fbpx

ଗରିବଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପହାର: ବେକାର ଯୁବକଙ୍କୁ ପ୍ରତି ମାସରେ ମିଳିବ ୨୫୦୦ ଟଙ୍କା ଭତ୍ତା, ବଜେଟରେ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟରେ ଏକ ବଡ଼ ଘୋଷଣା କରିଛନ୍ତି । ରାଜ୍ୟର ସମସ୍ତ ବେକାର ଯୁବକଙ୍କୁ ପ୍ରତି ମାସରେ ୨୫୦୦ ଟଙ୍କା ଲେଖାଏଁ ବେରୋଜଗାରୀ ଭତ୍ତା ପ୍ରଦାନ କରିବାକୁ ଚଳିତ ବଜେଟରେ ନିଷ୍ପତ୍ତି ହୋଇଛି । ଏଥିପାଇଁ ଚଳିତ ବଜେଟରେ ୧ ଲକ୍ଷ ୨୧ ହଜାର ୫୦୦ କୋଟି ଟଙ୍କା ମଞ୍ଜୁରୀ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅଙ୍ଗନୱାଡ଼ି କର୍ମୀ, ହୋମ ଗାର୍ଡ, କୋଟୱାର ଓ ଅନ୍ୟମାନଙ୍କ ପାଇଁ ମଧ୍ୟ ସମ୍ମାନଜନକ ଭତ୍ତା ବୃଦ୍ଧି କରିଛନ୍ତି ।

ଏହି ଯୋଜନା ମାଧ୍ୟମରେ ୧୮ରୁ ୩୫ ବର୍ଷୀୟ ସମସ୍ତ ବେକାର ଯୁବକମାନେ ଉପକୃତ ହୋଇ ପାରିବେ । ତେବେ ଏଥିପାଇଁ ଜଣେ ଯୁବକ ଯୁକ୍ତଦୁଇ ପାସ କରିଥିବା ଆବଶ୍ୟକ । ଏଥିସହିତ ତାଙ୍କର ପରିବାରର ବାର୍ଷିକ ଇନକମ୍ ୨.୫୦ ଲକ୍ଷରୁ କମ୍ ହୋଇଥିବା ଆବଶ୍ୟକ । ଏହିସବୁ ସର୍ତ୍ତ ପୂରଣ କରୁଥିଲେ ହିଁ ଜଣେ ସରକାରଙ୍କ ଏହି ଯୋଜନାର ଫାଇଦା ଉଠାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ ବଘେଲ ବିଧାନସଭାରେ କହିଛନ୍ତି । ସର୍ବାଧିକ ୨ ବର୍ଷ ଅବଧି ପାଇଁ ଏହି ବେକାରୀ ଭତ୍ତା ପ୍ରଦାନ କରାଯିବ । ଏହି ଯୋଜନା ପାଇଁ ବଜେଟରେ ୨୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ସେହିପରି ଅଙ୍ଗନୱାଡ଼ି କର୍ମୀଙ୍କ ଓ ସହାୟିକାଙ୍କ ମାସିକ ବେତନ ଯଥାକ୍ରମେ ୬,୫୦୦ରୁ ୧୦,୦୦୦ ଏବଂ ୩,୨୫୦ରୁ ୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ମିନି-ଅଙ୍ଗନୱାଡ଼ି କର୍ମୀଙ୍କ ମାସିକ ବେତନ ୪,୫୦୦ରୁ ୭,୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଏଥିସହିତ ଗ୍ରାମ କୋଟୱାରଙ୍କ ପାଇଁ ବେତନ ବୃଦ୍ଧି ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଗ୍ରାମ ପଟେଲଙ୍କ ବେତନ ୨ ହଜାରରୁ ୩ ହଜାରକୁ ବୃଦ୍ଧି କରାଯାଇଛି । ସ୍କୁଲମାନଙ୍କରେ ଚାଲିଥିବା ମିଡ-ଡେ ମିଲ ଯୋଜନା ଅଧିନରେ ରୋଷେୟାଙ୍କ ମାସିକ ବେତନ ୧୫୦୦ରୁ ୧୮୦୦ ଟଙ୍କାକୁ ମଧ୍ୟ ବୃଦ୍ଧି କରାଯାଇଛି । ସାନିଟେସନ କର୍ମଚାରୀଙ୍କ ମାସିକ ବେତନ ୨୫୦୦ରୁ ୨୮୦୦ ଟଙ୍କା ଓ ହୋମ ଗାର୍ଡଙ୍କ ମାସିକ ବେତନ ୬,୩୦୦ରୁ ୬,୪୨୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଚଳିତ ବର୍ଷ ଏପ୍ରିଲ ମାସ ପହିଲାରୁ ଏହି ନୂଆ ଘୋଷଣା କାର୍ଯ୍ୟକାରୀ ହେବ ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଶାସନାଧୀନ କଂଗ୍ରେସ ସରକାର ଯୁବକ, କୃଷକ, ଶ୍ରମିକ, ମହିଳା ଓ କର୍ମଚାରୀଙ୍କ ସୁବିଧା ପାଇଁ ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ଖରିଫ ଶସ୍ୟ ସବସିଡି ବାବଦରେ ରାଜ୍ୟ ସରକାର ୬,୮୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ବଘେଲ କହିଛନ୍ତି । ରାଜୀବ ଗାନ୍ଧି କିଷାନ ନ୍ୟାୟ ଯୋଜନା ଅଧିନରେ ଧାନ ଚାଷୀଙ୍କୁ ଏହି ବେନିଫିଟ୍ ମିଳିବ ବୋଲି କୁହାଯାଇଛି । ରାଜ୍ୟରେ ୪ଟି ମେଡିକାଲ କଲେଜ ପ୍ରତିଷ୍ଠା ନେଇ ଚଳିତ ବଜେଟରେ ୨୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

Get real time updates directly on you device, subscribe now.