fbpx

ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ: ଚାଷୀଙ୍କ ଆକାଉଣ୍ଟକୁ ଗଲା ୮୭୭ କୋଟି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ପବିତ୍ର ଓଡ଼ିଶା ଦିବସ ଅବସରରେ ରାଜ୍ୟର ଚାଷୀଭାଇଙ୍କୁ ଏକ ବଡ଼ ଉପହାର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ୪୩ ଲକ୍ଷରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୮୭୭ ଟଙ୍କାର କାଳିଆ ସହାୟତା ପଠାଯାଇଛି । ଏହି ଅବସରରେ ଖାଦ୍ୟଶସ୍ୟ ଉତ୍ପାଦନରେ ଓଡ଼ିଶାର ସଫଳତା ନେଇ ରାଜ୍ୟର ଚାଷୀ ଭାଇଭଉଣୀଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରେୟ ଦେବାକୁ ଭୁଲିନଥିଲେ । ଝାରସୁଗୁଡ଼ା ଜିଲ୍ଲା ବ୍ୟତୀତ ରାଜ୍ୟର ଅନ୍ୟ ସମସ୍ତ ଅଞ୍ଚଳର ଚାଷୀମାନେ ଏହି ସହାୟତା ପାଇଥିଲେ ।

ଆଜି ଚାଷୀଙ୍କ ଖାତାକୁ କାଳିଆ ସହାୟତା ପ୍ରଦାନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଓଡ଼ିଶା ଦିବସର ଅଭିନନ୍ଦନ ଜଣାଇଥିଲେ । ଆଜିର ପବିତ୍ର ଦିବସରେ କାଳିଆ ସହାୟତା ପ୍ରଦାନ କରି ନୂଆ ଆର୍ଥିକ ବର୍ଷର ଆରମ୍ଭ ହେଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଓଡ଼ିଶା ଆଜି ଖାଦ୍ୟଶସ୍ୟ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହେବା ସହିତ ଦେଶର ଖାଦ୍ୟ ଭଣ୍ଡାରକୁ ଅନ୍ନ ଯୋଗାଇବାରେ ସକ୍ଷମ ହୋଇ ପାରୁଛି । ଏହି ଗୌରବର ଶ୍ରେୟ ରାଜ୍ୟର ଲକ୍ଷ ଲକ୍ଷ ଭାଇଭଉଣୀଙ୍କର ବୋଲି ସିଏମ୍ କହିଥିଲେ ।

ଚାଷର ଉନ୍ନତି କରିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ତେଣୁ କୃଷି କାର୍ଯ୍ୟରେ ଅଧିକ ମେଶିନ ଓ ଆଧୁନିକ ଯନ୍ତ୍ରପାତିର ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ପୃଷ୍ଟିଯୁକ୍ତ ଖାଦ୍ୟ ଉତ୍ପାଦନ ବୃଦ୍ଧି ଓ ଚାଷୀଙ୍କ ରୋଜଗାର ବଢ଼ାଇବା ପଇଁ ଅନେକ ଶସ୍ୟଭିତ୍ତିକ ମିଶନ କାର୍ଯ୍ୟକାରୀ କରାଯାଇଛି । ଚାଷୀମାନେ ଫସଲ ବିବିଧକରଣ ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀ ଚାଷୀଭାଇଙ୍କୁ କହିଥିଲେ ।

ଆଜିର କାର୍ଯ୍ୟକ୍ରମକୁ ୫ଟି ସଚିବ ଭି.କେ ପାଣ୍ଡିଆନ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ, କୃଷି ସଚିବ ଅରବିନ୍ଦ୍ର ପାଢ଼ୀ ପ୍ରମୁଖ ଆଜିର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Get real time updates directly on you device, subscribe now.