fbpx

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ

କୋରାପୁଟସ୍ଥିତ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଦ୍ୱାଦଶତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଏହି ଅବସରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଷ୍ଟ୍ରପତି ତଥା ବିଶ୍ୱବିଦ୍ୟାଳୟର ଭିଜିଟର ରାମନାଥ କୋବିନ୍ଦ ବିଶ୍ୱବିଦ୍ୟାଳୟର ଉନ୍ନତି କାମନା କରିବା ସହିତ ଶୁଭେଚ୍ଛା ପ୍ରଦାନ କରିଥିଲେ । ମୁଲ୍ୟବୋଧଯୁକ୍ତ ଶିକ୍ଷାକୁ ଗୁରୁତ୍ୱ ଦେବା ସହିତ ସେ ଯୁବଶକ୍ତିର ପ୍ରତିଷ୍ଠା ନେଇ ନୂତନ ଆଶା ସଂଚାର କରିଥିଲେ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏକ ସ୍ୱତନ୍ତ୍ର ଭିଡିଓ ମାଧ୍ୟମରେ ନିଜ ଶୁଭେଚ୍ଛା ବାର୍ତା ପ୍ରଦାନ କରିଥିଲେ । ଶିକ୍ଷାର ମୂଳ ଭିତି ଓ ଆଦର୍ଶ ପ୍ରସଙ୍ଗ ଉତ୍ଥାପନ କରିବା ସହିତ ଅତୀତ ଓ ସାଂପ୍ରତିକ ଭାରତର ମହତ୍ୱ ପୂର୍ଣ୍ଣ ଯୋଗଦାନକୁ ଉଲ୍ଲେଖ କରିଥିଲେ । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଆଇ.ରାମବ୍ରହ୍ମମ ପତାକା ଉତୋଳନ କରି ଆରମ୍ଭ କରିଥିଲେ ।

ଶିକ୍ଷାମନ୍ତ୍ରୀ ଡ. ରମେଶ ପୋଖରୀୟାଲ ନିଶଙ୍କ, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଅନଲାଇନ ପ୍ରତିଷ୍ଠା ଦିବସ ପାଳନରେ ନିଜର ବାର୍ତା ପ୍ରଦାନ କରିବା ସହିତ ନୂତନ କେନ୍ଦ୍ରୀୟ ପାଠାଗାର, ଶୈକ୍ଷିକ ଗୃହ, ଷ୍ଟାଫ କ୍ୱାଟର , ଅଫିସ/ପ୍ରଶାସନିକ ଗୃହ ଆଦିର ଭିତିପ୍ରସ୍ତର ସ୍ଥାପନ କରିଥିଲେ । ଶିକ୍ଷାମନ୍ତ୍ରୀ ଡ, ରମେଶ ପୋଖରୀୟାଲ ନିଶଙ୍କ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମହାମାରୀ କୋଭିଡ୍-୧୯ ସମୟରେ ଭରସା ଭଳି କାର୍ଯ୍ୟକ୍ରମ ଦ୍ୱାରା କରୋନା ବିରୋଧରେ କରାଯାଇଥିବା ସଚେତନ ମୂଳକ କାର୍ଯ୍ୟକୁ ବେଶ୍ ପ୍ରଶଂସା କରିଥିଲେ । ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିଷ୍ଠା ଦିବସ ପାଇଁ ଶୁଭେଚ୍ଛା ବାର୍ତା ଦେବା ସହିତ କୋରାପୁଟ ତଥା ଓଡିଶାର ଶୈକ୍ଷିକ ବିକାଶ ସହିତ ରାଷ୍ଟ୍ରର ବିକାଶ ଏବଂ କେତେକ ସ୍ୱତନ୍ତ୍ର ଦିଗରେ ବିଶ୍ୱବିଦ୍ୟାଳୟ କାର୍ଯ୍ୟ ନେଇ ଆଶା ସଂଚାର କରିଥିଲେ । ନୂତନ ଶିକ୍ଷା ନୀତି ଆଧାରରେ ଶୈକ୍ଷିକ ପ୍ରତିଷ୍ଠାନ ଏବଂ ଶିଳ୍ପସଂସ୍ଥାକୁ ଯୋଡିହୋଇ ଜନଜାତୀୟ ଓ ନୃତାତ୍ୱିକ ବିଷୟ ସମ୍ପର୍କିତ ଗବେଷଣା ଦ୍ୱାରା ସାମୂହିକ ବିକାଶ ସାଧିତ ହୋଇପାରିବ ବୋଲି ମତ ରଖିଥିଲେ ।

