fbpx

ସ୍ୱପ୍ନ ଥିଲା ଓଡ଼ିଶା ପୋଲିସ ଚାକିରି: ଇଣ୍ଟରଭ୍ୟୁ ବେଳେ ଅଟକିଗଲା ଜୀବନ, ଶବ କହୁଛି ଦୁଃଖର କାହାଣୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରତ୍ୟେକ ପିତାମାତା ସେମାନଙ୍କର ପିଲାମାନଙ୍କ ଭବିଷ୍ୟତ ପାଇଁ ଅନେକ ସ୍ୱପ୍ନ ଦେଖିଥାନ୍ତି । ପିଲାମାନେ ମଧ୍ୟ ନିଜର ସ୍ୱପ୍ନ ପୂରଣ କରିବା ପାଇଁ କମ୍ ବୟସରୁ ଜୀବନରେ ଅନେକ ସଂଘର୍ଷ କରିଥାନ୍ତି । ତେବେ କାହାର ଏହି ସ୍ୱପ୍ନ ପୂରଣ ହୁଏ ତ ଆଉ କିଏ ଅଧା ବାଟରୁ ଆରପାରିକୁ ଚାଲିଯାଏ । ବିଧିର ଏହି ଲିଖନକୁ କିଏ ବା ଲିଭାଇ ପାରିବ । କେବଳ ଲୁହ ଝରାଇବା ହିଁ ସାର ହୋଇଥାଏ ।

ତେବେ ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଛତ୍ରପୁରରେ । ଓଡ଼ିଶା ପୋଲିସ କନଷ୍ଟେବଳ ଇଣ୍ଟରଭ୍ୟୁ ଚାଲିଥିବା ବେଳେ ଘଟିଯାଇଛି ଏକ ବଡ଼ ଅଘଟଣ । ଛତ୍ରପୁର ରିଜର୍ଭ ପୋଲିସ ପଡ଼ିଆରେ ୧୬୦୦ ମିଟର ଦୌଡ଼ ସମୟରେ ଜଣେ ପରୀକ୍ଷାର୍ଥୀ ମୃତ୍ୟୁବରଣ କରିଛନ୍ତି । ଉକ୍ତ ପରୀକ୍ଷାର୍ଥୀ ଜଣଙ୍କ ହେଉଛନ୍ତି ଖଲ୍ଲିକୋଟ ଶ୍ୟାମସୁନ୍ଦରପୁରର ଗୌରହରି ଦାସଙ୍କ ପୁଅ ଦୀପ୍ତିରଞ୍ଜନ ଦାସ ।

ଦୌଡ଼ିବା ସମୟରେ ଦୀପ୍ତିରଞ୍ଜନ ହଠାତ୍ ଅଚେତ ହୋଇ ପଡ଼ିଥିଲେ । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ସଙ୍ଗେସଙ୍ଗେ ପ୍ରଥମେ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା ଓ ପରେ ବ୍ରହ୍ମପୁର ଏମକେସିଜିକୁ ସ୍ଥନାନ୍ତରିତ କରାଯାଇଥିଲା । ମାତ୍ର ସେତେବେଳକୁ ସବୁକିଛି ସରିଯାଇଥିଲା । ସବୁଦିନ ପାଇଁ ଆଖି ବୁଜିଦେଇଥିଲେ ଦୀପ୍ତିରଞ୍ଜନ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ପାଇ ଦୀପ୍ତିରଞ୍ଜନଙ୍କ ପିତାମାତା ସତେ ଯେମିତି ମୁକ ପାଲଟି ଯାଇଛନ୍ତି । ପରୀକ୍ଷା ଦେବାକୁ ଯାଇଥିବା ପୁଅ ଶେଷରେ ଶବ ହୋଇ ଫେରିଥିଲା । ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଶୋକର ଲହରୀ ଖେଳାଇ ଦେଇଛି ।

Get real time updates directly on you device, subscribe now.