ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ପରେ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ବିଦାୟ ନେଇଛନ୍ତି ରବିଚନ୍ଦ୍ରନ ଅଶ୍ୱୀନ । ଏହି ମ୍ୟାଚରେ ଦଳରୁ ବାଦ୍ ପଡ଼ିଥିବା ଅଶ୍ୱୀନ ଅଚାନକ ଘୋଷଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ । କିନ୍ତୁ ଅଶ୍ୱୀନଙ୍କ ଅବସର ପରେ ଏବେ ରୋହିତଙ୍କୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି । ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପରେ ଏକ ବଡ଼ ନିଷ୍ପତ୍ତି ନେଇପାରନ୍ତି ଅଧିନାୟକ ରୋହିତ ଶର୍ମା । ବର୍ଡର ଗାଭାସ୍କର ଟ୍ରଫି କ୍ୟାପଟେନ୍ ରୋହିତଙ୍କର ଶେଷ ସିରିଜ ହୋଇପାରେ ବୋଲି କୁହାଯାଉଛି । ତେବେ ସେ ଅଧିନାୟକ ପଦରୁ ଇସ୍ତଫା ଦେଇ ଦଳରେ ଓପନର ଭୂମିକା ତୁଲାଇପାରନ୍ତି ।
ଟିମ ଇଣ୍ଡିଆର ପୂର୍ବ କ୍ରିକେଟର ସୁନୀଲ ଗାଭାସ୍କର ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି । ବର୍ଡର ଗାଭାସ୍କର ଟ୍ରଫି ପରେ ଭାରତର ଅଧିନାୟକ ରୋହିତ ନିଜ ଦାୟିତ୍ୱରୁ ଇସ୍ତଫା ଦେଇପାରନ୍ତି । ଦୀର୍ଘ ଦିନରୁ ଖରାପ ଫର୍ମ ଦେଇ ଗତି କରୁଛନ୍ତି ଅଧିନାୟକ ରୋହିତ ଶର୍ମା । ବିଜିଟି ସିରିଜରେ ରୋହିତ ମାତ୍ର ୬.୩୩ ହାରରେ ରନ୍ ସଂଗ୍ରହ କରିଛନ୍ତି । ଏହାପୂର୍ବରୁ ବାଂଲାଦେଶ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ମଧ୍ୟ ଫ୍ଲପ ରହିଥିଲେ ରୋହିତ । ଏ ନେଇ ଗାଭାସ୍କର କହିଛନ୍ତି ଯେ, ରୋହିତ ଆଗକୁ କିଛି ମ୍ୟାଚ ଖେଳିବା ପାଇଁ ସୁଯୋଗ ପାଇବା ନିଶ୍ଚିତ । କିନ୍ତୁ ରନ୍ କରିବାରେ ଫେଲ ହେଲେ, ରୋହିତ ଏକ ବଡ଼ ନିଷ୍ପତ୍ତି ନେଇପାରନ୍ତି ।
ଯଦି ଅଧିନାୟକ ରୋହିତ ଅଷ୍ଟ୍ରେଲିଆ ବିପକ୍ଷ ଆଗାମୀ ୨ଟି ମ୍ୟାଚରେ ସ୍କୋର କରିବାରେ ବିଫଳ ହୁଅନ୍ତି, ତେବେ ସେ ନିଜେ ହିଁ ନିଷ୍ପତ୍ତି ନେବା ଆବଶ୍ୟକ । ଏହାପରେ ସେ କହିଛନ୍ତି ଯେ, ରୋହିତ ଜଣେ ସଚ୍ଚୋଟ କ୍ରିକେଟର । ତେଣୁ ସେ ଦଳ ଉପରେ ବୋଝ ହେବା ପାଇଁ ଚାହିଁବେ ନାହିଁ । ସେ ଭାରତୀୟ ଟିମ ପାଇଁ ଗଭୀରତାର ସହ ଚିନ୍ତା କରିଥାନ୍ତି । ତେଣୁ ଯଦି ସେ ଆଗାମୀ କିଛି ମ୍ୟାଚରେ ରନ୍ ନ କରନ୍ତି, ତେବେ ସେ ନିଜେ ଅଧିନାୟକ ପଦରୁ ଇସ୍ତଫା ଦେଇପାରନ୍ତି । ୨୦୨୪ରେ ରୋହିତ ୧୩ଟି ଟେଷ୍ଟ ଖେଳି ସାରିଛନ୍ତି । ୨୪ଟି ଇନିଂସରୁ ୨୬.୩୯ ହାରରେ ମୋଟ ୬୦୭ ରନ୍ କରିଛନ୍ତି ରୋହିତ । ଏଥିରେ ୨ଟି ଶତକ ଏବଂ ୨ଟି ଅର୍ଦ୍ଧଶତକ ସାମିଲ ରହିଛି ।