fbpx

ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚମ୍ପଇ ସୋରେନ୍

ନୂଆଦିଲ୍ଲୀ: ସବୁ କଳ୍ପନା ଜଳ୍ପନା ଉପରୁ ପରଦା ହଟିଛି । ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚମ୍ପଇ ସୋରେନ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ସିପି ରାଧାକୃଷ୍ଣନ ଚମ୍ପଇଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଗତ ଗୁରୁବାର ଦିନ ସନ୍ଧ୍ୟା ସମୟରେ ଚମ୍ପଇ ରାଜ୍ୟପାଳଙ୍କୁ ଦ୍ୱିତୀୟ ଥର ପାଇଁ ଭେଟି ବହୁମତ ନେଇ ଦାବି କରିଥିଲେ । ଏହାପରେ ରାଜ୍ୟପାଳ ତାଙ୍କୁ ସରକାର ଗଠନ ନେଇ ଆମନ୍ତ୍ରଣ କରିଥିଲେ ।

ଗତ ମାସ ୩୧ ତାରିଖରେ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ଗିରଫ କରିଥିଲା । ଏହାପରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମମ)ର ନେତା ଚମ୍ପଇଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଥିଲା । ତେବେ ଜେଏମଏମ-କଂଗ୍ରେସ ମେଣ୍ଟକୁ ବିଜେପି ଭାଙ୍ଗିଦେବାର ଆଶଙ୍କା କରି ସମସ୍ତ ବିଧାୟକଙ୍କୁ ରାଜ୍ୟ ବାହାରକୁ ନେବାର ବ୍ୟବସ୍ଥା କରାଯାଇଥିଲା । ମାତ୍ର ପାଗ ଖରାପ କାରଣରୁ ତାହାକୁ ବାତିଲ୍ କରିଦିଆଯାଇଥିଲା ।

ଗୋଟିଏ ପଟେ ଚମ୍ପଇ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଅନ୍ୟପଟେ ହେମନ୍ତଙ୍କୁ ଆଜି ଲାଗିଛି ଏକ ବଡ଼ ଝଟକା । ଇଡିର ଗିରଫଦାରୀକୁ ବିରୋଧ କରି ହେମନ୍ତ ସୁପ୍ରିମକୋର୍ଟରେ ଏକ ପିଟିସନ ଦାୟର କରିଥିଲେ । ମାତ୍ର ସର୍ବୋଚ୍ଚ ଅଦାଲତ ଉକ୍ତ ପିଟିସନର ଶୁଣାଣି କରିବାକୁ ଅଗ୍ରାହ୍ୟ କରିଦେବା ସହ ହାଇକୋର୍ଟରେ ଅପିଲ କରିବାକୁ ପରାମର୍ଶ ଦେଇଥିଲେ । ୬୮ ବଷୀୟ ଚମ୍ପଇ ସର୍ବପ୍ରଥମେ ୧୯୯୧ ମସିହାରେ ସରାୟକେଲା ଉପନର୍ବାଚନରେ ବିଜୟୀ ହୋଇଥିଲେ । ସେ ୭ ଥର ରାଜ୍ୟ ବିଧାନସଭାକୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେ ହେମନ୍ତ ସୋରେନଙ୍କ ସରକାରରେ ଦୁଇଥର ମନ୍ତ୍ରୀ ପଦ ସମ୍ଭାଳିଥିଲେ । ରାଜ୍ୟପାଳଙ୍କ ନିର୍ଦ୍ଦେଶ ମୁତାବକ, ୧୦ ଦିନ ମଧ୍ୟରେ ଚମ୍ପାଇଙ୍କୁ ବହୁମତ ସାବ୍ୟସ୍ତ କରିବାକୁ ପଡ଼ିବ । ଆଜି ଆଉ ଦୁଇଜଣ ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

Get real time updates directly on you device, subscribe now.