fbpx

GST କାଉନସିଲ ବୈଠକରେ ନିଆଯିବ ବଡ଼ ନିଷ୍ପତ୍ତି! କମିବ ସିମେଣ୍ଟ, ଖାଦ୍ୟ-ପାନୀୟର ଦାମ୍

ନୂଆଦିଲ୍ଲୀ : ଆସନ୍ତା ୧୮ ତାରିଖରେ ଦ୍ରବ୍ୟ ଓ ସେବା କର (ଜିଏସଟି) ପରିଷଦ ବୈଠକ ବସିବାକୁ ଯାଉଛି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନିଷ୍ପତ୍ତି ହୋଇପାରେ । ଖାଦ୍ୟ, ପାନୀୟ ସାମଗ୍ରୀର ବୃର୍ଦ୍ଧିତ ଦର ଓ ସିମେଣ୍ଟର ଆକାଶଛୁଆଁ ଦର ଉପରେ ବିରାମ ଲାଗିବାର ସମ୍ଭାବନା ରହିଛି । ଯଦି ଏହି ନିଷ୍ପତ୍ତି ନିଆଯାଏ, ତେବେ ଏହା ଜନସାଧାରଣଙ୍କୁ ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିବ ।

ଏଥର ଜିଏସଟି ପରିଷଦ ବୈଠକରେ ବିଭିନ୍ନ ସାମଗ୍ରୀ ଉପରୁ ଜିଏସଟି ଦର ହ୍ରାସ ନେଇ ନିଷ୍ପତ୍ତି ହେବାର ସମ୍ଭାବନା ରହିଛି । ଏହି ଅବସରରେ ଫିଟମେଣ୍ଟ କମିଟି ସିମେଣ୍ଟ ଉପରୁ ଜିଏସଟି ମୂଲ୍ୟ ହ୍ରାସ ନିଷ୍ପତ୍ତି ନେଇପାରନ୍ତି । ସେହିପରି ଦେଶରେ ଖାଦ୍ୟ, ପାନୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଉଥିବା ବେଳେ ସେନେଇ ମଧ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । ଏହି ବୈଠକରେ ଅର୍ଥମନ୍ତ୍ରୀଙ୍କ ସହିତ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକର ଅର୍ଥମନ୍ତ୍ରୀ ବା ସେମାନଙ୍କର ପ୍ରତିନିଧିମାନେ ସାମିଲ ହୋଇପାରନ୍ତି । ଗତବର୍ଷ ଡିସେମ୍ବର ମାସ ୧୭ ତାରିଖରେ ଜିଏସଟି ପରିଷଦର ବୈଠକ ଅନୁଷ୍ଠିତ ହୋଇଥିଲା ।

ସିମେଣ୍ଟ ଉପରୁ ଜିଏସଟି ହ୍ରାସ ନେଇ ଅର୍ଥମନ୍ତ୍ରୀ ଘୋଷଣା କରିଥିବା ନେଇ ନିକଟରେ କେନ୍ଦ୍ରୀୟ ଅପ୍ରତ୍ୟକ୍ଷ କର ଓ ସୀମାଶୁଳ୍କ ବୋର୍ଡ (ସିବିଆଇସି)ର ଅଧ୍ୟକ୍ଷ କହିଥିଲେ । ବର୍ତ୍ତମାନ ସମୟରେ ସିମେଣ୍ଟ ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁ ହୋଇଛି । ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ସିମେଣ୍ଟ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ହୋଇଥିବାରୁ ଏନେଇ କିଛି ନିଷ୍ପତ୍ତି ହୋଇପାରେ । ସେହିପରି ଗତ ମାସରେ ଦେଶରେ ଖୁଚୁରା ମହଙ୍ଗା ଦର ୬.୫୨ ପ୍ରତିଶତରେ ପହଞ୍ଚି ଯାଇଛି । ତେଣୁ ବୈଠକରେ ଖାଦ୍ୟ, ପାନୀୟ ସମାଗ୍ରୀ ଉପରୁ ଜିଏସଟି ହ୍ରାସ ନେଇ ଦୃଷ୍ଟି ଦିଆଯାଇପାରେ । ଗତବର୍ଷ ଜୁଲାଇ ମାସର ଜିଏସଟି ବୈଠକରେ ଏକାଧିକ ସାମଗ୍ରୀ ଉପରେ ଟ୍ୟାକ୍ସ ଦର ବଢ଼ିଥିଲା ।

Get real time updates directly on you device, subscribe now.