fbpx

ଇଂଲଣ୍ଡ ଉପରେ ଭାରୀ ପଡ଼ିଲା କନୱେ-ରବିନ୍ଦ୍ର ଯୋଡ଼ି: ୪ ବର୍ଷ ପରେ ପ୍ରତିଶୋଧ ନେଲା ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ: ୪ ବର୍ଷରୁ ମଉକା ଅପେକ୍ଷାରେ ରହିଥିଲା ନ୍ୟୁଜିଲାଣ୍ଡ । ୨୦୧୯ ବିଶ୍ୱକପ ଫାଇନାଲରେ ମିଳିଥିବା ପରାଜୟର ପ୍ରତିଶୋଧ ନେବା ପାଇଁ ଖୋଜୁଥିଲା ସୁଯୋଗ । ଆଉ ଆଜି ସୁଯୋଗ ମିଳିବା ମାତ୍ରେ ଏହାକୁ ହାତଛଡ଼ା କରି ନାହାନ୍ତି ଦଳର କୌଣସି କେଳାଳି । ଡିଫେଣ୍ଡିଂ ଚମ୍ପିଆନ୍ ଇଂଲଣ୍ଡ ଉପରେ ଏକତରଫା ବିଜୟ ହାସଲ କରିଛି ନ୍ୟୁଜିଲାଣ୍ଡ । ଇଂଲଣ୍ଡର ସମସ୍ତ ବୋଲରଙ୍କୁ ବେସାହାରା କରି ଦେଇଛନ୍ତି ନ୍ୟୁଜିଲାଣ୍ଡ ଷ୍ଟାର ବ୍ୟାଟର ଡିଭନ୍ କନୱେ ଏବଂ ରଚିନ୍ ରବିନ୍ଦ୍ର । ଏହି ଯୋଡ଼ି ହିଁ ଇଂଲଣ୍ଡର ଟାର୍ଗେଟକୁ ଖୁବ ସହଜରେ ହାସଲ କରି ନେଇଛି ।

ଅହମ୍ମଦାବାଦର ଐତିହାସିକ କ୍ରିକେଟ ଗ୍ରାଉଣ୍ଡରେ ବିଶ୍ୱକପର ପ୍ରଥମ ମ୍ୟାଚ ଖେଳାଯାଇଛି । ତେବେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡକୁ ୨୮୩ ରନର ଟାର୍ଗେଟ ଦେଇଥିଲା ଇଂଲଣ୍ଡ । ତେବେ ଦ୍ୱିତୀୟ ଇନିଂସର ଆରମ୍ଭରୁ ସଫଳତା ହାସଲ କରି ଇଂଲଣ୍ଡ ମ୍ୟାଚ କବଜା କରିବା ଲକ୍ଷ୍ୟରେ ରହିଥିଲା । କିନ୍ତୁ ଏହାପରେ ନ୍ୟୁଜିଲାଣ୍ଡର ଷ୍ଟାର ଓପନର ଡିଭନ୍ କନୱେ ଏବଂ ଷ୍ଟାର ବ୍ୟାଟର ରଚିନ୍ ରବିନ୍ଦ୍ର ଇଂଲଣ୍ଡର ସ୍ୱପ୍ନକୁ ଧୂଳିସାତ୍ କରି ଦେଇଛନ୍ତି । ଉଭୟ ଖେଳାଳି ପିଚରେ ଠିଆ ହୋଇ ବିସ୍ଫୋରକ ଶତକ ହାସଲ କରିଛନ୍ତି । ୧୨୧ ବଲରୁ ୧୯ଟି ଚୌକା ଏବଂ ୩ଟି ଛକା ସହ ୧୫୨ ରନ୍ କରି ଇଂଲଣ୍ଡର ମନୋବଳ ଭାଙ୍ଗି ଦେଇଛନ୍ତି । ସେହିପରି ୯୬ ବଲରୁ ୧୨୩ ରନର ଏକ ବିସ୍ଫୋରକ ଇନିଂସ ଖେଳିଛନ୍ତି ଷ୍ଟାର ଅଲରାଉଣ୍ଡର ରଚିନ୍ ରବିନ୍ଦ୍ର । ତାଙ୍କର ଏହି ପାଳିରେ ୧୧ଟି ଚୌକା ଏବଂ ୫ଟି ଛକା ସାମିଲ ରହିଛି ।

ତେବେ ଏହି ମ୍ୟାଚକୁ ନ୍ୟୁଜିଲାଣ୍ଡ ଖୁବ ସହଜରେ ମାତ୍ର ୩୬.୨ ଓଭରରେ ହାସଲ କରି ନେଇଛି । ତେବେ ନ୍ୟୁଜିଲାଣ୍ଡର ଏହି ଝଡ଼ ଆଗରେ ଇଂଲଣ୍ଡର ବୋଲର ଫେଲ ମାରିଥିଲେ । ସମସ୍ତ ବୋଲର ମିଶି ନ୍ୟୁଜିଲାଣ୍ଡର ମାତ୍ର ଗୋଟିଏ ୱିକେଟ(ୱିଲ ୟଙ୍ଗ) ହାସଲ କରିପାରିଛନ୍ତି । ତେବେ ଅନ୍ୟ ସମସ୍ତ ବୋଲର ମ୍ୟାଚରେ ମହଙ୍ଗା ସାବ୍ୟସ୍ତ ହେବା ସହ କନୱେ-ରବିନ୍ଦ୍ର ଯୋଡ଼ି ଆଗରେ ଖୁବ ବେସାହାରା ମନେ ହେଉଥିଲେ । ତେବେ ଏହି ମ୍ୟାଚରେ ବିଜୟୀ ହୋଇ ୪ ବର୍ଷ ପୂର୍ବ ଫାଇନାଲର ପ୍ରତିଶୋଧ ନେଇଛି ନ୍ୟୁଜିଲାଣ୍ଡ ।

Get real time updates directly on you device, subscribe now.