fbpx

ବଡ଼ ଅଘଟଣ: ଦୁଇ ନିଖୋଜ ଛାତ୍ରଙ୍କୁ ନେଇ ଆସୁଥିବା ବେଳେ ରାସ୍ତାରେ ଓଲଟିଲା କାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀରୁ ନିଖୋଜ ହୋଇଥିବା ଦଶମ ଶ୍ରେଣୀର ଦୁଇ ଛାତ୍ର ବଲାଙ୍ଗିରର ଟିଟିଲାଗଡ଼ରୁ ଠାବ ହୋଇଥିଲେ । ତେବେ ଠାବ ହୋଇଥିବା ଦୁଇ ଛାତ୍ର ପୃଥ୍ୱୀରାଜ ପ୍ରଧାନ ଓ ସୋନୁ କୁମାରଙ୍କୁ ନେଇ ଆସିଛି ପୁଣି ଏକ ବଡ଼ ଖବର । ଦୁଇ ଛାତ୍ରଙ୍କୁ ଟିଟିଲାଗଡ଼ରୁ ଭୁବନେଶ୍ୱର ଅଣାଯାଉଥିବା ବେଳେ ରାସ୍ତାରେ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରଯାଇଛି ।

ଖବର ମୁତାବକ, ଦୁଇ ନିଖୋଜ ନାବାଳକଙ୍କୁ ଟିଟିଲାଗଡ଼ରୁ ନେଇ ଆସୁଥିବା ସମୟରେ ଗାଡ଼ିଟି ନୟାଗଡ଼ ଜିଲ୍ଲା ଦଶପଲ୍ଲାର ବାଣିଗୋଛା ମୁଖ୍ୟ ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କାରଟି ରାସ୍ତା ଉପରେ ଓଲଟି ପଡ଼ିଥିଲା । ଏହାପରେ ସମସ୍ତ ଆହତଙ୍କୁ ସଙ୍ଗେସଙ୍ଗେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହି ଦୁର୍ଘଟଣାରେ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ଏହାପରେ ଅନ୍ୟ ଏକ ଗାଡ଼ିରେ ସେମାନେ ଭୁବନେଶ୍ୱରରେ ଆସିଥିଲେ ।

ସୂଚନାଯୋଗ୍ୟ ଯେ, ଗତ ୪ ତାରିଖ ଦିନ ଭୁବନେଶ୍ୱରର ଚନ୍ଦକା ଅଞ୍ଚଳର ମର୍ଣ୍ଣିଂ ଗ୍ଲୋରି ଇଂରାଜୀ ମାଧ୍ୟମିକ ସ୍କୁଲରେ ପଢ଼ୁଥିବା ଦୁଇ ନାବାଳକ ଛାତ୍ର ସୋନୁ ଓ ପୃଥ୍ୱୀରାଜ ସ୍କୁଲକୁ ଯାଇ ଘେରକୁ ଫେରି ନଥିଲେ । ଏନେଇ ସେମାନଙ୍କର ଘରଲୋକେ ଖୋଜି ଖୋଜି ନୟାନ୍ତ ହୋଇଯାଇଥିଲେ । ଫଳରେ ଏନେଇ ଚନ୍ଦକା ଥାନାରେ ଅଭିଯୋଗ କରାଯାଇଥିଲା । ଏହାପରେ ପୋଲିସ ସ୍କୁଲର ଅଧ୍ୟକ୍ଷାଙ୍କୁ ପଚରାଉଚରା କରିବା ସହିତ ସ୍କୁଲରେ ଲାଗିଥିବା ସିସିଟିଭିକୁ ଆଧାର କରି ତଦନ୍ତ କରିଥିଲା । ଏହାପରେ ଦୁଇ ଛାତ୍ର ଟିଟିଲାଗଡ଼ରେ ଠାବ ହେବା ପରେ ସେମାନଙ୍କୁ ଆଣିବା ପାଇଁ ଚନ୍ଦକା ଥାନାର ଏକ ଟିମ୍ ଟିଟିଲାଗଡ଼ ଯାଇଥିଲା ।

Get real time updates directly on you device, subscribe now.