fbpx

ଅକ୍ଷୟ ତୃତୀୟାରେ ଚାଷୀଙ୍କୁ ଭେଟି ଦେଲେ ମୁଖ୍ୟମନ୍ତ୍ରୀ: ଆକାଉଣ୍ଟକୁ ଆସିଲା କାଳିଆ ଟଙ୍କାର ଆଉ ଏକ କିସ୍ତି

Advertisement

ଭୁବନେଶ୍ୱର: ଅକ୍ଷୟ ତୃତୀୟା ଉପଲକ୍ଷେ ରାଜ୍ୟର ଚାଷୀମାନଙ୍କ ମୁହଁରେ ହସ ଭରି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଚାଷୀମାନଙ୍କୁ କାଳିଆ ଟଙ୍କାର ଆଉ ଏକ କିସ୍ତି ପ୍ରଦାନ କରିଛନ୍ତି । ରାଜ୍ୟର ମୋଟ ୪୦ ଲକ୍ଷରୁ ଅଧିକ ଚାଷୀମାନେ ଏହି ସୁବିଧାରେ ଉପକୃତ ହୋଇ ପାରିଛନ୍ତି । ସମସ୍ତଙ୍କ ଆକାଉଣ୍ଟକୁ ମୋଟ ୮୦୪ କୋଟି ଟଙ୍କା ପଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । ଅକ୍ଷୟ ତୃତୀୟା ଅବସରରେ ଆମର ଖାଦ୍ୟଦାତା ଚାଷୀମାନଙ୍କୁ ମୁଖ୍ୟମନ୍ତ୍ରୀ ଏହି ଭେଟି ଦେଇଛନ୍ତି । କାଳିଆ ଟଙ୍କା ପ୍ରଦାନ କରିବା ସହ ସେମାନଙ୍କୁ ସହାୟତାର ହାତ ବଢାଇଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୂଚନାଯୋଗ୍ୟ ଯେ, ଗତବର୍ଷ ସେପ୍ଟେମ୍ବର ମାସରେ ରାଜ୍ୟର ୩୭ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ୭୪୩ କୋଟି ଟଙ୍କା ପଠାଯାଇଥିଲା । ୩୭,୧୨,୯୧୪ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ କାଳିଆ ଯୋଜନାରେ ୭୪୨.୫୮ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା । ପ୍ରତ୍ୟେକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨ ହଜାର ଟଙ୍କା ଲେଖାଏଁ ଜମା କରାଯାଇଥିଲା ।

କାଳିଆ ଯୋଜନାରେ ଚାଷୀଙ୍କୁ ୧୮୭୪ କୋଟି ଟଙ୍କାର ସହାୟତା ଦିଆଯିବ ବୋଲି ଗତ ମାର୍ଚ୍ଚ ମାସ ୩୦ ତାରିଖରେ ଆଗତ ବଜେଟରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଘୋଷଣା କରିଥିଲେ । ମୋଟ ୧.୧୦ ଲକ୍ଷ କୋଟିର ବଜେଟ ଉପସ୍ଥାପନ କରାଯାଇଥିବା ବେଳେ ସରକାରୀ ଯୋଜନା ପାଇଁ ୧ ଲକ୍ଷ କୋଟିର ବ୍ୟବସ୍ଥା କରାଯାଇଥିଲା । ସେହିପରି ବିପର୍ଯ୍ୟୟ ମୁକାବିଲା ପାଇଁ ୩୨୦୦ କୋଟି, ସ୍ୱାସ୍ଥ୍ୟ ପାଇଁ ୧୨୨୦୦ କୋଟି, ମିଶନ ଶକ୍ତି ପାଇଁ ୨ ହଜାର କୋଟି, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ପାଇଁ ୧୮୬୪ କୋଟି ଟଙ୍କାର ବ୍ୟବବରାଦ କରାଯାଇଥିଲା ।

Get real time updates directly on you device, subscribe now.