fbpx

ଶାସକ NDA ଏବଂ ବିରୋଧୀ I.N.D.I.A ବ୍ଲକ୍ ଠାରୁ “ସମ୍ପୂର୍ଣ୍ଣ ଦୂରତା” ବଜାୟ ରଖିବ ବିଏସପି ; ସ୍ପଷ୍ଟ କଲେ ଦଳ ସୁପ୍ରିମୋ ମାୟାବତୀ

AAKASH

ଲକ୍ଷ୍ନୌ: ଆସନ୍ତାବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ଶାସକ NDA ଏବଂ ବିରୋଧୀ ‘INDIA ବ୍ଲକ୍ ଠାରୁ “ସମ୍ପୂର୍ଣ୍ଣ ଦୂରତା” ବଜାୟ ରଖିବାକୁ ବିଏସପି ମୁଖ୍ୟ ମାୟାବତୀ ରବିବାର ଦିନ ନିଜର ଆଭିମୁଖ୍ୟକୁ ଦୋହରାଇଛନ୍ତି । ନିର୍ବାଚନକୁ ନେଇ ତାଙ୍କ ଦଳ ନିଜସ୍ୱ ଶକ୍ତି ଓ ସାମର୍ଥ୍ୟ କାର୍ଯ୍ୟ କରୁଥିବା ସେ କହିଛନ୍ତି । ତେବେ ବିରୋଧୀ ମେଣ୍ଟ ‘INDIA’ ଦଳରେ ବିଏସପି ସାମିଲ ହେବା ନେଇ ଦୀର୍ଘଦିନ ହେବ ଅନେକ ଚର୍ଚ୍ଚା ଲାଗିରହିଥିଲା । ହେଲେ ଶେଷରେ ଆଜି ଏଥିରେ ଖୋଦ ଦଳର ସୁପ୍ରିମୋ ମାୟାବତୀ ଆଜି ତାଙ୍କର ଆଭିମୁଖ୍ୟକୁ ନେଇ ସ୍ପଷ୍ଟତା ରଖିଛନ୍ତି ।

ତେବେ ଲୋକ ସଭା ନିର୍ବାଚନ ପ୍ରସ୍ତୁତି ପାଇଁ ଲକ୍ଷ୍ନୌର ପାର୍ଟି କାର୍ଯ୍ୟାଳୟରେ ବିଏସପି ଦଳ ଆଜି ଏକ ସମୀକ୍ଷା ବୈଠକ ଡାକିଥିଲା। ବୈଠକ ପରେ ଜାରି କରାଯାଇଥିବା ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ବିଏସପି ପାର୍ଟି କୌଣସି ମେଣ୍ଟକୁ ଯିବ ନାହିଁ । ଉଭୟ ମିଳିତ ମଞ୍ଚରୁ ନିଜକୁ ଦୂରେଇ ରଖି ଏବଂ ଏକାକି ଭାବେ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ ବିଏସପି । ଅନ୍ୟପଟେ ବିଏସପି ମୁଖ୍ୟ ମାୟାବତୀ ଦଳର ନେତାମାନଙ୍କୁ ଚେତାବନୀ ଦେଇଛନ୍ତି ଯେ, ମେଣ୍ଟ ସମ୍ପର୍କରେ ବିଭ୍ରାନ୍ତିକର ଖବର ପ୍ରଚାରିତ ହେଉଛି। ବିଏସପି ବିରୋଧୀ ବାହିନୀ ଏହି ମିଥ୍ୟା ପ୍ରଚାର କରୁଛନ୍ତି। ଏହା ସହ ଜନସାଧାରଣଙ୍କ ସ୍ୱାର୍ଥ ଏବଂ କଲ୍ୟାଣ ଉପରେ ଭାଜପା ଏବଂ କଂଗ୍ରେସର ମନୋଭାବ ଏକ ବୋଲି ମାୟାବତୀ କହିଛନ୍ତି।

ସୂଚନା ଯୋଗ୍ୟ, ଇଣ୍ଡିଆ ମିଳିତ ମଞ୍ଚକୁ ନେଇ ଉତ୍ତର ପ୍ରଦେଶରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି (ଏସପି) ଦଳ ଏକ ପ୍ରମୁଖ ଭୂମିକା ନିର୍ବାହ କରୁଛି । ଏହି କ୍ରମରେ ବିରୋଧୀ ଇଣ୍ଡିଆ ମେଣ୍ଟରେ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି (ବିଏସପି) ଯୋଗଦେବା ନେଇ ଦୀର୍ଘଦିନ ହେବ କଳ୍ପନାଜଳ୍ପନା ଲାଗିରହିଥିଲା। ହେଲେ ଆଜି ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ସମସ୍ତ କଳ୍ପନାଜଳ୍ପନାରେ ପୂର୍ଣ୍ଣଚ୍ଛେଦ ପକାଇଛି ବିଏସପି ।

Get real time updates directly on you device, subscribe now.