fbpx

ଜଳବାୟୁ ପରିବର୍ତ୍ତନର ଭୟଙ୍କର ପ୍ରଭାବ: ବଦଳୁଛି ମଶାଙ୍କର ବିକାଶ ଓ ବ୍ୟବହାର, ମ୍ୟାଲେରିଆକୁ ରୋକିବା ମୁସ୍କିଲ, ରିସର୍ଚ୍ଚ ତଥ୍ୟ

ନୂଆଦିଲ୍ଲୀ: ବର୍ତ୍ତମାନ ଦିନକୁ ଦିନ ଜଳବାୟୁ ପରିବର୍ତ୍ତନ ହେବାରେ ଲାଗିଛି । ଏହାର ଫଳସ୍ୱରୂପ ମାନବ ସଭ୍ୟତା ବିପଦ ଆଡ଼କୁ ମୁହାଁଇବାରେ ଲାଗିଛି । ତେବେ ତାପମାତ୍ରା ବୃଦ୍ଧି କାରଣରୁ ମଶାଙ୍କ ବ୍ୟବହାରରେ ପରିବର୍ତ୍ତନ ଦେଖିବାକୁ ମିଳୁଛି । ମଶାମାନେ ଏବେ ପୂର୍ବାପେକ୍ଷା ଦ୍ରୁତଭାବେ ବିକଶିତ ହେଉଛନ୍ତି । ତେଣୁ ମ୍ୟାଲେରିଆ ପରି ରୋଗ ବୃଦ୍ଧି ପାଉଛି । ଗରମ ବଢ଼ୁଥିବାରୁ ମଶା ଦାଉରୁ ରକ୍ଷା ପାଇବା ଯେତିକି ମୁସ୍କିଲ ହୋଇପଡ଼ିବ, ମ୍ୟାଲେରିଆ ସହିତ ଲଢ଼େଇ କରିବା ମଧ୍ୟ ସେତିକି କଠିନ ହେବ ।

ଜଳବାୟୁ ପରିବର୍ତ୍ତନର ପ୍ରଭାବ ପ୍ରତ୍ୟେକ ଜିନିଷ ଉପରେ ପଡ଼ୁଛି । ମଶାମାନେ ମଧ୍ୟ ଏଥିରୁ ନିସ୍ତାର ପାଉ ନାହାନ୍ତି । ତାପମାତ୍ରା ବୃଦ୍ଧି ଓ ପ୍ରବଳ ବର୍ଷା କାରଣରୁ ମଶା ପରି କ୍ଷୁଦ୍ର କୀଟଙ୍କର ବିକାଶ ଓ ବ୍ୟବହାରରେ ପରିବର୍ତ୍ତନ ଦେଖିବାକୁ ମିଳୁଛି । ମଶାଙ୍କର ବ୍ୟବହାର ବଦଳିବା କାରଣରୁ ମ୍ୟାଲେରିଆ ପରି ବିମାରୀର ରୋକଥାମ ଉପରେ ଗମ୍ଭୀର ପ୍ରଭାବ ପଡ଼ିବ ବୋଲି ନିକଟରେ ଦକ୍ଷିଣ ଆଫ୍ରିକାରେ କରାଯାଇଥିବା ଏକ ରିସର୍ଚ୍ଚରୁ ସ୍ପଷ୍ଟ ହୋଇଛି ।

ବୈଜ୍ଞାନିକଙ୍କ ମତରେ, ଯେଉଁ ହାରରେ ତାପମାତ୍ରା ବୃଦ୍ଧି ପାଉଛି, ଆସନ୍ତା ୨୦୨୫ ସୁଦ୍ଧା ଦକ୍ଷିଣ ଆଫ୍ରିକାର ତାପମାତ୍ରା ଅତିକମରେ ୦.୮ ଡିଗ୍ରୀ ସେଲସିୟସ ବଢ଼ିବାର ସମ୍ଭାବନା ରହିଛି । ବର୍ତ୍ତମାନ ଦକ୍ଷିଣ ଆଫ୍ରିକାର ଲିମ୍ପୋପୋ, ପୁମଲଙ୍ଗା ଓ କ୍ୱାଜୁଲୁ-ନତାଲ ପରି ତିନୋଟି ଅଞ୍ଚଳରେ ମ୍ୟାଲେରିଆ ରହିଛି । ସେଥିମଧ୍ୟରୁ ଲିମ୍ପୋପୋରୁ ୬୨ ପ୍ରତିଶତ ମ୍ୟାଲେରିଆ ଆସୁଥିବା ଜଣାପଡ଼ିଛି । ଗତ ୫୦ ବର୍ଷ ମଧ୍ୟରେ ଦକ୍ଷିଣ ଆଫ୍ରିକାର ତାପମାତ୍ରା ବିଶ୍ୱର ଆଭରେଜ ତାପମାତ୍ରା ଠାରୁ ଦ୍ରୁତ ଭାବେ ବଢ଼ିଥିବା ଦେଖାଯାଇଛି । ଲିମ୍ପୋପୋରେ ତାପମାତ୍ରା ସବୁଠାରୁ ଅଧିକ ବଢ଼ିଛି । ସେଠାରେ ପ୍ରତି ଦଶନ୍ଧିରେ ତାପମାତ୍ରାରେ ୦.୧୨ ଡିଗ୍ରୀ ସେଲସିୟସ ବୃଦ୍ଧି ଘଟିଥିବା ଦେଖାଯାଇଛି ।

