ଭୁବନେଶ୍ୱରରେ ପିଲାଚୋରି! ପ୍ରଥମେ ଜୁସ୍ ଦେଲେ, ମୋବାଇଲ୍ ଦେଖେଇଲେ, ଅନ୍ଧୁଣୀ ମା’ କୋଳରୁ ଝାମ୍ପିନେଲେ
ରାମ ମନ୍ଦିର ସାମ୍ନାରୁ ଅନ୍ଧୁଣୀ ମା' କୋଳରୁ ଦେଢ଼ ବର୍ଷର ଶିଶୁପୁତ୍ରକୁ ଝାମ୍ପି ନେଇଛି ଦୁର୍ବୃତ୍ତ। ସେପଟେ କାନ୍ଦି କାନ୍ଦି ପିଲାକୁ ଫେରାଇ ଦେବାକୁ ଗୁହାରୀ କରୁଛି ଅନ୍ଧୁଣୀ ମା'।
ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ। ଅନ୍ଧୁଣୀ ମା’ କୋଳରୁ ଦେଢ଼ ବର୍ଷର ଶିଶୁପୁତ୍ରକୁ ଦୁର୍ବୃତ୍ତ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ଆଉ ପିଲାକୁ ଚୋରି କରିବାର ଅଭିନବ ଉପାୟ ମଧ୍ୟ ଆଇଣାଇଥିଲା ପିଲା ଚୋର।
ଯେପରି କେହି ତା ଉପରେ ସନ୍ଦେହ ନ କରିବେ, ସେଥିପାଇଁ ପ୍ରଥମେ ମା’ ଓ ପିଲାକୁ ଜୁସ୍ ପିଇବାକୁ ଦେଇଥିଲା ଦୁର୍ବୃତ୍ତ। ପରେ ପିଲାକୁ ମୋବାଇଲ ଦେଖାଇଥିଲା, ଆଉ ଖେଳାଇବା ବାହାନାରେ ମା କୋଳରୁ ପିଲାକୁ ନେଇଗଲା ପିଲା ଚୋର।
ସେପଟେ ଯେହେତୁ ମା ଜଣକ ଅନ୍ଧ କିଛି ଦେଖିପାରୁନାହାନ୍ତି। ଏହାର ଭରପୁର ଫାଇଦା ଉଠାଇଥିଲା ଦୁର୍ବୃତ୍ତ। ଏହି ଘଟଣାଟି ରାଜଧାନୀ ଭୁବନେଶ୍ୱରରେ ଏବେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ଗତକାଲି ରାତ୍ରି ପ୍ରାୟ ୩ ଟା ସମୟରେ ରାମ ମନ୍ଦିର ପାଖରୁ ଅନ୍ଧୁଣୀ ମାଆ କୋଳରୁ ତା ଦେଢ ବର୍ଷର ଛୁଆକୁ ଝାମ୍ପି ନେଇଛି ଦୁର୍ବୃତ୍ତ। ସେପଟେ ପିଲାକୁ ଫେରାଇ ଦେବାକୁ କାନ୍ଦି କାନ୍ଦି ଗୁହାରି କରୁଛି ଅନ୍ଧୁଣୀ ମାଆ।
ପିଲା ଚୋରି ହୋଇଥିବା ନେଇ ମହିଳା ଜଣକ ଖାରବେଳ ନଗର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ବିଭିନ୍ନ ସିସିଟିଭିକୁ ଯାଞ୍ଚ କରାଯାଉଛି। ଅଙ୍ଗ ତସ୍କରି ପାଇଁ କିଡନାପ କରାଯାଇଥିବା ଶିଶୁର ମା ଅଭିଯୋଗ କରିଛନ୍ତି।
ଦୀର୍ଘ ୫ ବର୍ଷ ହେବ ରାମ ମନ୍ଦିର ସାମ୍ନାରେ ଏହି ଅନ୍ଧୁଣୀ ମହିଳା ଜଣକ ଭିକ୍ଷା ବୃତ୍ତି କରି ଆସୁଛନ୍ତି। ପୂର୍ବରୁ କେବେ ଏପରି ଘଟଣା ଘଟି ନଥିବା ବେଳେ , ଗତକାଲି ରାତ୍ରି ପ୍ରାୟ ୧୨ଟା ପାଖରୁ ଦୁର୍ବୃତ୍ତ ଜଣକ ରାମ ମନ୍ଦିର ପାଖରେ ବୁଲୁଥିବାର ଅଭିଯୋଗ କରିଛନ୍ତି ମହିଳା।