ନଭେମ୍ବର ୨୩ରେ ରେଜଲ୍ଟ: ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ପାଇଁ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କଲା କଂଗ୍ରେସ

ନୂଆଦିଲ୍ଲୀ: ନିକଟରେ ଝାଡ଼ଖଣ୍ଡ ବିଧାନସଭାର ୮୧ଟି ଆସନ ଓ ମହାରାଷ୍ଟ୍ରର ୨୮୮ଟି ଆସନ ପାଇଁ ମତଦାନ ଗ୍ରହଣ କରାଯାଇଥିଲା । ଆସନ୍ତା ୨୩ ତାରିଖରେ ଏହି ଦୁଇ ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିବ । ତେବେ ଫଳାଫଳ ପ୍ରକାଶ ପୂର୍ବରୁ କଂଗ୍ରେସ ଏହି ଦୁଇ ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛି । ପ୍ରତ୍ୟେକ ରାଜ୍ୟ ପାଇଁ ୩ ଜଣ ଲେଖାଏଁ ମୋଟ ୬ ଜଣ ପର୍ଯ୍ୟବେକ୍ଷକଙ୍କୁ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ତରଫରୁ ଦାୟିତ୍ୱ ଦିଆଯାଇଛି । ଏନେଇ ଦଳର ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ଏକ ପୋଷ୍ଟ ଶେୟାର କରାଯାଇଛି ।

ମହାରାଷ୍ଟ୍ର ପାଇଁ ନିଯୁକ୍ତି ପାଇଥିବା ୩ ଜଣ ପର୍ଯ୍ୟବେକ୍ଷକଙ୍କ ମଧ୍ୟରେ ଅଶୋକ ଗେହଲଟ, ଭୂପେଶ ବଘେଲ, ଡ. ଜି. ପରମେଶ୍ୱର ରହିଛନ୍ତି । ସେହିପରି ତାରିକ ଅନୱାର, ମଲ୍ଲୁ ଭଟ୍ଟି ବିକ୍ରାମାର୍କା, କ୍ରିଷ୍ଣା ଆଲ୍ଲାଭୁରୁ ଝାଡ଼ଖଣ୍ଡ ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି । ଏହି ପର୍ଯ୍ୟବେକ୍ଷକମାନେ ଦୁଇ ରାଜ୍ୟର ନିର୍ବାଚନ ପରବର୍ତ୍ତୀ ସ୍ଥିତିକୁ ସମୀକ୍ଷା କରିବେ । ଏହି ଦାୟିତ୍ୱ ସେମାନେ ତ୍ୱରିତ ଭାବେ ତୁଲାଇବେ ବୋଲି ଦଳ ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ ଯେ, ଆସନ୍ତାକାଲି ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବ । ଏହା ପୂର୍ବରୁ ଏଗଜିଟ୍ ପୋଲ ଆକଳନ ସାମ୍ନାକୁ ଆସିଥିଲା ।