ମାଟ୍ରିକ ମାର୍କ ଦ୍ୱନ୍ଦ: ଏହି ଆଧାରରେ ପିଲାଙ୍କୁ ଦିଆଯିବ ମାର୍କ!

ଭୁବନେଶ୍ୱର, ୧/୦୫: ରାଜ୍ୟରେ କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚଳିତ ବର୍ଷ ହେବାକୁ ଥିବା ମାଟ୍ରିକ୍ ପରୀକ୍ଷାକୁ ବାତିଲ କରିଛନ୍ତି । ସେପଟେ ପରୀକ୍ଷା ବାତିଲ ହେବାପରେ କେମିତି ସେମାନଙ୍କୁ ମାର୍କ ମିଳିବ କିମ୍ବା କେଉଁ ଆଧାରରେ ପିଲାଙ୍କୁ ମାର୍କ ଦିଆଯିବ ଏହାକୁ ନେଇ ଚିନ୍ତାରେ ଅଭିଭାବକ ଏବଂ ଛାତ୍ର ଛାତ୍ରୀ ।

ରାଜ୍ୟରେ ଜାରି ରହିଛି କୋଭିଡ ଭୟାବହତା  । ପ୍ରତିଦିନ ରାଜ୍ୟରେ ରେକର୍ଡ ସଂଖ୍ୟକ ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି । ଏଭଳି ସ୍ଥିତିରେ ରାଜ୍ୟ ସରକାର ଦଶମ ବୋର୍ଡ ପରୀକ୍ଷାକୁ ବାତିଲ କରିଛନ୍ତି । ଯାହାକୁ ନେଇ ଚିନ୍ତାରେ ଅଭିଭାବକ ଏବଂ ଛାତ୍ରଛାତ୍ରୀ । ସେପଟେ ଶିକ୍ଷାବିତ ଏବଂ ପ୍ରଧାନଶିକ୍ଷକମାନଙ୍କ କହିବା ଅନୁଯାୟୀ ପରୀକ୍ଷା ବାତିଲ ପରେ କେବଳ ପ୍ରାକ୍ଟିସ ପରୀକ୍ଷାକୁ ନେଇ ମାର୍କ ଦେବା ସମ୍ଭବ ହୋଇପାରେ ନଚେତ ଅନ୍ୟ କୌଣସି ଉପାୟ ନାହିଁ । ତୃତୀୟ ଏବଂ ଚତୁର୍ଥ ପ୍ରାକ୍ଟିସ ଟେଷ୍ଟରେ ପାଇଥିବା ମାର୍କକୁ ମିଶାଇ ବୋର୍ଡ ମାର୍କ ଦିଆଯାଇପାରେ ।

ବୋର୍ଡ ତରଫରୁ ୪ଟି ପ୍ରାକ୍ଟିସ ଟେଷ୍ଟ କରାଯାଇଥିଲା , ପ୍ରଥମ ଏବଂ ଦ୍ୱିତୀୟ ପ୍ରାକ୍ଟିସ ଟେଷ୍ଟ ୨୦ ମାର୍କର କରାଯାଇଥିବାବେଳେ ସେଥିରେ ସମସ୍ତ ବିଷୟରୁ ପ୍ରଶ୍ନ ଆସିନଥିବା କାରଣରୁ ପ୍ରଥମ ଏବଂ ଦ୍ୱିତୀୟ ପ୍ରକ୍ଟିସ ଟେଷ୍ଟର ମାର୍କକୁ ବିଚାରକୁ ନେବା ଠିକ ହେବନାହିଁ ବୋଲି ଶିକ୍ଷକଙ୍କ ମତ ରହିଛି ।

ସେପଟେ, ଏକ୍ସରେଗୁଲାର ପିଲାଙ୍କୁ କିଭଳି ମାର୍କ ଦିଆଯିବ ସେନେଇ ପ୍ରଶ୍ନ ଉଠିଛି । ରେଗୁଲାର ପିଲାଙ୍କୁ ପ୍ରାକ୍ଟିସ ଟେସ ଆଧାରରେ ମାର୍କ ଦିଆଯାଇପାରେ ହେଲେ ଏକ୍ସ ରେଗୁଲାର ପିଲାଙ୍କର ତ କୌଣସି ପରୀକ୍ଷା କରାଯାଇନାହିଁ,  ତେଣୁ ଏଭଳି ସ୍ଥିତିରେ ଏକ୍ସ ରେଗୁଲାର ପିଲାଙ୍କୁ ପୁର୍ବ ବୋର୍ଡ ପରୀକ୍ଷାରେ ଫେଲ ହୋଇଥିବା ବିଷୟରେ ହିଁ କେବଳ ପାସ ମାର୍କ ଦିଆଯାଇପାରିବ, କିମ୍ବା ସମସ୍ତଙ୍କୁ ଏକ ନିର୍ଦ୍ଦିଷ୍ଟ ମାର୍କ ଦିଆଯାଇ ପାସ କରାଯିବା ନେଇ କୁହାଯାଉଛି ।

ତେବେ  ଏହି ସବୁ ଉପାୟ ଅବଲମ୍ବନ କରାଯିବ କିମ୍ବା ଅନ୍ୟ କୌଣସି ଉପାୟ ଗ୍ରହଣ କରାଯିବ ସେନେଇ ସରକାର ଏ ବିଷୟରେ ବିଚାର ବିମର୍ଶ କରୁଛନ୍ତି । ଆଗମୀ ଦିନରେ ଏ ସଂପର୍କରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ଅନ୍ୟପକ୍ଷରେ ଯେଉଁ ଛାତ୍ର ଛାତ୍ରୀମାନେ ଏଥିରେ ସନ୍ତୁଷ୍ଟ ନହେବେ ସେମାନଙ୍କୁ କୋଭିଡ ସ୍ଥିତି ସୁଧୁରିବା ପରେ ପରୀକ୍ଷା ଦେବାପାଇଁ ସୁଯୋଗ ଦିଆଯିବ ।

