fbpx

କଂଗ୍ରେସ ମହଙ୍ଗା ମାଡ଼ ଓ ବେକାରୀ ବିରୋଧରେ ଆନ୍ଦୋଳନ କରୁନାହିଁ: ରାମ ଜନ୍ମଭୂମିକୁ ବିରୋଧ କରି କଳା କପଡ଼ା ପିନ୍ଧୁଛି

ନୂଆଦିଲ୍ଲୀ: ଭାରତବର୍ଷରେ ଲାଗି ରହିଥିବା ମହଙ୍ଗା ମାଡ଼ ଓ ବେକାରୀକୁ ନେଇ ଆଜି କଂଗ୍ରେସ ପକ୍ଷରୁ ସାରା ଦେଶରେ ଜୋରଦାର ବିକ୍ଷୋଭ କରାଯାଇଛି । ରାହୁଲ ଗାନ୍ଧି ଓ ପ୍ରିୟାଙ୍କ ନେତୃତ୍ୱରେ କଂଗ୍ରେସ ଦିଲ୍ଲୀରେ ବିକ୍ଷୋଭ କରୁଥିବା ବେଳେ ପୋଲିସ ସେମାନଙ୍କୁ ଅଟକ ରଖିଥିଲା । ତେବେ କଂଗ୍ରେସର ଆନ୍ଦୋଳନକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ଚାଣକ୍ୟ ଅମିତ ଶାହଙ୍କ ବୟାନ ଆସିଛି । କଂଗ୍ରେସ ରାମ ଜନ୍ମଭୂମି ବିରୋଧୀ ବୋଲି ଶାହ କହିଛନ୍ତି ।

ଶାହ କହିଛନ୍ତି, କଂଗ୍ରେସ ମହଙ୍ଗା ମାଡ଼ କି ବେରୋଜଗାରୀକୁ ବିରୋଧ କରି ବିକ୍ଷୋଭ କରୁନାହିଁ । ଆଜିର ଦିନରେ ରାମ ଜନ୍ମଭୂମିର ଶିଳାନ୍ୟାସ ହୋଇଥିଲା । ତେଣୁ ଏହାକୁ ବିରୋଧ କରି କଂଗ୍ରେସ କଳା କପଡ଼ା ପିନ୍ଧି ବିକ୍ଷୋଭ ପ୍ରଦର୍ଶନ କରିଥିଲା । କଂଗ୍ରେସ ଏହି ତରିକାକୁ ଲୁକ୍କାୟିତ ଭାବେ ପ୍ରୟୋଗ କରିଛି । ରାମ ଜନ୍ମଭୂମି ପ୍ରସଙ୍ଗ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ ହୋଇଥିଲା, ମାତ୍ର କଂଗ୍ରେସ ସେଥିରେ ଖୁସି ନଥିଲା । ରାମ ମନ୍ଦିରକୁ ବିରୋଧ କରି କଂଗ୍ରେସ କଳା କପଡ଼ା ବ୍ୟବହାର କରିଥିଲା ।

କଂଗ୍ରେସ ସର୍ବଦା ତୁଷ୍ଟିକରଣ ନୀତି ଆପଣାଇ ଆଗକୁ ବଢ଼ିଥାଏ । ଏହି ନୀତି ପୂର୍ବରୁ କେବେ ଦେଶରେ ଦେଖିବାକୁ ମିଳିନଥିଲା । ଏହାର କ୍ଷତି କଂଗ୍ରେସକୁ ସହିବାକୁ ପଡ଼ୁଛି । କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି, ରାହୁଲ ଓ ପ୍ରିୟଙ୍କାଙ୍କ ମଧ୍ୟରୁ କାହାରିକୁ ବି ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସମନ ଜାରି କରିନଥିଲା । ତେଣୁ ଜାଣିଶୁଣି କଂଗ୍ରେସ ଏପରି କାର୍ଯ୍ୟକ୍ରମ ପୂର୍ବରୁ ସ୍ଥିର କରିଥିଲା ବୋଲି ଶାହ କହିଛନ୍ତି ।

ଏହି ମାମଲାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗ୍ୟ ଆଦିତ୍ୟନାଥ କହିଛନ୍ତି, କଂଗ୍ରେସର ଏହି ବିକ୍ଷୋଭ ପ୍ରଦର୍ଶନ ରାମ ଭକ୍ତଙ୍କ ଅପମାନ । କଂଗ୍ରେସର ଏହି ଆଚରଣ ଅତ୍ୟନ୍ତ ନିନ୍ଦନୀୟ । ଅଯୋଧ୍ୟା ଦିବସକୁ ଦୁଷ୍ଟିରେ ରଖି କଂଗ୍ରେସ କଳା କପଡ଼ା ପରିଧାନ କରି ଲୋକଙ୍କ ଭାବନାରେ ଆଘାତ ପହଞ୍ଚାଇଛି ।

Get real time updates directly on you device, subscribe now.