fbpx

ଭାରତୀୟ ଷ୍ଟାର୍ଟଅପକୁ ମୋଦୀଙ୍କ ପ୍ରଶଂସା: ‘ଷ୍ଟାର୍ଟଅପ୍ ଦିବସ’ ଭାବରେ ପାଳିତ ହେବ ଜାନୁୟାରୀ ୧୬

ନୂଆଦିଲ୍ଳୀ: ଦେଶରେ ଷ୍ଟାର୍ଟ ଅପ୍ ଧୀରେ ଧୀରେ ସଫଳତା ହାସଲ କରୁଥିବା ବେଳେ ଏହାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ସହିତ ଆଗାମୀ ଜାନୁୟାରୀ ୧୬କୁ ଷ୍ଟାର୍ଟଅପ ଦିବସ ଭାବରେ ପାଳନ କରିବା ପାଇଁ ମୋଦୀ ନିଷ୍ପତ୍ତି ନେଇଛନ୍ତି । ଷ୍ଟାର୍ଟଅପ୍ ଇକୋ ସିଷ୍ଟମକୁ ମୋଦୀ ବେଶ ପ୍ରଶଂସା କରିଛନ୍ତି । ବିଗତ ବର୍ଷରେ ୪୨ଟି ଷ୍ଟାର୍ଟଅପର ମୂଲ୍ୟ ୧ ବିଲିୟନ ଡଲାରରୁ ଅଧିକ ହୋଇଛି । ଏହି ସଫଳତା ପାଇଁ ଜାନୁୟାରୀ ୧୬କୁ ଷ୍ଟାର୍ଟଅପ୍ ଦିବସ ଭାବରେ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।

୫ ବର୍ଷ ତଳେ ଦେଶରେ ସମୁଦାୟ ୫୦୦ ଷ୍ଟାର୍ଟଅପ୍ ରହିଥିବା ବେଳେ ବର୍ତ୍ତମାନ ଏହି ସଂଖ୍ୟା ବୃଦ୍ଧି ପାଇ ୬୦ ହଜାରରେ ପହଞ୍ଚିଛି । ଦେଶ ନିର୍ମାଣରେ ଏହି ଷ୍ଟାର୍ଟ ଅପ୍ ଗୁଡିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଷ୍ଟାର୍ଟ ଇକୋସିଷ୍ଟମର ଯୁବ ପିଢିଙ୍କ ସହିତ ଆଲୋଚନା ସମୟରେ ମୋଦୀ ଏହି ମତ ଦେଇଛନ୍ତି । ଦେଶ ବର୍ତ୍ତମାନ ୟୁନିକର୍ଣ୍ଣ(୧ ବିଲିୟନ କମ୍ପାନୀ) ତାଲିକାରେ ସେଞ୍ଚୁରୀ ମାରିବାକୁ ଯାଉଛି ଏପରି ସ୍ଥଳେ ଯୁବବର୍ଗ ଭାରତରୁ ଭାରତ ପାଇଁ ଆବିଷ୍କାରକୁ ପ୍ରାଧାନ୍ୟ ଦେବାକୁ ମୋଦୀ ଆହ୍ୱାନ ଦେଇଛନ୍ତି । ବିଗତ ଦଶନ୍ଧି ଭାରତୀୟ ଟେକ୍ ଶିଳ୍ପର ଦଶନ୍ଧି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ମୋଦୀ କହିଛନ୍ତି । ଆବିଷ୍କାର, ସହଭାଗିତା ଏବଂ ଷ୍ଟାର୍ଟଅପ ଇକୋ ସିଷ୍ଟମ ମାଧ୍ୟମରେ ଭାରତୀୟ ଷ୍ଟାର୍ଟ ଅପ୍ ସଫଳତାର ଶିଖର ଛୁଇଁବାକୁ ଯାଉଛି ।

ଦେଶର ଦ୍ୱିତୀୟ ଏବଂ ତୃତୀୟ ଟିୟରର ସହର ଗୁଡିକରୁ ମାତ୍ରାଧିକ ଷ୍ଟାର୍ଟଅପ୍ ଆସିଥାଏ । ଏମାନେ ଗ୍ରାମରେ ପ୍ରବେଶ କଲେ ଯେଉଁ ବିପ୍ଲବ ଆସିବ ତାହା ଚମକ୍ରାର ବୋଲି ମୋଦୀ କହିଛନ୍ତି । ସେହିପରି ନୂତନ ଆବିଷ୍କାରରେ ଭାରତ ଦିନକୁ ଦିନ ଏକ ଅଗ୍ରଣୀ ରାଷ୍ଟ୍ର ହେବାକୁ ଯାଉଛି । ୨୦୧୫ରେ ଆବିଷ୍କାର ତାଲିକାରେ ଭାରତର ବିଶ୍ୱ ମାନ୍ୟତା ୮୧ ରହିଥିବା ବେଳେ ୨୦୨୧ରେ ଭାରତ ୪୬ ତମ ସ୍ଥାନରେ ପହଞ୍ଚିଛି ।

Get real time updates directly on you device, subscribe now.