fbpx

ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ବିଜେପି ବିଧାୟକ ବା ବିରୋଧୀ ଦଳ ନେତା ବିଷ୍ଣୁସେଠୀଙ୍କର ପରଲୋକ ହୋଇଛି । ବିଷ୍ଣୁଙ୍କ ବିୟୋଗରେ ଅନେକ ବରିଷ୍ଠ ନେତା, ମନ୍ତ୍ରୀ ଓ ଲୋକମାନେ ଶୋକବ୍ୟକ୍ତ କରୁଛନ୍ତି । ବିଷ୍ଣୁଙ୍କ ମୃତ୍ୟୁ ଖବର ଶୁଣି ମର୍ମାହତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଟ୍ୱିଟ୍ କରି ସେ କହିଛନ୍ତି ଯେ, ‘ ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଜନପ୍ରତିନିଧି ଭାବେ ଲୋକଙ୍କ ପାଇଁ ତାଙ୍କ କଲ୍ୟାଣକାରୀ କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି।’

ବିଷ୍ଣୁ ସେଠୀଙ୍କ ବିୟୋଗରେ ରାଜ୍ୟପାଳ ଗଣେଶୀଲାଲ୍‌ ଶୋକ ପ୍ରକାଶ କରିଛନ୍ତି। ବିଷ୍ଣୁ ସେଠୀଙ୍କୁ ଜଣେ ଦକ୍ଷ ବିଧାୟକ ଓ ଲୋକପ୍ରିୟ ରାଜନେତା ଭାବରେ ବର୍ଣ୍ଣନା କରି ତାଙ୍କ ଅମର ଆତ୍ମାର ସଦଗତତି କାମନା କରିଛନ୍ତି । ସେହିପରି ବିଷ୍ଣୁ ସେଠୀଙ୍କ ବିୟୋଗରେ ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଶୋକ ପ୍ରକାଶ କରିଛନ୍ତି। ଧାମନଗର ବିଧାୟକ ତଥା ବିଧାନସଭାର ଉପନେତା ବିଷ୍ଣୁ ସେଠୀଙ୍କ ଅକାଳ ବିୟୋଗରେ ମୁଁ ଅତ୍ୟନ୍ତ ମର୍ମାହତ ଓ ଦୁଃଖିତ । ବିରୋଧି ଦଳ ଉପନେତା ଭାବରେ ବିଧାନସଭାରେ ବିଭିନ୍ନ ସମସ୍ୟାକୁ ନେଇ ସରକାରଙ୍କୁ ସମାଲୋଚନା କରିବାରେ ତାଙ୍କର ବଳିଷ୍ଟ ଭୂମିକା ଥିଲା ବୋଲି କହିଛନ୍ତି ବିଶ୍ୱଭୂଷଣ ହରିଚନ୍ଦନ ।

ବିଷ୍ଣୁ ସେଠୀଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକଟ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସେ କହିଛନ୍ତି, ଓଡ଼ିଶା ବିଧାନସଭାର ବିରୋଧୀ ଦଳର ଉପନେତା, ଆମ ଦଳର ବରିଷ୍ଠ ନେତା ତଥା ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ବିଷ୍ଣୁ ଭାଇଙ୍କ ସହ ମୋର ପାରିବାରିକ ସମ୍ପର୍କ ଥିଲା।ଜଣେ ବଡ଼ ଭାଇ ଭାବରେ ସେ ମୋତେ ସ୍ନେହ ଆଦର କରନ୍ତି ।

ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ସାଂସଦ ବସନ୍ତ ପଣ୍ଡା, କଂଗ୍ରେସର ପୁରୁଖା ନେତା ନରସିଂହ ମିଶ୍ର, ଶିକ୍ଷା ମନ୍ତ୍ରୀ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ପିସିସି ସଭାପତି ଶରତ ପଟ୍ଟନାୟକ, ସାଂସଦ ବସନ୍ତ ପଣ୍ଡା, କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି, ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର, ବରଗଡ଼ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖ ମଧ୍ୟ ବିଷ୍ଣୁ ସେଠୀଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

Get real time updates directly on you device, subscribe now.