fbpx
BSKY
BJD MC SKY
BJD YOUTH SKY

ରାଷ୍ଟ୍ରୀୟ ଶିକ୍ଷା ନୀତିରେ ଆସିବ ସଂସ୍କାର: CBSE, ICSE ଓ ୬୦ଟି ରାଜ୍ୟ ବୋର୍ଡ ଗୋଟିଏ ପ୍ଲାଟଫର୍ମରେ କାର୍ଯ୍ୟ କରିବେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ରେ ଆସିବ ସଂସ୍କାର । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ), ଭାରତୀୟ ମାଧ୍ୟମିକ ଶିକ୍ଷା ପ୍ରମାଣପତ୍ର (ଆଇସିଏସଇ) ଓ ବିଭିନ୍ନ ରାଜ୍ୟର ଶିକ୍ଷା ବୋର୍ଡକୁ ଗୋଟିଏ ପ୍ଲାଟଫର୍ମକୁ ଅଣାଯିବ । ମୋଟ ୬୨ଟି ବୋର୍ଡକୁ ନେଇ ଆଗାମୀ ଦିନରେ ସାରା ଦେଶରେ ଏକକ ଆକଳନ ବ୍ୟବସ୍ଥା (କମନ ଆସେସମେଣ୍ଟ ସିଷ୍ଟମ) ଲାଗୁ କରାଯିବ । ଏନେଇ ସମସ୍ତ ରାଜ୍ୟ ବୋର୍ଡ ପକ୍ଷରୁ ପରାମର୍ଶ ଲୋଡ଼ାଯାଇଥିବା ନେଇ କେନ୍ଦ୍ର ବିଦ୍ୟାଳୟ ଶିକ୍ଷା ଓ ସ୍ୱାକ୍ଷରତା ସେକ୍ରେଟାରୀ ସଞ୍ଜୟ କୁମାର କହିଛନ୍ତି ।

ଜାତୀୟ ଶିକ୍ଷାନୀତି ଲାଗୁ କରାଯାଇ ଦେଶରେ ପାଠପଢ଼ାକୁ ପ୍ରତିଯୋଗିତାମୂଳକ କରାଯିବ । ଏଥିସହ ଚିରାଚରିତ ପାଠକୁ ପରିବର୍ତ୍ତନ କରାଯାଇ ସ୍କିଲ ଡେଭଲପମେଣ୍ଟ ଉପରେ ଗୁରୁତ୍ୱ ଦିଆଯିବ । ଫଳରେ ପିଲାଙ୍କର ଉପରୁ ପାଠପଢ଼ା ବୋଝ କମିଯିବ । ଆସନ୍ତା ୨୦୨୪ ଶିକ୍ଷାବର୍ଷ ସୁଦ୍ଧା ଏହି ଯୋଜନା ଲାଗୁ କରିବାକୁ କେନ୍ଦ୍ର ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି । ଦେଶର ପ୍ରତ୍ୟେକ ସ୍କୁଳରେ ୬ଷ୍ଠ କ୍ଲାସରୁ ଦକ୍ଷତା ବିକାଶ ପାଠ ପଢ଼ାଯିବ । ୨୦୩୦ ସୁଦ୍ଧା ଦେଶର ୫୦ ପ୍ରତିଶତ ସ୍କୁଲରେ ପିଲାଙ୍କୁ କୁଶଳୀ କରିବାକୁ ଲକ୍ଷ୍ୟ ରଖାଯାଇଛି । ଗତ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରଠାରେ ଆୟୋଜିତ ହୋଇଥିବା ଜି-୨୦ ତୃତୀୟ ଶିକ୍ଷା ୱାର୍କିଂ ଗ୍ରୁପର ବୈଠକ ଅବସରରେ ସଞ୍ଜୟ ଏହା କହିଛନ୍ତି ।

ଦେଶରେ ଏକକ ଆକଳନ ବ୍ୟବସ୍ଥା ପ୍ରଚଳନ ପାଇଁ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ଅଧିନରେ ‘ପରଖ’ ଗଠନ କରାଯାଇଥିବା ବେଳେ ଖୁବଶୀଘ୍ର ତାହା କାର୍ଯ୍ୟକ୍ଷମ ହେବ । ଗତ ୨୦୧୭ରେ ନ୍ୟାସନାଲ ଆଚିଭେଣ୍ଟ ସର୍ଭେ ହୋଇଥିବା ବେଳେ କୋଭିଡ-୧୯ କାରଣରୁ ତାହା ୨୦୨୦ ପରିବର୍ତ୍ତେ ୨୦୨୧ରେ ହୋଇଥିଲା । ପ୍ରତି ନିନିବର୍ଷରେ ଥରେ ଏହି ସର୍ଭେ ପାଇଁ ପ୍ରସ୍ତାବ ରହିଥିବା ବେଳେ ପରବର୍ତ୍ତୀ ସର୍ଭେ ୨୦୨୪ରେ କରାଯିବ । ଏହି ସର୍ଭେ ମାଧ୍ୟମରେ ପ୍ରତି ରାଜ୍ୟର ପାଖାପାଖି ୩୦ ଲକ୍ଷରୁ ଅଧିକ ପିଲାଙ୍କ ନିକଟରେ ପହଞ୍ଚିବା ସମ୍ଭବ ହେବ । ଏହାଦ୍ୱାରା ବିଦ୍ୟାଳୟ ପାଠପଢ଼ାରୁ କ’ଣ ନିଷ୍କର୍ସ ବାହାରୁଛି ତାହା ସଠିକ୍ ଭାବେ ଆକଳନ କରିହେବ । ନୂଆ ଏନଇପି ୨୦୨୦ ଅନୁସାରେ ୨୦୨୪ ସୁଦ୍ଧା ନୂଆ ପୁସ୍ତକ ପ୍ରଚଳିତ ହେବ ।

Get real time updates directly on you device, subscribe now.