fbpx

ନିର୍ବାଚନରେ ଲଢ଼ିବା ଏକ ମୌଳିକ ଅଧିକାର ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିର୍ବାଚନ ଲଢ଼ିବା ଏକ ମୌଳିକ ଅଧିକାର କି ସାଧାରଣ ଅଧିକାର ନୁହେଁ, କିନ୍ତୁ ଏକ ନିୟମ ଦ୍ୱାରା ପ୍ରଦାନ କରାଯାଇଥିବା ଏକ ଅଧିକାର ଅଟେ । ଦେଶର ସର୍ବୋଚ୍ଚ ନ୍ୟାୟିକ ସଂସ୍ଥା ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏପରି କୁହାଯାଇଛି । ଜଷ୍ଟିସ ହେମନ୍ତ ଗୁପ୍ତା ଓ ସୁଧାଂଶୁ ଧୁଲିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ଏନେଇ ରାଜ୍ୟସଭା ନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲ କରିଥିବା ଜଣେ ଆବେଦନକାରୀଙ୍କ ପିଟସନକୁ ସର୍ବୋଚ୍ଚ କୋର୍ଟ ଖାରଜ କରିଦେଇଛନ୍ତି । ଏଥିସହିତ ନିର୍ବାଚନ ଲଢ଼ିବା ନେଇ ତାଙ୍କର ଅଧିକାର ଉପରେ ସେ ଦାବି କରିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି ।

ସୁପ୍ରିମକୋର୍ଟ କହିଛନ୍ତି, ଜନପ୍ରତିନିଧି ଆଇନ, ୧୯୫୦ ଓ ନିର୍ବାଚନ ପରିଚାଳନା ରୁଲ ୧୯୬୧ରେ ନାମାଙ୍କନ ପତ୍ର ଦାଖଲ କରିବା ସମୟରେ କ୍ୟାଣ୍ଡିଣ୍ଡେଡଙ୍କ ପ୍ରସ୍ତାବକୁ ବିଚାର କରିବା ନିମନ୍ତେ ପ୍ରାବଧାନ ରହିଛି । ସୂଚନା ମୁତାବକ, ଚଳିତ ବର୍ଷ ସଂସଦର ଉପର ସଦନର ନିର୍ବାଚନ ପାଇଁ ଜଣେ ଆବେଦନକାରୀ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ତାଙ୍କ ପ୍ରାର୍ଥୀତ୍ୱ ଉପରେ ନିଷ୍ପତ୍ତି ନେବା ପାଇଁ ସେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଗତ ଜୁନ ମାସରେ ହାଇକୋର୍ଟ ଏହି ପିଟିସନକୁ ଖାରଜ କରିଦେଇଥିଲେ ।

ଏହାପରେ ସମ୍ପୃକ୍ତ ଆବେଦନକାରୀ ସୁପ୍ରିମକୋର୍ଟଙ୍କ ନିକଟରେ ଚ୍ୟାଲେଞ୍ଜ କରିଥିଲେ । ରାଜ୍ୟସଭା ନିର୍ବାଚନ ପାଇଁ ଚଳିତବର୍ଷ ମେ ୧୨ରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ନାମାଙ୍କନ ପତ୍ର ଦାଖଲ ପାଇଁ ମେ ୩୧ ଅନ୍ତିମ ତାରିଖ ରହିଥିଲା । ତେବେ ଆବେଦନକାରୀ ନାମାଙ୍କନ ଫର୍ମ ସଂଗ୍ରହ କରିଥିବା ବେଳେ ଉପଯୁକ୍ତ ପ୍ରସ୍ତାବକ ନଥିବାରୁ ତାଙ୍କୁ ନାମାଙ୍କନ ପତ୍ର ଦାଖଲ ପାଇଁ ଅନୁମତି ମିଳିନଥିଲା । ଏଥିରେ ଆବେଦନକାରୀଙ୍କ ମୌଳିକ ଅଧିକାର କ୍ଷୂର୍ଣ୍ଣ ହୋଇଥିବା ସେ ଅଭିଯୋଗ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

Get real time updates directly on you device, subscribe now.