fbpx

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା… ୫୦୦ ଟଙ୍କାରେ LPG ସିଲିଣ୍ଡର ପାଇବେ ଗ୍ରାହକ: କାହାକୁ ମିଳିବ ସୁବିଧା?

ନୂଆଦିଲ୍ଲୀ: ଦିନକୁ ଦିନ ମହଙ୍ଗା ମାଡ଼ ସାଧାରଣ ଜନତାଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଅତ୍ୟାବଶ୍ୟକ ସାମଗ୍ରୀରେ ଦରଦାମ୍ ବୃଦ୍ଧି ଖାଉଟିଙ୍କ ପାଇଁ ଅଡ଼ୁଆ ସାଜିଛି । ତେବେ ଏହାଭିତରେ ଏଲପିଜି ଗ୍ୟାସ ସିଲିଣ୍ଡର ଦାମ୍ ହ୍ରାସ କରିବା ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମାତ୍ର ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦେବା ପାଇଁ ଘୋଷଣା କରାଯାଇଛି । ରାଜ୍ୟର ମୋଟ ୪୬ ଲକ୍ଷ ପରିବାରକୁ ଏହି ଯୋଜନାରେ ଏଲପିଜି ସିଲିଣ୍ଡର ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀ ।

ହରିୟାଣାର ସମସ୍ତ ଜନତାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧୀନରେ ୧୨ ଲକ୍ଷ ହିତାଧିକାରୀ ମହିଳା ମାନଙ୍କୁ ଗ୍ୟାସ ସିଲିଣ୍ଡର ମାତ୍ର ୫୦୦ ଟଙ୍କାରେ ମିଳିପାରିବ । ରାଜ୍ୟର ୧.୮୦ ଲକ୍ଷରୁ କମ୍ ଆୟ କରୁଥିବା ମୋଟ ୪୬ ଲକ୍ଷ ପରିବାରକୁ ଏହି ସୁବିଧା ମିଳିପାରିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ପ୍ରତି ଘରେ ଗ୍ୟାସ୍ କନେକ୍ସନ ପହଞ୍ଚାଇଛନ୍ତି । ସେ କହିଛନ୍ତି ଯେ, ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଘରେ ଘରେ ଗ୍ୟାସ କନେକ୍ସନ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରିଛନ୍ତି ।

‘ରାଜ୍ୟସ୍ତରୀୟ ତୀଜ ମହୋତ୍ସବ’ କାର୍ଯ୍ୟକ୍ରମରେ ସମ୍ବୋଧନ କରିବା ସମୟରେ ସିଏମ ସୈନୀ କହିଛନ୍ତି ଯେ, କୌଶଳ ଜରିଆରେ ସ୍ୱାବଲମ୍ବୀ ହୋଇଥିବା ମୋ ଭଉଣୀମାନଙ୍କୁ ଦେଖି ଆଜି ଖୁବ ଖୁସି ଲାଗୁଛି । ଆଜି ସ୍ୱୟଂ ସହାୟତା ସମୁହର ଭଉଣୀମାନଙ୍କୁ ୧୦୦ କୋଟି ଟଙ୍କା ଋଣ ମଧ୍ୟ ପ୍ରଦାନ କରାଯାଇଛି । ଲଖପତି ଦିଦି କେବଳ ହରିୟାଣା ନୁହେଁ, ସାରା ଦେଶରେ ସୁନାମ ଅର୍ଜନ କରିଥିବାରୁ ସେମାନଙ୍କୁ ବଧେଇ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ୨୦୨୩ ମସିହାରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ୨ ଲକ୍ଷ ମହିଳାଙ୍କୁ ଲକ୍ଷପତି ଦିଦି କରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରଥମ ପର୍ଯ୍ୟାୟରେ ୬୨ ଲକ୍ଷ ମହିଳାଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ଲକ୍ଷ୍ୟ ରଖା ଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀ ।

Get real time updates directly on you device, subscribe now.