fbpx

ଆଜି ସନ୍ଧ୍ୟାରେ ହବିଷ୍ୟାଳୀ କାର୍ତ୍ତିକ ବ୍ରତର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ, ଜଣାଇଲେ ଶୁଭେଚ୍ଛା ଓ ଅଭିନନ୍ଦନ

Advertisement

ପୁରୀ: ପବିତ୍ର ମହାକାର୍ତ୍ତିକ ବ୍ରତ ଆଜିଠାରୁ ଏକମାସ ବ୍ୟାପୀ ଆରମ୍ଭ ହେଉଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ପୁରୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ହବିଷ୍ୟାଳୀ କାର୍ତ୍ତିକ ବ୍ରତର ଶୁଭାରମ୍ଭ କରିବେ । ମୁଖ୍ୟମନ୍ତ୍ରୀ ପୁରୀକୁ ଆସୁଥିବା ସମସ୍ତ ହବିଷ୍ୟାଳୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

ହବିଷ ବ୍ରତପାଇଁ ସମଗ୍ର ପୁରୀ ସହର ଉତ୍ସବମୁଖର ହୋଇଉଠିଛି । ହବିଷ୍ୟାଳୀମାନେ ସହରରେ ଥିବା ବିଭିନ୍ନ ଧର୍ମଶାଳା, ଲଜିଂ ଓ ମଠବାଡି ସମେତ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥିରିକୃତ ପାଞ୍ଚୋଟି ହବିଷ୍ୟାଳୀ କେନ୍ଦ୍ରରେ ପ୍ରାୟ ୩ ହଜାରରୁ ଅଧିକ ହବିଷ୍ୟାଳୀ ରହି ବ୍ରତ ପାଳନ କରୁଛନ୍ତି । ପ୍ରତ୍ୟୁଷରୁ ବ୍ରତଧାରୀମାନେ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ତୀର୍ଥପୁଷ୍କରିଣୀ ସମେତ ମହୋଦଧିରେ ସ୍ନାନସାରି ବ୍ରତପାଳନ ଲାଗି ଛଞ୍ଚା ଟେକିବାପରେ ସଂକଳ୍ପ ପୂର୍ବକ କାର୍ତ୍ତିକ ବ୍ରତ ଆରମ୍ଭ କରିଛନ୍ତି । ବିଗତ ଏକାଦଶୀଠାରୁ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ରାଧାଦାମୋଦର ବେଶ ଓ ବାଳଭୋଗ ନୀତି ସମ୍ପନ୍ନ ହେଉଅଛି । ଏହି ବେଶ ଶୁକ୍ଳ ଦଶମୀ ଯାଏ ଚାଲିବ ।

କାର୍ତ୍ତିକ ମାସରେ ଠାକୁରମାନଙ୍କ କେତେକ ବିଶେଷ ନୀତି ଅନୁଷ୍ଠିତ ହେଉଥିବାରୁ ସେ ସବୁକୁ ଶୃଙ୍ଖଳିତ କରିବାପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଛତିଶା ନିଯୋଗ ବୈଠକରେ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି । ତୀର୍ଥଯାତ୍ରୀ ତଥା ହବିଷ୍ୟାଳିମାନଙ୍କ ସୁରକ୍ଷା ତଥା ନିରାପତ୍ତାଲାଗି ଜିଲା ପୁଲିସ ପ୍ରଶାସନ ପକ୍ଷରୁ ମନ୍ଦିର ପରିସରରେ ସ୍ୱତନ୍ତ୍ର ପୁଲିସ ବନ୍ଦୋବସ୍ତ କରାଯାଇଛି ।

Get real time updates directly on you device, subscribe now.