fbpx

ଟମାଟୋ କନ୍ଦାଇଲା, ପିଆଜ କିନ୍ତୁ କନ୍ଦାଇବନି: କେନ୍ଦ୍ର ସରକାର ଆଗୁଆ ନେଲେ ବଡ଼ ପଦକ୍ଷେପ

Advertisement

ନୂଆଦିଲ୍ଲୀ: ଟମାଟୋର ମହଙ୍ଗା ମାଡ଼କୁ ନେଇ ସାରା ଦେଶବାସୀ ଏବେ ଛଟପଟ ହେଉଛନ୍ତି । ଅଧିକାଂଶ ରାଜ୍ୟରେ ଟମାଟୋ କେଜି ୧୦୦ ଟଙ୍କା ଟପିଥିବା ବେଳେ ଅଳ୍ପ କିଛି ସ୍ଥାନରେ ୨୦୦-୩୦୦ ଟଙ୍କାରେ ବିକ୍ରି ହେଉଥିବା ଦେଖାଯାଉଛି । ପରିସ୍ଥିତି ଏପରି ହୋଇଛି ଯେ ଲୋକମାନେ ଟମାଟୋ ଖାଇବା ଛାଡ଼ିଦେଇଛନ୍ତି । ତେବେ ଟମାଟୋ ପରେ ଏବେ ପିଆଜର ଅନୁରୂପ ସ୍ଥିତି ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି ।

ସୂଚନା ମୁତାବକ, ପିଆଜ ଦରକୁ ନିୟନ୍ତ୍ରଣରେ ରଖିବା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଚଳିତ ଆର୍ଥିକ ବର୍ଷରେ ‘ବଫର ଷ୍ଟକ’ ପାଇଁ କେନ୍ଦ୍ର ସରକାର ୨୦ ପ୍ରତିଶତ ଅଧିକ ଅର୍ଥାତ ୩ ଲକ୍ଷ ଟନ୍ ପିଆଜ କିଣିଛନ୍ତି । ପିଆଜକୁ ଅଧିକ ସମୟ ପର୍ଯ୍ୟନ୍ତ ସୁରକ୍ଷିତ ରଖିବା ପାଇଁ ଭାବା ଆଟୋମିକ ରିସର୍ଚ୍ଚ ସେଣ୍ଟର (ବାର୍କ) ସହିତ କେନ୍ଦ୍ର ସରକାର କାମ କରୁଛନ୍ତି ବୋଲି ଗ୍ରାହକ ବ୍ୟାପାର ସଚିବ ରୋହିତ ସିଂ ସୂଚନା ଦେଇଛନ୍ତି ।

ଆର୍ଥିକ ବର୍ଷ ୨୦୨୨-୨୩ରେ କେନ୍ଦ୍ର ସରକାର ବଫର ଷ୍ଟକକୁ ବୃଦ୍ଧି କରି ୩ ଲକ୍ଷ ଟନ ଅଧିକ ପିଆଜ ରଖିଛନ୍ତି । ପିଆଜକୁ ସୁରକ୍ଷିତ ଭାବେ ରଖିବା ପାଇଁ ବାର୍କ ସହାୟତାରେ ଟେକ୍ନୋଲୋଜିର ପରୀକ୍ଷଣ କରାଯାଉଛି । ଦେଶରେ ପିଆଜର ଅଭାବ ହେବ ନାହିଁ । ପର୍ବପର୍ବାଣି, ଉତ୍ସବ ସମୟରେ ଯେ କୌଣସି ପରିସ୍ଥିତି ସୃଷ୍ଟି ହେଲେ ଏହା ଦରଦାମକୁ ନିୟନ୍ତ୍ରଣରେ ରଖିବା କ୍ଷେତ୍ରରେ ବେଶ୍ ସହାୟକ ହୋଇ ପାରିବ । ଖୁଚୁରା ବଜାରରେ ପିଆଜର ଦର ୨୦ ଦିନ ପାଇଁ ବା ଖରିଫ ଫସଲ ବଜାରକୁ ଆସିବା ପର୍ଯ୍ୟନ୍ତ ଚାପ ଜାରି ରହିଥାଏ । ମାତ୍ର ଏଥର ସେଭଳି କୌଣସି ସମସ୍ୟା ସୃଷ୍ଟି ହେବ ନାହିଁ ବୋଲି ଶ୍ରୀ ସିଂହ କହିଛନ୍ତି ।

Get real time updates directly on you device, subscribe now.