fbpx

ଚାମଚାଗିରିର ସୀମା ରହିଛି…ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ବିବାଦୀୟ ବୟାନ ଦେଇ ଫସିଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: ନିଜର ବିବାଦୀୟ ବୟାନ କାରଣରୁ ସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି କଂଗ୍ରେସ ନେତା ଉଦିତ୍ ରାଜ। ଏବେ ସେ ସିଧାସଳଖ ରାଷ୍ଟ୍ରପତିଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ କରିଛନ୍ତି। ସେ ଟୁଇଟ୍ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ‘ଚାମଚାଗିରି’ ଶବ୍ଦର ପ୍ରୟୋଗ କରିଛନ୍ତି। ଏହାକୁ ନେଇ କଡା ଆଭିମୁଖ୍ୟ ପ୍ରକାଶ କରିଛି ବିଜେପି। ପାର୍ଟି କହିଛି ଏଥିରୁ ଜଣା ପଡୁଛି ଯେ, କଂଗ୍ରେସ କେଉଁଭଳି ଆଦିବାସୀ ଲୋକଙ୍କ ବିରୋଧରେ ରହିଛି।

ଉଦିତ୍ ରାଜ ଟୁଇଟ୍ କରି କହିଛନ୍ତି, ଦ୍ରୌପଦୀ ମୁର୍ମୁଙ୍କ ପରି ରାଷ୍ଟ୍ରପତି କୌଣସି ଦେଶକୁ ନମିଳନ୍ତୁ। ଚାମଚାଗିରିର ସୀମା ଥାଏ। କହୁଛନ୍ତି ୭୦ ପ୍ରତିଶତ ଲୋକ ଗୁଜରାଟର ଲୁଣ ଖାଉଛନ୍ତି। ନିଜେ ଲୁଣ ଖାଇ ପ୍ରଥମେ ବଞ୍ଚନ୍ତୁ ତେବେ ଯାଇ ଜଣା ପଡିବ। ଏହାର ଜବାବ ଦେଇ ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ଉଦିତ ରାଜ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଯେଉଁ ଶବ୍ଦର ପ୍ରୟୋଗ କରିଛନ୍ତି ତାହା ଅତ୍ୟନ୍ତ ଚିନ୍ତାଜନକ ଏବଂ ଦୁର୍ଭାଗ୍ୟଜନକ। କଂଗ୍ରେସ ନେତା ମୁର୍ମୁଙ୍କ ପ୍ରତି ଏଭଳି ଆଶାଳୀନ ମନ୍ତବ୍ୟ ଦେବା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ଅଧୀର ରଞ୍ଜନ ଚୌଧୁରୀ ଏମିତି ଭାଷା କହି ସାରିଛନ୍ତି। ଏଥିରୁ ଜଣା ପଡୁଛି କଂଗ୍ରେସର ମାନସିକତା ଆଦିବାସୀ ବିରୋଧୀ।

କଂଗ୍ରେସ ଛାଡି ବିଜେପିରେ ମିଶିଥିବା ଜିତିନ ପ୍ରସାଦ କହିଛନ୍ତି, ଉଦିତ ରାଜଙ୍କ ପରି ରାଜନେତାଙ୍କୁ ନିଜର ତୁଚ୍ଛ ରାଜନୀତିରୁ ଉର୍ଦ୍ଧ୍ଵକୁ ଉଠିବା ଦରକାର। ରାଷ୍ଟ୍ରପତିଙ୍କୁ କିପରି ସମ୍ମାନ ଦିଆଯାଏ ତାହା ଶିଖିବା ଉଚିତ୍। ବିଜେପି ଆଇଟି ସେଲର ମୁଖ୍ୟ ଅମିତ୍ ମାଲବୀୟ କହିଛନ୍ତି, ସୋନିଆ ଗାନ୍ଧୀ ମାଣ୍ଡ୍ୟାରେ ଅଛନ୍ତି ଏବଂ ମିଡିଆ ଘେରରେ। କଣ କେହି ତାଙ୍କୁ ଉଦିତ୍ ରାଜଙ୍କ ବୟାନ ଉପରେ ପ୍ରଶ୍ନ କରିଛନ୍ତି।
ସୂଚନାଯୋଗ୍ୟ, ଏହା ପୂର୍ବରୁ ଅଧୀର ରଞ୍ଜନ ଚୌଧୁରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ‘ରାଷ୍ଟ୍ରପତ୍ନୀ’ ଶବ୍ଦର ଉପଯୋଗ କରିଥିଲେ। ଏହାକୁ ନେଇ ତାଙ୍କୁ ବେଶ ସମାଲୋଚନା ଏବଂ ହିନସ୍ତାର ଶିକାର ହେବାକୁ ପଡିଥିଲା। ଉଦିତ୍ ରାଜ ମଧ୍ୟ ପୂର୍ବରୁ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ବିବାଦୀୟ ବୟାନ ଦେଇ ସାରିଛନ୍ତି।

Get real time updates directly on you device, subscribe now.