fbpx
BSKY SKY
BSKY SKY

ମୋଦୀ ସରକାରଙ୍କ କଡ଼ା ଆଭିମୁଖ୍ୟ ପରେ ନରମିଲା କାନାଡ଼ାର ସ୍ୱର: ବୟାନ ବଦଳାଇଲେ ପ୍ରଧାନମନ୍ତ୍ରୀ ଟ୍ରୁଡୋ

BSKY

ନୂଆଦିଲ୍ଲୀ: କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବୟାନ ପରେ ଭାରତ-କାନାଡ଼ା ସମ୍ପର୍କରେ ତିକ୍ତତା ଆସିଥିଲା । ଏହା ପରେ ଭାରତ ତ୍ୱରିତ ଭାବେ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲା । ଆଜି ଟ୍ରୁଡୋ ସଂସଦରେ ପହଞ୍ଚିବା ପରେ ଭାରତକୁ ନେଇ ଦେଇଥିବା ବୟାନରୁ ହିଁ ବିବାଦ ଆରମ୍ଭ ହୋଇଥିଲା । ତେବେ ଟ୍ରୁଡୋ ଏବେ ନିଜର ସ୍ୱର ବଦଳାଇଥିବା ଜଣାପଡ଼ିଛି ।

ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟା ମାମଲାରେ ଭାରତର ହାତ ଥିବା ନେଇ ଟ୍ରୁଡୋ ଅଭିଯୋଗ କରିଥିଲେ । ପ୍ରଥମ ଥର ପାଇଁ କୌଣସି ଦେଶ ଭାରତ ବିରୋଧରେ ଏପରି ଅଭିଯୋଗ ଆଣିଥିଲା । ପୁଣି ଉକ୍ତ ଅଭିଯୋଗ ଏକ ସାଧାରଣ ଅଭିଯୋଗ ନଥିଲା, ତାହା ଥିଲା ଏକ ହତ୍ୟା ମାମଲା । କାନାଡ଼ା ନାଗରିକଙ୍କ ହତ୍ୟାରେ ବିଦେଶୀ ସରକାରଙ୍କ ସମ୍ପୃକ୍ତି ନେଇ ବରଦାସ୍ତ କରାଯିବ ନାହିଁ ବୋଲି ଟ୍ରୁଡୋ ସଂସଦରେ କହିଥିଲେ ।

ଏହାପରେ କାନାଡ଼ା ଭାରତର ଜଣେ ଟପ ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରିବା ସହିତ ଦେଶ ଛାଡ଼ିବାକୁ ଆଦେଶ ଦେଇଥିଲା । ଭାରତ ସରକାର କାନାଡ଼ାର ଉକ୍ତ ଅଭିଯୋଗକୁ ଖାରଜ କରିଦେଇଥିଲେ । ଏହାର କିଛି ସମୟ ପରେ ଭାରତରେ ଅବସ୍ଥାପିତ କାନାଡ଼ାର ଜଣେ ସିନିୟର ରାଷ୍ଟ୍ରଦୂତଙ୍କୁ ଭାରତ ସରକାର ମଧ୍ୟ ବହିଷ୍କାର କରିବା ସହିତ ଭାରତ ଛାଡ଼ିବାକୁ ଆଦେଶ ଦେଇଥିଲେ । ତେବେ ଭାରତର ତ୍ୱରିତ କାର୍ଯ୍ୟାନୁଷ୍ଠାନ ପରେ ଏବେ କାନାଡ଼ା ସରକାର ନରମ ପଡ଼ିଥିବା କୁହାଯାଉଛି । ‘ଆମେ ଭାରତକୁ ଉସୁକାଇବାକୁ ଚେଷ୍ଟା କରୁନାହୁଁ । ଭାରତ ଏହି ପ୍ରସଙ୍ଗକୁ ଠିକ୍ ଭାବେ ବୁଝାମଣା କରୁ ଏହା ଆମେ ଚାହୁଁଛୁ । ଭାରତ ଏହାକୁ ଅତ୍ୟନ୍ତ ଗମ୍ଭୀରତାର ସହିତ ନେବା ଆବଶ୍ୟକ । ଆମେ ଭାରତକୁ ଉସୁକାଇବାକୁ କି ମାମଲାକୁ ଆଗକୁ ବଢ଼ାଇବାକୁ ଭାବୁନାହୁଁ’ ବୋଲି ଟ୍ରୁଡୋ କହିଥିବା ରଏଟର୍ସ ରିପୋର୍ଟରୁ ଜଣାପଡ଼ିଛି ।

Get real time updates directly on you device, subscribe now.