fbpx

ଧୋନୀଙ୍କ ୧୧୦ ମିଟର ଛକା ସାଜିଲା ପ୍ରତିବନ୍ଧକ! ପ୍ଲେଅଫରୁ ବିଦା ହେଲା ଚେନ୍ନାଇ, ହିରୋ ସାଜିଲେ ୟଶ୍ ଦୟାଲ

Advertisement

ନୂଆଦିଲ୍ଲୀ: ଆଇପିଏଲର ଏକ ବଡ଼ ରୋମାଞ୍ଚକର ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସକୁ ୨୭ ରନରେ ପରାସ୍ତ କରି ପ୍ଲେଅଫରେ ନିଜର ସ୍ଥାନ ପକ୍କା କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଆରସିବିର ଏହି ବିଜୟର ହିରୋ ୟଶ ଦୟାଲ ସାଜିଥିବା ବେଳେ ମ୍ୟାଚର ଅନ୍ତିମ ଓଭରରେ ଚେନ୍ନାଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଆଉଟ୍ ହୋଇ ସିଏସକେକୁ ପଞ୍ଚମ ଥର ଚାମ୍ପିୟନ କରାଇବାରେ ବିଫଳ ହୋଇଛନ୍ତି । ପ୍ରଥମେ ବ୍ୟାଟିଂ କରି ଆରସିବି ୨୧୮ ରନର ବଡ଼ ସ୍କୋର କରିଥିବା ବେଳେ ଚେନ୍ନାଇ ୭ଟି ୱିକେଟ ହରାଇ ୧୯୧ ରନ୍ କରିବାକୁ ସମର୍ଥ ହୋଇପାରିଥିଲା ।

ଆରସିବିକୁ ପ୍ଲେଅଫରେ ପହଞ୍ଚିବା ପାଇଁ ଚେନ୍ନାଇ ବିପକ୍ଷରେ ଅତିକମରେ ୧୮ ରନରେ ବିଜୟୀ ହେବା ଜରୁରୀ ଥିଲା । ଅର୍ଥାତ ସିଏସକେ ଯଦି ୨୦୧ ରନ୍ କରିପାରିଥାନ୍ତା ତେବେ ଆରସିବିକୁ ପଛକୁ ହଟାଇ ଧୋନୀଙ୍କ ଟିମ୍ ପ୍ଲେଅଫରେ ପହଞ୍ଚି ପାରିଥାନ୍ତା । ୧୯ ଓଭର ଶେଷ ସୁଦ୍ଧା ଚେନ୍ନାଇ ୧୮୪ ରନ୍ ସଂଗ୍ରହ କରିସାରିଥିଲା । ୨୦ ଓଭରରେ ଚେନ୍ନାଇକୁ ୧୭ ରନ୍ ସଂଗ୍ରହ କରିବାର ଆବଶ୍ୟକତା ରହିଥିଲା । ଧୋନୀଙ୍କ ପାଇଁ ଏହା ଏକ ମୁସ୍କିଲ କାର୍ଯ୍ୟ ନଥିଲା । ମାତ୍ର ଶେଷ ଓଭରରେ ବୋଲିଂ କରିବାକୁ ଆସିଥିବା ପେସ ବୋଲର ୟଶ ଦୟାଲ ଉଚ୍ଚକୋଟୀର ବୋଲିଂ କରି ବାଜି ପଲଟାଇ ଦେଇଥିଲେ ।

ପ୍ରଥମ ବଲରେ ଧୋନୀ ଚଳିତ ଆଇପିଏଲ ଦୀର୍ଘତମ ଛକା (୧୧୦ ମିଟର) ମାରିବା ପରେ ଦ୍ୱିତୀୟ ବଲରେ ଆଉଟ୍ ହୋଇଯାଇଥିଲେ । ଏହାପରେ ତୃତୀୟ ବଲରେ ଶାର୍ଦୁଲ ଠାକୁର କୌଣସି ରନ୍ କରିନଥିବା ବେଳେ ଚତୁର୍ଥ ବଲରେ ୧ ରନ୍ ନେଇଥିଲେ । ପଞ୍ଚମ ଓ ଷଷ୍ଠ ବଲରେ ରବିନ୍ଦ୍ର ଜାଡ଼େଜା କୌଣସି ରନ୍ କରିପାରିନଥିଲେ । ଫଳରେ ଚେନ୍ନାଇ ୧୯୧ ରନରେ ଅଟକିବା ସହିତ ମ୍ୟାଚରେ ହାରିବା ସହିତ ପ୍ଲେଅଫରୁ ବାଦ୍ ପଡ଼ିଥିଲା । ଧୋନୀ ଛକା ମାରିବା ପରେ ଚେନ୍ନାଇକୁ ୫ଟି ବଲରେ ମାତ୍ର ୧୧ ରନ ଆବଶ୍ୟକ ହେଉଥିଲା । ତେବେ ଧୋନୀଙ୍କ ଛକା ପରୋକ୍ଷରେ ଆରସିବିର ବିଜୟରେ ସହାୟକ ହୋଇଥିଲା । ଗତବର୍ଷ ଶେଷ ଓଭରରେ ରିଙ୍କୁ ସିଂହ ୟଶ ଦୟାଲଙ୍କୁ ୫ଟି ଛକା ମାରି କୋଲକତାକୁ ଶାନଦାର ବିଜୟ ଭେଟି ଦେଇଥିଲେ । ତେଣୁ ଅତୀତର ଭୁଲର ପୁନରାବୃତ୍ତି କରିନଥିଲେ ଦୟାଲ । ଧୋନୀଙ୍କ ବିରାଟକାୟ ଛକା ବାହାରକୁ ଚାଲିଯାଇଥିବାରୁ ଅମ୍ପାୟାରଙ୍କୁ ଆଉ ଏକ ମଗାଇବାକୁ ପଡ଼ିଥିଲା । ପୂର୍ବ ବଲ ଓଦା ଥିବାରୁ ବୋଲିଂ ପାଇଁ ସମସ୍ୟା ସୃଷ୍ଟି ହେଉଥିଲା । ସେଥିପାଇଁ ବେଙ୍ଗାଲୁରୁ ବଲ ପରିବର୍ତ୍ତନ ପାଇଁ ଅନେକ ଥର ଅପିଲ କରିଥିଲା । ତେବେ ନୂଆ ବଲର ଫାଇଦା ଆରସିବିକୁ ମିଳିଥିଲା । ଦୟାଲ ସ୍ଲୋ ବଲ ଓ ୟର୍କର ସଠିକ୍ ଉପଯୋଗ କରି ଟିମକୁ ବିଜୟୀ କରାଇବାରେ ସକ୍ଷମ ହୋଇପାରିଥିଲେ ।

Get real time updates directly on you device, subscribe now.