fbpx
BJD SKY
BJD SKY

ଆଗକୁ ରାଜନୀତିର ମହାଯୁଦ୍ଧ: ମୋଦୀଙ୍କ ସହ ସିଧାସଳଖ ଫାଇଟ୍ କରିବ କିଏ- କଂଗ୍ରେସ ନା AAP?

BJD

ନୂଆଦିଲ୍ଲୀ: ଗୁଜରାଟ ଓ ହିମାଚଳ ପ୍ରଦେଶର ବିଧାନସଭା ଓ ଦିଲ୍ଲୀ ମହାନଗର ନିଗମ (ଏମସିଡି) ନିର୍ବାଚନର ଫଳାଫଳ ଦେଶରେ ନୂଆ ରାଜନୈତିକ ଦିଗକୁ ଜନ୍ମ ଦେଇଛି । ଦେଶର ସର୍ବପୂରାତନ ଦଳ କଂଗ୍ରେସ ବର୍ତ୍ତମାନ ଦୁର୍ବଳ ସ୍ଥିତିରେ ରହିଥିଲେ ହେଁ ହିମାଚଳ ପ୍ରଦେଶରେ ଶାସକ ବିଜେପିକୁ କ୍ଷମତାଚ୍ୟୁତ କରିବାରେ ସକ୍ଷମ ହୋଇଛି । ସେହିପରି ଦିଲ୍ଲୀରେ ବିଜେପିର ୧୫ ବର୍ଷର ରେକର୍ଡ ଭାଙ୍ଗିଥିବା ବେଳେ ଗୁଜରାଟରେ ବିଜୟ ଅବ୍ୟାହତ ରହିଛି ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରାଜନୀତିରେ କୌଣସି ଦଳ ଚିରସ୍ଥାୟୀ ନୁହନ୍ତି । ଜନତା ହିଁ ପ୍ରକୃତ ନ୍ୟାୟଦାତା । ଜନତା ଯାହାକୁ ଚାହିଁବେ ତାକୁ ରାତାରାତି ସମ୍ରାଟ ଆସନରେ ବସାଇ ପାରିବେ । ନିକଟରେ ସମାପ୍ତ ହୋଇଥିବା କିଛି ନିର୍ବାଚନ ଓ ଉପନିର୍ବାଚନରୁ ଏହା ସ୍ପଷ୍ଟ ହେଉଛି । ବର୍ତ୍ତମାନ ଦେଶରେ ବିଜେପି ଯେ ଏକନମ୍ବର ଦଳ ତାହା ଆମକୁ ସ୍ୱୀକାର କରିବାକୁ ପଡ଼ିବ । ତେବେ ଆସନ୍ତା ବର୍ଷ ୧୦ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତା’ପରେ ୨୦୨୪ରେ ଫାଇନାଲ ଅର୍ଥାତ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ ।

ତେଣୁ ଆଗାମୀ ଦିନମାନଙ୍କରେ ମୋଦୀଙ୍କର ପ୍ରକୃତ ବିରୋଧୀ ଭାବେ କେଉଁ ଦଳ ଉଭାହେବ । କଂଗ୍ରେସ ରାଜସ୍ଥାନ, ହିମାଚଳ ପ୍ରଦେଶରେ କ୍ଷମତାରେ ରହିଥିବା ବେଳେ ଛତିଶଗଡ଼ରେ ମେଣ୍ଟ ସରକାରରେ ଅଂଶୀଦାର ରହିଛି । ଅନ୍ୟପଟେ ଆମ ଆଦମୀ ପାର୍ଟି (ଆପ) ଦିଲ୍ଲୀ ଓ ପଞ୍ଜାବରେ ନିଜ ଦମରେ ସରକାର ଗଠନ କରିଥିବା ବେଳେ ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପରେ ଏକ ଜାତୀୟ ଦଳର ମାନ୍ୟତା ଲାଭ କରିଛି । ଏପରିକି ଆପ ସାରା ଭାରତ ବର୍ଷରେ ନିଜର କାୟା ବିସ୍ତାର ନେଇ କ୍ଷେତ୍ର ପ୍ରସ୍ତୁତି ଆରମ୍ଭ କରିଦେଇଛି ।

