fbpx

ବ୍ରାଜିଲ୍ ଓ ଭାରତ ବାୟୋଟେକ୍ ମଧ୍ୟରେ ଟିକା ଚୁକ୍ତିକୁ ନେଇ ଘନେଇଲା ବିବାଦ

ନୂଆଦିଲ୍ଲୀ: କୋଭାକ୍ସିନ୍ ଟିକା ଚୁକ୍ତିକୁ ନେଇ ଭାରତ ବାୟୋଟେକ୍ ଓ ବ୍ରାଜିଲ୍ ମଧ୍ୟରେ ବିବାଦ ବଢ଼ିଛି । ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସନାରୋଙ୍କ ବିରୋଧରେ ଟିକା ଦୁର୍ନୀତି ଅଭିଯୋଗ ଆସିବା ପରେ ସେ ଦେଶର ସୁପ୍ରିମକୋର୍ଟ ଗତ ଶୁକ୍ରବାର ଦିନ ତାଙ୍କ ବିରୋଧରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଦକ୍ଷିଣ ଆମେରିକା ଦ୍ୱାରା ପ୍ରକାଶିତ ଏକ ରିପୋର୍ଟକୁ ନେଇ ବର୍ତ୍ତମାନ ବିବାଦ ବଢ଼ିଛି । ବ୍ରାଜିଲର ଜାତୀୟ ସ୍ୱାସ୍ଥ୍ୟ ନିୟନ୍ତ୍ରକ କର୍ତ୍ତୃପକ୍ଷ-ଆନଭିସା ହାଇଦ୍ରାବାଦର କୋଭାକ୍ସିନକୁ ଜରୁରୀ କାଳୀନ ବ୍ୟବହାର ନିମନ୍ତେ ଅନୁମତି ପ୍ରଦାନ କରିନଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି ।

ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ୍ ସହ ଅଧିକ ଦାମରେ ଟିକା ଡିଲ୍ କରିଥିବା ନେଇ ବୋଲସନାରୋଙ୍କ ଉପରେ ଅଭିଯୋଗ ହୋଇଥିଲା । ତେବେ ଏହି ଦୁର୍ନୀତି ଅଭିଯୋଗ ଆସିବା ପରେ ୨ କୋଟି ଡୋଜ୍ ଅର୍ଥାତ ୨୪୦୦ କୋଟିରୁ ଅଧିକ ଅଙ୍କର ଡିଲ୍ ରଦ୍ଦ ହୋଇଛି । ଗତ ୨୯ ତାରିଖ ସୁଦ୍ଧା ବ୍ରାଜିଲ ସରକାର କୋଭିଡ୍-୧୯ ଟିକା ନେଇ କୌଣସି ଅର୍ଥ ପ୍ରଦାନ କରିନଥିବା ଜଣାପଡ଼ିଥିଲା । ଭାରତ ବାୟୋଟେକ୍ ପକ୍ଷରୁ କୌଣସି ଭୁଲ ନିଷ୍ପତ୍ତି ନିଆଯାଇନଥିବା ଗତ ସପ୍ତାହରେ କୁହାଯାଇଥିଲା । କମ୍ପାନୀ ପ୍ରତ୍ୟେକ ଗାଇଡଲାଇନକୁ ଠିକ୍ ଭାବେ ଅନୁସରଣ କରିବା ସହ ଗତ ଜୁନ ୪ ତାରିଖରେ ଜରୁରୀକାଳୀନ ବ୍ୟବହାର ଅନୁମତି ଗ୍ରହଣ କରିଥିଲା । ମାତ୍ର ଏହି ଜରୁରୀକାଳୀନ ବ୍ୟବହାର ନେଇ ବ୍ରାଜିଲ ସରକାରଙ୍କ କେତେକ ସର୍ତ୍ତ ରହିଥିଲା ବୋଲି କୁହାଯାଉଛି । କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ରଦ୍ଦ ହେବା ଘଟଣାକୁ ଭାରତ ବାୟୋଟେକ୍ ପକ୍ଷରୁ ଗ୍ରହଣ କରାଯାଇ ନଥିବା ଜଣାପଡ଼ିଛି । ଅପରପକ୍ଷେ ରାଷ୍ଟ୍ରପତି ବୋଲସନାରୋ ଏହି ଭ୍ୟାକ୍ସିନ ଡିଲରେ ଦୁର୍ନୀତି ହୋଇଥିବା ଖବରକୁ ମିଛ ବୋଲି କହିଛନ୍ତି । ବୋଲସନାରୋଙ୍କ ଦୁର୍ନୀତି ‘କୋଭାକ୍ସିନଗେଟ୍’ ନେଇ ସେ ଦେଶରେ ପ୍ରଘଟ ହେବା ପରେ ହଜାର ହଜାର ସଂଖ୍ୟାରେ ଜନସାଧାରଣ ତାଙ୍କର ଇସ୍ତଫା ଦାବି କରିଛନ୍ତି ।

Get real time updates directly on you device, subscribe now.