ନୂଆଦିଲ୍ଲୀ: ଘରକୁ ଫେରିଲେ କମେଡିଆନ୍ ସୁନୀଲ । କହିଲେ କେମିତି ତାଙ୍କୁ କରାଯାଇଥିଲା ଅପହରଣ । ହରିଦ୍ୱାରରେ ଷ୍ଟେଜ ଶୋ’ କରିବା ପାଇଁ ତାଙ୍କ ସହ କଥା ହୋଇଥିଲେ କିଛି ଲୋକ । ଏହାପରେ ସେମାନେ ଶୋ’ ବାବଦକୁ ତାଙ୍କୁ ୫୦% (୩୫,୦୦୦) ଆଡଭାନ୍ସ ଦେଇଥିଲେ । ୨ ତାରିଖ ଦିନ ପ୍ରୋଗ୍ରାମ ପାଇଁ ସୁନୀଲ ଯିବା ଲାଗି କାର୍ ପଠାଯାଇଥିଲା । କିଛିଦୂର ସେ କାରରେ ବସି ଗଲାପରେ ତାଙ୍କୁ ଆଉ ଏକ କାରରେ ବସାଗଲା । ଯାହାପରେ ତାଙ୍କୁ ଏକ ଅଜଣା ଜାଗାକୁ ନେଇଥିଲେ ଦୁର୍ବୃତ୍ତ । ଏମିତି ଅପହରଣ କଲାପରେ ସେମାନେ ତାଙ୍କୁ ୨୦ ଲକ୍ଷ ଟଙ୍କା ମାଗିଥିଲେ । ଯଦି ସୁନୀଲ ୨୦ ଲକ୍ଷ ନ ଦିଅନ୍ତି ତେବେ ତାଙ୍କୁ ଦୁର୍ବୃତ୍ତମାନେ ଛାଡ଼ିବେନି ବୋଲି ଧମକ ଦେଲେ । ପ୍ରାଣ ଭୟରେ ସୁନୀଲ ୧୦ ଲକ୍ଷ ଦେଇପାରିବେ ବୋଲି କହିଲେ । ଏହାପରେ ସୁନୀଲ ଜଣ ଜଣ କରି ତାଙ୍କ ସାଙ୍ଗମାନଙ୍କୁ ଫୋନ କରି ଟଙ୍କା ଯୋଗାଡ଼ କରିବା ଆରମ୍ଭ କଲେ । ପରଦିନ ସକାଳ ସୁଦ୍ଧା ୧୦ ଲକ୍ଷ ଟଙ୍କା ଯୋଗାଡ଼ ହୋଇଯାଇଥିଲା । ଏହାପରେ ସେମାନେ ସୁନୀଲଙ୍କୁ ଛାଡ଼ି ଦେଇଥିଲେ । ଦୁର୍ବୃତ୍ତମାନେ ସୁନୀଲଙ୍କୁ ୨୦ ହଜାର ଟଙ୍କା ଦେଇ ଫ୍ଲାଇଟରେ ଘରକୁ ଫେରିଯିବାକୁ କହିଥିଲେ ।
ଦୁଇଦିନ ପୂର୍ବେ ଘରକୁ ନ ଫେରିବାରୁ ସୁନୀଲଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିଥିଲେ । ଯାହାପରେ ସ୍ଥାନୀୟ ପୋଲିସ କମେଡିଆନଙ୍କୁ ଖୋଜିବାରେ ଲାଗିପଡ଼ିଥିଲା । ସୁନୀଲ ଏବେ ଘରକୁ ଫେରି ତାଙ୍କ କିଡନାପର କାହାଣୀ ସମସ୍ତଙ୍କୁ କହିଛନ୍ତି । ଘରଲୋକେ ସୁନୀଲଙ୍କୁ ପାଇ ବେଶ୍ ଖୁସି ଅଛନ୍ତି ।