ଓଡିଶା କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ଆଇ.ରାମବ୍ରହ୍ମମ୍ ଏହି ଉତ୍ସବରେ ସଭାପତିତ୍ୱ କରିଥିଲେ । କୁଳପତି ଉତ୍ସବରେ ସମସ୍ତଙ୍କୁ ସ୍ୱାଗତ କରିବା ସହ ବିଶ୍ୱବିଦ୍ୟାଳୟର ନୂତନ ଲକ୍ଷ୍ୟ ଓ ଆଭିମୁଖ ସମ୍ପର୍କରେ ମତ ରଖିଥିଲେ । ମୁଖ୍ୟ ଅର୍ଥ ପରାମର୍ଶଦାତା ଡ.ସଞ୍ଜିବ ସାନ୍ୟାଲ୍ ବକ୍ତା ଭାବେ ଯୋଗ ଦେଇ ଯୁବ ସମାଜକୁ ନିଜର ସକାରାତ୍ମକ ଦୃଷ୍ଟି ଅନୁପ୍ରାଣିତ ହେବ ସହିତ ବାସ୍ତବ ଜୀବନରେ ମୂଲ୍ୟବୋଧ ଭିତିକ ଶିକ୍ଷାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ, ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ କୁମାର ସାହୁ, ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ଗରିଧର ଗାମଙ୍ଗ ଓ ୟୁଜିସିର ଅଧ୍ୟକ୍ଷ ପ୍ରଫେସର ଡି.ପି.ସିଂହ ପ୍ରମୁଖ ବିଶ୍ୱବିଦ୍ୟାଳୟ ଉନ୍ନତି କାମାନା ପୂର୍ବକ ନିଜର ଅଭିନନ୍ଦନ ବାର୍ତା ଜଣାଇଥିଲେ । ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳଧିପତି ପ୍ରଫେସର ପି.ଭି କ୍ରିଷ୍ଣାଭଟ୍ଟ ନିଷ୍ଠାପରତା ଓ ଶ୍ରମ ହିଁ ଭବିଷ୍ୟତର ସମ୍ପଦ ବୋଲି କହିଥିଲେ ।

ଏହି ଅବସରରେ ୧୨ଟି ବୃକ୍ଷ କୁଳପତିଙ୍କ ଦ୍ୱାରା ରୋପଣ କରାଯାଇଥିଲା । ଏହା ସହ ସ୍ମୃତିମୟ ଏକାଦଶ ବର୍ଷର ଅନୁଭୁତିକୁ ଭିତି କରି ପ୍ରସ୍ତୁତ ହୋଇଥିବା ‘ସ୍ମରଣିକା’କୁ ଶିକ୍ଷାମନ୍ତ୍ରୀ ଡ. ରମେଶ ପୋଖରୀୟାଲ ନିଶଙ୍କ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ମିଳିତଭାବେ ଉନ୍ମୋଚନ କରିଥିଲେ । ପ୍ରାରମ୍ଭରେ ବିଶ୍ୱ ବିଦ୍ୟାଳୟର ପ୍ରଫେସର ଶରତ କୁମାର ପଳିତା ସ୍ୱାଗତ ଭାଷଣ ଦେଇଥିଲା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ । ବିଶ୍ୱବିଦ୍ୟାଳୟର କୁଳସଚିବ ଡ. ଅସିତ କୁମାର ଦାସ । ସାମ୍ବାଦିକତା ଓ ଜନସଂଚାର ବିଭାଗର ଅଧ୍ୟାପକ ଡ. ସୌରଭ ଗୁପ୍ତା କାର୍ଯ୍ୟକ୍ରମର ସଂଚାଳନ କରିଥିଲେ ।

Get real time updates directly on you device, subscribe now.