ତେବେ ଏହି ବର୍ଦ୍ଧିତ ତାପମାତ୍ରା ମ୍ୟାଲେରିଆର ଆଶଙ୍କାକୁ ବୃଦ୍ଧି କରାଇବ । ଗରମ ସିଜିନରେ ଭେକ୍ଟର ମଶା ଦ୍ରୁତ ଭାବେ ବିକଶିତ ହୋଇଥାନ୍ତି । ନୂଆ ସ୍ଥାନକୁ ଏହି ମଶା ଯାଇ ଭେକ୍ଟର ଜନିତ ବିମାରୀର ବ୍ୟାପିବାର କାରଣ ସାଜିଥାନ୍ତି । ଯଦି ସାମାନ୍ୟ ବର୍ଷା ବଢ଼େ, ତେବେ ଏହି ମଶାର ବ୍ରିଡିଂର ସ୍ଥାନ ମଧ୍ୟ ବଢ଼ି ଯାଇଥାଏ । ଲିମ୍ପୋପୋରେ ହୋଇଥିବା ରିସର୍ଚ୍ଚ ମୁତାବକ, ଭାରି ବର୍ଷା ସମୟରେ ମ୍ୟାଲେରିଆର ମାମଲା ଅଧିକ ଆସିଥାଏ । ଜଳବାୟୁ ପରିବର୍ତ୍ତନ ଓ ମ୍ୟାଲେରିଆ ମଧ୍ୟରେ ଏକ ଜଟିଳ ସମ୍ବନ୍ଧ ରହିଛି ।

ପୃଥିବୀରେ ଗରମ ବଢ଼ିଲେ ମ୍ୟାଲେରିଆ ଭେକ୍ଟର ଦ୍ରୁତ ଭାବେ ବିକଶିତ ହେବ, ଦ୍ରୁତ ପ୍ରଜନନ ହେବ, ଅଧିକ କାମୁଡ଼ିବ, ଅଲଗା ଅଲଗା ସ୍ଥାନରେ ନିଜର ବିସ୍ତାର କରିବ । ଏହାର ଅର୍ଥ ହେଉଛି ମଶାର ଲାର୍ଭା ଶୀଘ୍ର ବୟସ୍କ ହୋଇଯିବ । ବୃଦ୍ଧ ମଶା ଯେତେ ଶୀଘ୍ର କାମୁଡ଼ିବ, ସେତେ ଶୀଘ୍ର ବିମାରୀ ବ୍ୟାପିବ । ସେ ଅଧିକ କାମୁଡ଼ିଲେ ଅଧିକ ବିମାରୀ ବ୍ୟାପିବ । ମଶାମାନେ ଅଧିକ ସମୟ ଥଣ୍ଡା ସ୍ଥାନରେ ଆରାମ କରି ନିଜର ବ୍ୟବହାରକୁ ବଦଳାଇ ପାରନ୍ତି ବୋଲି ରିସର୍ଚ୍ଚରୁ ଜଣାପଡ଼ିଛି । ସେହିପରି ଏମାନେ ତାପମାତ୍ରା ବଢ଼ିଲେ ମଧ୍ୟ ଜୀବିତ ରହିପାରନ୍ତି । ମଶାର ଏହି ବ୍ୟବହାର ପାରାସାଇଟ ଉକ୍ତ ତାପମାତ୍ରାରେ ଜୀବିତ ରହିବାରେ ସହାୟତା ପ୍ରଦାନ କରିଥାଏ ।

Get real time updates directly on you device, subscribe now.