରାଭେଲ ବିଷୟରେ ବୈଜ୍ଞାନିକମାନଙ୍କ ମଧ୍ୟରେ ସର୍ବଦା ମତଭେଦ ରହିଆସିଛି । କେତେକ ବୈଜ୍ଞାନିକ ଏହା ସମ୍ଭବ ବୋଲି ବିବେଚନା କରୁଥିବାବେଳେ କେତେକ ଏହାକୁ ସଂପୂର୍ଣ୍ଣ ଅସ୍ୱୀକାର କରନ୍ତି। ତେବେ ୧୯୧୫ ମସିହାରେ, ଆଲବର୍ଟ ଆଇନଷ୍ଟାଇନ୍ ‘ଆପେକ୍ଷିକ ତତ୍ତ୍ୱ’ ମାଧ୍ୟମରେ ସମୟ, ଗତି ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ବୋଲି ସେ ସ୍ପଷ୍ଟ କରିଥିଲେ । ବ୍ରହ୍ମାଣ୍ଡରେ ଘଟୁଥିବା ଘଟଣାଗୁଡ଼ିକ ପାଇଁ ଏକ ନିର୍ଦ୍ଦିଷ୍ଟ ଗତି ସୀମା ଅଛି । ଯେପରିକି ଆଲୋକର ବେଗ ୨୯୯,୭୯୨,୪୫୮ ମି / ସେକେଣ୍ଡ୍ । ଯଦି ଆମେ ଆମର ଗତି ଆଲୋକର ବେଗରେ ପରିବର୍ତ୍ତନ କରିବା ତେବେ କ’ଣ ହେବ? ଯଦି ଆମେ ଆଲୋକର ବେଗରେ ଯାତ୍ରା କରୁ, ତେବେ ଆମେ ବର୍ତ୍ତମାନର ସମୟଠାରୁ ବେଶ ଆଗକୁ ଅତିକ୍ରମ କରିବୁ ।

ତେବେ ଏ ନେଇ ପ୍ରମାଣ ମଧ୍ୟ ରହିଛି । ୧୯୭୧ ରେ, ଜୋସେଫ ସି ହାଫେଲ ଏବଂ ରିଚାର୍ଡ ଇ କିଟିଙ୍ଗ ‘ଆପେକ୍ଷିକ ତତ୍ତ୍’ ‘ଉପରେ ଆଧାର କରି ଏକ ପରୀକ୍ଷଣ କରିଥିଲେ ଯାହାର ନାମ ହାଫେଲ – କିଟିଙ୍ଗ ଏକ୍ସପେରିମେଣ୍ଟ ଥିଲା । ଏହି ପରୀକ୍ଷଣରେ ଚାରୋଟି ପରମାଣୁ ଘଣ୍ଟାକୁ ବ୍ୟବହାର କରାଯାଇଥିଲା । ସେମାନେ ସେଥି ମଧ୍ୟରୁ ୩ ଟି ଘଣ୍ଟା ନିଜ ସହିତ ନେଇ ପୃଥିବୀ ଚାରିପାଖରେ ୨ ଘେରା ବୁଲିବା ପାଇଁ ଚାଲିଗଲେ ଏବଂ ଗୋଟିଏ ଘଣ୍ଟା ନିିଜ ଲ୍ୟାବରେ ରଖିଦେଇଥିଲେ ।

ତେବେ ସେମାନେ ଫେରିବା ପରେ ଫଳାଫଳ ଆଶ୍ଚର୍ୟ୍ୟଜନକ ଥିଲା । ସେ ଫେରିବା ପରେ ଦେଖିଲେ ଯେ ଚାରି ଘଣ୍ଟାର ସମୟ ଅଲଗା ଥିଲା । ଏହି ପରୀକ୍ଷଣ ପରେ ଗୋଟିଏ ଜିନିଷ ସ୍ପଷ୍ଟ ହେଲା ଯେ ଯଦି ଆମେ ଆମର ଗତି ବଢ଼ାଇବା ଦ୍ୱାରା ସମୟ ଅନୁସାରେ ଆଗକୁ ଯାଇପାରିବା । ତଥାପି, ବର୍ତ୍ତମାନ ପର୍ୟ୍ୟନ୍ତ ବୋଧହୁଏ ବିଜ୍ଞାନ ଯଥେଷ୍ଟ ଅଗ୍ରଗତି କରିନାହିଁ ଯାହାଦ୍ୱାରା ଆମେ ସମୟର ଗତିଠାରୁ ଆଗକୁ ଯାଇପାରିବା । କିନ୍ତୁ ଭବିଷ୍ୟତରେ ଏହା ମଧ୍ୟ ସମ୍ଭବ ହୋଇପାରେ ।

Get real time updates directly on you device, subscribe now.