ନୂଆଦିଲ୍ଲୀ: ବର୍ଡର ଗାଭାସ୍କର ଟ୍ରଫି ଆରମ୍ଭ ହେବା ପୂର୍ବରୁ ଟିମ ଇଣ୍ଡିଆ ପାଇଁ ଆସିଛି ଖୁସି ଖବର । ସିରିଜ ପୂର୍ବରୁ ଭାରତୀୟ ଦଳରେ କମବ୍ୟାକ କରିପାରନ୍ତି ଷ୍ଟାର ବୋଲର ମହମ୍ମଦ ଶାମୀ । ଆହତ ସମସ୍ୟାରୁ ବାହାରିବା ପରେ ରଣଜୀ ଟ୍ରଫିରେ ଘାତକ ବୋଲିଂ କରି ସେ ନିଜ ଫର୍ମ ଫେରି ପାଇଛନ୍ତି । ତେଣୁ ଖୁବଶୀଘ୍ର ସେ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଯାଇପାରନ୍ତି । ବର୍ତ୍ତମାନ ସୁଦ୍ଧା ଅଧିନାୟକ ରୋହିତ ମଧ୍ୟ ଅଷ୍ଟ୍ରେଲିଆ ଗସ୍ତ କରିନାହାନ୍ତି । ତେଣୁ କୁହାଯାଉଛି ଯେ, କ୍ୟାପଟେନ ରୋହିତଙ୍କ ସହ ମହମ୍ମଦ ଶାମୀ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ପାଇଁ ଗସ୍ତ କରିପାରନ୍ତି ।
ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ପର୍ଥରେ ଖେଳାଯିବାକୁ ଥିବା ବେଳେ ଏଥିରେ ରୋହିତଙ୍କ ଉପସ୍ଥିତିକୁ ନେଇ ଏବେ ବି ସନ୍ଦେହ ଲାଗି ରହିଛି । ତେବେ ଦ୍ୱିତୀୟ ପିଲାର ଜନ୍ମ ପାଇଁ ରୋହିତ ଅଷ୍ଟ୍ରେଲିଆ ଗସ୍ତ କରି ପାରିନଥିଲେ । କିନ୍ତୁ ବର୍ତ୍ତମାନ ସେ ମଧ୍ୟ ଅଷ୍ଟ୍ରେଲିଆ ଗସ୍ତ କରିପାରନ୍ତି ବୋଲି ଅନୁମାନ କରାଯାଉଛି । ସେପଟେ ଶାମୀ ଏହି ସିରିଜ ଜରିଆରେ ଦୀର୍ଘ ୧ ବର୍ଷ ପରେ ଦଳକୁ କମବ୍ୟାକ କରିବାର ସୁଯୋଗ ପାଇପାରନ୍ତି । ଗତବର୍ଷ ଦିନିକିଆ ବିଶ୍ୱକପରେ ଗୋଡ଼ରେ ଆଘାତ ଲାଗିବା ପରେ ସେ କ୍ରିକେଟରୁ ଦୂରେଇ ରହିଛନ୍ତି । କିନ୍ତୁ ବର୍ତ୍ତମାନ ଆହତ ସମସ୍ୟାରୁ ବାହାରି ଫିଟ୍ ହୋଇ ପୁଣିଥରେ କ୍ରିକେଟ ମଇଦାନକୁ ଫେରିଛନ୍ତି ଶାମୀ ।
ତେବେ ମଧ୍ୟ ପ୍ରଦେଶ ବିପକ୍ଷ ରଣଜୀ ମ୍ୟାଚରେ କମବ୍ୟାକ କରି ୭ଟି ସଫଳତା ନିଜ ନାମରେ କରିଛନ୍ତି ମହମ୍ମଦ ଶାମୀ । କିନ୍ତୁ ଏହି ମ୍ୟାଚରେ ଫିଲ୍ଡିଂ କରିବା ସମୟରେ ସେ ପୁଣିଥରେ ଆହତ ହୋଇଥିଲେ । କିନ୍ତୁ ଏହାପରେ ମଧ୍ୟ ସେ ଫିଟ୍ ହୋଇ ଫିଲ୍ଡିଂ ଏବଂ ବୋଲିଂ କରିଥିଲେ । ଏହାଦ୍ୱାରା ତାଙ୍କ ଫିଟନେସ୍ ପ୍ରମାଣିତ ହେବା ପରେ ତାଙ୍କୁ ବର୍ତ୍ତମାନ ଅଷ୍ଟ୍ରେଲିଆ ଗସ୍ତରେ ପଠାଇବାକୁ ଚିନ୍ତା କରୁଛି ବିସିସିଆଇ । ଅଧିନାୟକ ରୋହିତ ଶର୍ମା ଏବଂ ଷ୍ଟାର ବୋଲର ଶାମୀ ମଧ୍ୟ ଅଷ୍ଟ୍ରେଲିଆ ଯିବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଏ ନେଇ କୌଣସି ସ୍ପ୍େଟ ସୂଚନା ଦିଆଯାଇ ନାହିଁ ।