ଏଠାରେ ପ୍ରଶ୍ନ ଉଠୁଛି, ଆଗାମୀ ଦିନରେ ନରେନ୍ଦ୍ର ମୋଦୀଙ୍କୁ କିଏ ଟକ୍କର ଦେବ । ଆପ ନା କଂଗ୍ରେସ, ଅରବିନ୍ଦ କେଜ୍ରିୱାଲ ନା ରାହୁଲ ଗାନ୍ଧି । ନିକଟରେ କଂଗ୍ରେସର ଅଧ୍ୟକ୍ଷ ପଦରେ ମଲ୍ଲିକାର୍ଜୁନ ଖଡ଼ବେ ବସିଥିଲେ ହେଁ ପ୍ରକୃତ କ୍ଷମତା ଗାନ୍ଧି ପରିବାର ହାତରେ । ଅତୀତରେ ବିରୋଧୀ ମହାମେଣ୍ଟ ଗଠନ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରଣହୁଙ୍କାର ଦେଇଥିବା ବେଳେ ଏ କ୍ଷେତ୍ରରେ ପଛଘୁଞ୍ଚା ଦେଇଥିଲେ ସୋନିଆ ଗାନ୍ଧି । ବୋଧହୁଏ ରାହୁଲଙ୍କ ଭବିଷ୍ୟତ ପାଇଁ ସେ ଏହି ନିଷ୍ପତ୍ତି ନେଇଥିଲେ ।

ତେବେ ଗତ କିଛିଦିନ ଧରି ମମତା ଦିଦିଙ୍କର ସ୍ୱର ସାମାନ୍ୟ ଶାଣିତ ହୋଇଥିବା ଦେଖାଯାଉଛି । ଅନ୍ୟପକ୍ଷରେ ଦିନକୁ ଦିନ କେଜ୍ରିୱାଲଙ୍କ ଦବଦବା ବଢ଼ିବାରେ ଲାଗିଛି । ଦେଶର ରାଷ୍ଟ୍ରୀୟ ରାଜଧାନୀରେ ଅନୁଷ୍ଠିତ ଏମସିଡି ନିର୍ବାଚନରେ ଶାସକ ବିଜେପିକୁ ଧୂଳି ଚଟାଇବା କିଛି କମ୍ କଥା ନୁହେଁ । ବିଜେପିକୁ ଟକ୍କର ଦେବାକୁ ଆପ ମଧ୍ୟ ନୂଆ ନୂଆ ତରିକା ଆପଣାଉଛି । ମାତ୍ର କଂଗ୍ରେସ ସେ ପୁରୁଣା ଷ୍ଟାଇଲ ଆପଣାଉ ଥିବାରୁ ସେ ଭୋଟରଙ୍କ ମନ ଜିଣିବାରେ ଅସମର୍ଥ ହେଉଛି ।

ଆପ ଏକା ନିର୍ବାଚନ ଲଢ଼ିବ ବୋଲି ଅତୀତରେ କେଜ୍ରିୱାଲ କହିଥିଲେ । ଅନ୍ୟପଟେ କଂଗ୍ରେସ ଅନ୍ୟ ଦଳ ସହ ମେଣ୍ଟ କରି ନିର୍ବାଚନ ଲଢ଼ିବ ନା ଏକା ଲଢ଼ିବ ତାହା ମଧ୍ୟ ଦେଖିବାର କଥା । ଆଗାମୀ ଦିନରେ ମୁଖ୍ୟ ବିରୋଧୀ ଚେହେରା ଭାବେ ଉଭା ହେବା ପାଇଁ କେଜ୍ରିୱାଲ ଓ ରାହୁଲଙ୍କ ମଧ୍ୟରେ ନିଶ୍ଚିତ ଭାବେ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ପଡ଼ିବ । ସେହିପରି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ବିପକ୍ଷ ମହାମେଣ୍ଟ ନେଇ ଯୁଦ୍ଧଂଦେହୀ ଡାକରା ଦେଇ ସାରିଛନ୍ତି । ଏପରି ସ୍ଥିତିରେ ମୋଦୀଙ୍କ ପଥ ଓଗାଳିବା ସମ୍ଭବ କି ଅସମ୍ଭବ ତାହା ଅଲଗା କଥା । ମାତ୍ର ବିରୋଧୀ ପକ୍ଷର ମୁଖ୍ୟ ଚେହେରା ଭାବେ କିଏ ପରିଗଣିତ ହେବ ସେନେଇ ବହୁ ହେଭିୱେଟଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ, ଏଥିରେ ଦ୍ୱିମତ ନାହିଁ ।

Get real time updates directly on you device, subscribe now.