ଭୁବନେଶ୍ୱର, ୧୭ା୪(ଓଡ଼ିଶା ଭାସ୍କର): ପୂର୍ବତନ ମନ୍ତ୍ରୀ ଓ ଚମ୍ପୁଆ ବିଧାୟକ ସହରାଇ ଓରାମଙ୍କ ପରଲୋକ ଘଟିଛି । ତାଙ୍କର ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହ ସମବେଦନା ଜଣାଇଛନ୍ତି । ସେ ବିଜୁ ବାବୁଙ୍କର ଜଣେ ଦୀର୍ଘ ସହଯୋଗୀ ଏବଂ ଲୋକଙ୍କ ବିକାଶ ତଥା କଲ୍ୟାଣ ପାଇଁ ତାଙ୍କର ଅବଦାନ ଅତୁଳନୀୟ ଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାସହ ତାଙ୍କର ମୃତ୍ୟୁରେ ଶୋକସନ୍ତପ ପରିବାର ପ୍ରତି ଗଭୀର ସମାବେଦନା ଜଣାଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ କେନ୍ଦୁଝରର ଭଦ୍ରାସାହି ବାସଭବନରେ ସହରାଇ ଓରାମଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ବର୍ଷ ବୟସ ହୋଇଥିଲା । ବହୁ ଦିନ ଧରି ପକ୍ଷାଘାତ ରୋଗରେ ସେ ପୀଡ଼ିତ ଥିଲେ । ଉଲ୍ଲେଖଯୋଗ୍ୟ ଯେ ବିଜୁ ପଟ୍ଟନାୟକଙ୍କ ସରକାର ସମୟରେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ ସହରାଇ । ଚମ୍ପୁଆ ଆସନରୁ ୫ଥର ବିଧାୟକ ଭାବେ ସେ ନିର୍ବାଚିତ ହୋଇଥିଲେ । ଉକ୍ରଳ କଂଗ୍ରେସ, ଜନତା ଦଳରୁ ଓ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ । ଖଣି, ଗ୍ରାମ୍ୟ ଉନ୍ନୟନ, ନଗର ଉନ୍ନୟନ ଓ ଜଙ୍ଗଲ ବିଭାଗର ସେ ମନ୍ତ୍ରୀ ଥିଲେ ।
ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ସହରାଇ ଓରାମଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଚମ୍ପୁଆ ଆସନରୁ ୫ଥର ବିଧାୟକ ଏବଂ ବିଜୁବାବୁଙ୍କ ସରକାରରେ ମନ୍ତ୍ରୀ ଭାବେ ଲୋକଙ୍କ ସେବା ପାଇଁ ସେ କରିଥିବା କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି।
— Naveen Patnaik (@Naveen_Odisha) April 17, 2020