fbpx

ଶପଥ ଗ୍ରହଣ ପୂର୍ବରୁ ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନୂଆଦିଲ୍ଳୀ: ଦେଶର ପ୍ରଥମ ଆଦିବାସୀ ମହିଳା ଭାବେ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ । ଯାହା ଓଡ଼ିଶା ତଥା ଓଡ଼ିଶାବାସୀଙ୍କ ପାଇଁ ଗର୍ବର ବିଷୟ । ସୋମବାର ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପଦ ପାଇଁ ଶପଥ ନେବାକୁ ଯାଉଛନ୍ତି । ତେବେ ଶପଥ ଗ୍ରହଣର ଗୋଟିଏ ଦିନ ପୂର୍ବରୁ ଦ୍ରୌପଦୀ ମୁର୍ମୂଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସହ ବିଜେଡିର ସବୁ ସାଂସଦମାନେ ମଧ୍ୟ ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି ।

ଏନେଇ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମ ସୂଚନା ଦେଇ କହିଛନ୍ତି ଦ୍ରୌପଦୀ ମୁର୍ମୁଙ୍କୁ ଦେଖାକରି ସେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାର ଝିଅ ରାଷ୍ଟ୍ରପତି ହେବା ସମ୍ମାନର ବିଷୟ । ଏହା ସହ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ରହିବା ନେଇ ମଧ୍ୟ କହିଛନ୍ତି ।

କାର୍ଯ୍ୟଭାର ଗ୍ରହଣ ସମାରୋହ ସଂସଦର ସେଣ୍ଟ୍ରାଲ ହଲରେ ଅନୁଷ୍ଠିତ ହେବ ଏବଂ ଏଥିରେ ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଭାରତର ପ୍ରଧାନ ବିଚାରପତି ଏନ.ଭି ରାମଣା, ଲୋକସଭା ବାଚସ୍ପତି ଓମ ବିର୍ଲା ଯୋଗଦେବେ । ମନ୍ତ୍ରୀ ପରିଷଦ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କୂଟନୀତିକ ମିଶନର ମୁଖ୍ୟ, ସଂସଦର ସଦସ୍ୟ ତଥା ଭାରତ ସରକାରଙ୍କ ମୁଖ୍ୟ ନାଗରିକ ତଥା ସାମରିକ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିବେ।

ଭାରତର ପ୍ରଧାନ ବିଚାରପତିଙ୍କ ଦ୍ୱାରା ଶପଥ ପାଠ କରାଇସାରିବା ପରେ ରାଷ୍ଟ୍ରପତିଙ୍କୁ ୨୧ ତୋପର ସଲାମ ଦିଆଯିବ । ତା’ପରେ ସେ ସମାବେଶକୁ ସମ୍ବୋଧିତ କରିବେ। ସମାରୋହର ଶେଷରେ ରାଷ୍ଟ୍ରପତି ରାଷ୍ଟାପତି ଭବନକୁ ଯିବେ ଯେଉଁଠାରେ ତାଙ୍କୁ ଏକ ଇଣ୍ଟର-ସର୍ଭିସେସ୍ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବ ।

ସୂଚନାଯୋଗ୍ୟ, ମୁର୍ମୁ ଆଦିବାସୀ ସମ୍ପ୍ରଦାୟର ପ୍ରଥମ ସଦସ୍ୟ ଏବଂ ଦ୍ୱିତୀୟ ମହିଳା ଭାବରେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅବସ୍ଥାପିତ ହେବେ।

Get real time updates directly on you device, subscribe now.