fbpx

ଟେଷ୍ଟ ଅଧିନାୟକ ପଦ ଛାଡ଼ିଲେ କ୍ୟାପେଟନ କୋହଲି: ଟି୨୦ ଓ ଦିନିକିଆ ପରେ ଟେଷ୍ଟରୁ ଦେଲେ ଇସ୍ତଫା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଭାରତର ସବୁଠୁ ସଫଳତମ ଅଧିନାୟକ ମଧ୍ୟରୁ ଜଣେ ହେଉଛନ୍ତି  ବିରାଟ କୋହଲି। ତେବେ ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ କୋହଲି ଶନିବାର ଟେଷ୍ଟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି। ଏହା ପୂର୍ବରୁ ସେ ଗତ ବର୍ଷ ଟି-୨୦  ବିଶ୍ଵ କପ୍‌ ପରେ ଟି-୨୦ ଦଳର ଅଧିନାୟକ ପଦ ଛାଡିଥିଲେ। ଏହା ପରେ ବିସିସିଆଇ ତାଙ୍କ ହାତରୁ ଦିନିକିଆ ଅଧିନାୟକତ୍ଵ ପଦ କାଢି ନେଇଥିଲା।  ଭାରତୀୟ ଦଳ ସଂପ୍ରତି ଦକ୍ଷିଣ ଆଫ୍ରିକା ଗସ୍ତରେ ରହିଛି। ତେବେ ଦଳ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ୧-୨ରେ ପରାସ୍ତ ହୋଇଛି। ଆସନ୍ତୁ ଜାଣିବା କେବେ ଏବଂ କିଭଳି ବିରାଟ କୋହଲି କିଛି ମାସରେ ତିନି ଫର୍ମାଟ୍‌ର ଅଧିନାୟକ ପଦ ହରାଇଥିଲେ।

ଟି-୨୦ ଅଧିନାୟକ

ବିରାଟ କୋହଲି ସେପ୍ଟେମ୍ବର ୧୬ରେ ସାମାଜିକ ଗଣମାଧ୍ୟମ ଜରିଆରେ ନିଜର ଟି-୨୦ ଅଧିନାୟକ ପଦ ଛାଡିବାର ଘୋଷଣା କରିଥିଲେ। ଟି-୨୦  ବିଶ୍ଵ କପ୍‌ ପୂର୍ବରୁ କୋହଲିଙ୍କ ଏହି ନିଷ୍ପତ୍ତି ସଭିଙ୍କୁ ଚକିତ କରିଥିଲା। ମାତ୍ର ସେ ଟି-୨୦ ଦଳର ନେତୃତ୍ଵ ଦାୟିତ୍ଵ ଛାଡିବାକୁ ମନସ୍ଥ କରି ସାରିଥିଲେ। ତାଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଥିଲା।

ଦିନିକିଆ ଅଧିନାୟକ

ଟି-୨୦ ଅଧିନାୟକ ପଦ ଛାଡିବା ପରେ ବିରାଟ କୋହଲି ଦିନିକିଆ ଏବଂ ଟେଷ୍ଟ ଦଳର ଅଧିନାୟକ ପଦରେ ରହିବାକୁ ଚାହିଁଥିଲେ। ମାତ୍ର ବିସିସିଆଇ ସୀମିତ ଓଭର ଫର୍ମାଟ୍‌ରେ ଜଣେ ଅଧିନାୟକ ରଖାଯିବା ପକ୍ଷରେ ଥିଲା। ଏହି କାରଣରୁ ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଚୟନକର୍ତ୍ତା ବଡ ନିଷ୍ପତ୍ତି ନେଇ କୋହଲିଙ୍କଠୁ ଦିନିକିଆ ଅଧିନାୟକ ଦାୟିତ୍ଵ କାଢି ନେଇଥିଲେ। ଏହା ପରେ ବିସିସିଆଇ ରୋହିତ ଶର୍ମାଙ୍କୁ ଦିନିକିଆ ଅଧିନାୟକ ନିଯୁକ୍ତ କରିଥିଲା। ତେବେ ବିରାଟ କୋହଲି ବିସିସିଆଇର ଏହି ଆଭିମୁଖ୍ୟରେ ଖୁସି ନଥିଲେ। ସେଥିପାଇଁ ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ କୋହଲି ସାମ୍ବାଦିକ ସମ୍ମିଳନୀରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ପ୍ରତି ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ।

ଟେଷ୍ଟ ଅଧିନାୟକ

ଭାରତ ପାଇଁ ୯୯ ଟେଷ୍ଟ ମ୍ୟାଚ୍ ଖେଳିଥିବା ବିରାଟ କୋହଲି ଟେଷ୍ଟ ଦଳର ଅଧିନାୟକ ପଦରୁ ଅଚାନକ ଇସ୍ତଫା ଦେଇଛନ୍ତି। ଭାରତ ଘରୋଇ ଦକ୍ଷିଣ ଆଫ୍ରିକା ନିକଟରୁ ଟେଷ୍ଟ ସିରିଜ ହାରିବାର ଗୋଟିଏ ଦିନ ପରେ ଅର୍ଥାତ ଆଜି କୋହଲି ଏହି ନିଷ୍ପତ୍ତି ନେଇଛନ୍ତି। ବିରାଟଙ୍କ ନେତୃତ୍ଵରେ ଭାରତ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆକୁ ତାରି ମାଟିରେ ଟେଷ୍ଟ ସିରିଜ୍‌ରେ ପରାସ୍ତ କରିଥିଲା। ବର୍ତ୍ତମାନ ଟେଷ୍ଟ ଦଳର ଅଧିନାୟକ କାହାକୁ କରାଯିବ ଏହାର  ନିଷ୍ପତ୍ତି ନିଆଯିବା ବାକି ରହିଛି।

Get real time updates directly on you device, subscribe now.