ଚଳିତ ବର୍ଷ ଜାନୁଆରୀରେ ମାଟ୍ରିକ ପିଲାଙ୍କ ସ୍କୁଲ ଖୋଲାଯାଇ ପାଠପଢା ଆରମ୍ଭ କରାଯାଇଥିଲା । ଏହି ସମୟରେ ପ୍ରାକ୍ଟିସ ଟେଷ୍ଟ ମଧ୍ୟ କରାଯାଇଥିଲା, ତେବେ କୋଭିଡ କାରଣରୁ ଅନେକ ପିଲା ସ୍କୁଲ ଆସନଥିଲେ ଏବଂ ସେମାନେ ଏହି ପ୍ରାକ୍ଟିସ ଟେଷ୍ଟ ଦେଇପାରିନଥିଲେ । ଫଳରେ ଏବେ ବହୁ ସ୍କୁଲରେ ପିଲାମାନେ ଲୁଚାଛପାରେ ପ୍ରାକ୍ଟିସ ଟେଷ୍ଟ କରାଉଛନ୍ତି । ଶିକ୍ଷକମାନେ ପିଲାମାନଙ୍କ ଘରକୁ ଯାଇ ଟେଷ୍ଟ କରାଉଛନ୍ତି । ସେପଟେ ବୋର୍ଡ ପ୍ରାକ୍ଟିସ ଟେଷ୍ଟ ପୂର୍ବରୁ ପ୍ରଶ୍ନ ପତ୍ର ଏହାର ୱେବସାଇଟରେ ଉପଲବ୍ଧ କରିଥିଲା ଫଳରେ ପିଲାମାନେ ସେହିଭଳି ଭାବରେ ପ୍ରସ୍ତୁତ ହୋଇ ପରୀକ୍ଷା ଦେଇଥିଲେ , ଏପରି ସ୍ଥଳରେ ଦେଖାଯାଇଥିଲା ଦ୍ୱିତୀୟ ଡିଭିଜନ ମାର୍କ ରଖୁଥିବା ପିଲା ଏ୧ ପିଲାଙ୍କ ଠାରୁ ଅଧିକ ମାର୍କ ରଖୁଛନ୍ତି । ତେଣୁ ପ୍ରାକ୍ଟିସ ଟେଷ୍ଟ ଆଧାରରେ ପିଲାଙ୍କୁ ମାର୍କ ଦେଲେ ଦ୍ୱିତୀୟ ଡିଭିଜନ ପିଲା ଏବଂ ପ୍ରଥମ ଡିଭିଜିନ ପିଲାଙ୍କ ମାର୍କ ସମାନ ହୋଇଯିବ  । ଏହାକୁ କିପରି ହିସାବକୁ ନିଆଯିବ ଏନେଇ ବୁଦ୍ଧିଜୀବୀମାନେ ମତ ରଖିଛନ୍ତି ।

ସେପଟେ ଯୁକ୍ତ ଦୁଇରେ କିଭଳି ନାମ ଲେଖାଯିବ ସେନେଇ ଚିନ୍ତାରେ ଅଭିଭାବକ ଏବଂ ଛାତ୍ରଛାତ୍ରୀ କାରଣ ପ୍ରତିବର୍ଷ ସାମ୍ସ ଦଶମ ଶ୍ରେଣୀ ମାର୍କ ଅନୁଯାୟୀ ପିଲାମାନଙ୍କୁ ସେମାନଙ୍କ ମନ ପସନ୍ଦ କଲେଜରେ ନାମ ଲେଖାଇପାରୁଥିଲେ ଏବେ ଯଦି ପ୍ରାକ୍ଟିସ ମାର୍କ ଅନୁଯାୟୀ ମାର୍କ ଦେଲେ ପ୍ରଥମ ଡିଭିଜନ ଏବଂ ଦ୍ୱିତୀୟ ଡିଭିଜନ ପିଲାଙ୍କ ସାମନ ରହିଥିବା କାରଣରୁ ମେଧାବୀ ପିଲାମାନେ ସେମାନଙ୍କ ମନପସନ୍ଦ କଲେଜରେ ସିଟ ନ ପାଇବା ନେଇ ଆଶଙ୍କାରେ ଅଛନ୍ତି । ଏହାକୁ ନେଇ ଛାତ୍ରଛାତ୍ରୀ ମାନେ ଯୁକ୍ତ ଦୁଇ ନାମଲେଖା ପାଇଁ ଏଣ୍ଟାନ୍ସ ପରୀକ୍ଷା ପାଇଁ ଦାବି କରିଛନ୍ତି ।

ଏପଟେ ବୋର୍ଡ ସମସ୍ତ ସ୍କୁଲକୁ ପିଲାମନଙ୍କର ପ୍ରାକ୍ଟିସ ପରୀକ୍ଷା ଫଳାଫଳ ମଗାଇଛି । ସମୁଦାୟ ମାର୍କ ସହ କେତେ ମାର୍କ ରଖିଛନ୍ତି ସ୍କୁଲ କର୍ତ୍ତୁପକ୍ଷ ଜଣାଇବେ  । ମେ ୫ ସୁଦ୍ଧା ଏହି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦୋ ରହିଛି ।